ସମ୍ବଲପୁର:ଟେରାକୋଟା ସାମଗ୍ରୀ ତିଆରି କରି ସ୍ୱାବଲମ୍ବୀ ମହିଳା । ମାଟିରେ ଚା' କପ ଠାରୁ ଆରମ୍ଭ କରି ରଙ୍ଗ ବେରଙ୍ଗର କଳସୀ, ଦୀପ ଓ କଣ୍ଡେଇ ତିଆରି କରି ଏବେ ରୋଜଗାର କ୍ଷମ ହୋଇପାରିଛନ୍ତି । ଆମେ କହୁଛୁ ସମ୍ବଲପୁର ଜିଲ୍ଲା ଧନକଉଡ଼ା ବ୍ଲକ ଗୋଶାଳା ନିକଟସ୍ଥ ସାହାଜବାହାଲ ଗାଁର ଗୃହିଣୀ ମାନଙ୍କ କଥା । ପ୍ରଥମେ ଏମାନେ ଘରର ଚାରିକାନ୍ଥ ଭିତରେ ରହୁଥିବା ବେଳେ ଗତ ଦୁଇ ବର୍ଷ ହେବ ମାସିକ ହଜାର ହଜାର ଟଙ୍କା ରୋଜଗାର କରି ନିଜର ଆର୍ଥିକ ସ୍ଥିତିକୁ ସୃଦୃଢ କରିପାରିଛନ୍ତି । ଜିଲ୍ଲା ପ୍ରଶାସନର ସହାୟତାରେ ତାଲିମ ନେଇ ତିଆରି କରୁଛନ୍ତି ବିଭିନ୍ନ ପ୍ରକାର ଧୂପଦାନୀ, କଳସ, ଦୀପ, ଗ୍ଲାସ ଓ କପ ପରି ମାଟି ତିଆରି ସାମଗ୍ରୀ l
ସାହାଜବାହାଲ ଗାଁର "ଉନ୍ନତି ପ୍ରୟୋଜନ ଟେରାକୋଟା ପ୍ରଡ୍ୟୁସର ଗ୍ରୁପର ପ୍ରାୟ 40 ଜଣ ମହିଳା ଏହି ଟେରାକୋଟା କାମ କରି ସ୍ବାବଲମ୍ବୀ ହୋଇପାରିଛନ୍ତି । ମାଟି ତିଆରି ଜିନିଷ ଗୁଡିକରେ ବିଭିନ୍ନ ପ୍ରକାର ରଙ୍ଗ ବୋଲି ଏଗୁଡିକୁ ଆକର୍ଷଣୀୟ କରୁଛନ୍ତି । ଏହାସହ ଜିଲ୍ଲା ପ୍ରଶାସନ ସହାୟତାରେ ଏହି ସାମଗ୍ରୀ ଗୁଡିକୁ ବିଭିନ୍ନ ମେଳା ଓ ପ୍ରଦର୍ଶନୀରେ ବିକ୍ରି କରିବା ସହ ସମ୍ବଲପୁର ମାର୍କେଟରେ ମଧ୍ୟ ବିକ୍ରି କରି ଲାଭବାନ ହେଉଛନ୍ତି । ସବୁଠାରୁ ବଡ କଥା ହେଲା ଏହି ମହିଳାଙ୍କ ଠାରୁ ପୂର୍ବତଟ ରେଳବାଇ କପ କିଣୁଛି । ଆଉ ଏହି ମହିଳାଙ୍କ ତିଆରି କପରେ ରେଳଯାତ୍ରୀ ଚା’ ପିଇବାର ମଜା ନେଉଛନ୍ତି l