ସମ୍ବଲପୁର : ଅଗରବତୀ କରିଛି ଆତ୍ମନିର୍ଭରଶୀଳ । ବାସି ଫୁଲରୁ ପ୍ରସ୍ତୁତ ହେଉଛି ସୁଗନ୍ଧିତ ଅଗରବତୀ । ସମ୍ବଲପୁର ସ୍ଵଧାର ଗୃହରେ ରହୁଥିବା ଅସହାୟ ମହିଳାମାନଙ୍କୁ ନେଇ ଗଠିତ ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ତିଆରି ହେଉଛି ଅଗରବତୀ । ତେବେ ଅଗରବତୀ ପ୍ରସ୍ତୁତ କରି ମହିଳାମାନେ ଦୁଇ ପଇସା ରୋଜଗାର କରିପାରୁଛନ୍ତି ।
ସମ୍ବଲପୁର ଧନକଉଡ଼ାରେ ରହିଛି ସ୍ୱଧାର ଗୃହ । ଏଠାରେ ମୁଖ୍ୟତଃ ଅସହାୟ ମହିଳାମାନେ ରହି ଆସୁଛନ୍ତି । ଏହି ସ୍ବଧାର ଗୃହର ଅନ୍ତେବାସୀଙ୍କୁ ନେଇ ଏକ ସ୍ୱୟଂ ସହାୟକ ଗୋଷ୍ଠୀ ତିଆରି କରି "ସମଲେଇ ଅଗରବତୀ ଉତ୍ପାଦନ କେନ୍ଦ୍ର" ଆରମ୍ଭ କରାଯାଇଛି । ସ୍ବଧାର ଗୃହର ଅନ୍ତେବାସୀ ମହିଳାମାନେ ଏଠାରେ ଅଗରବତୀ ତିଆରି କରୁଛନ୍ତି । ତେବେ ଅଗରବତୀ ପାଇଁ ସବୁଠାରୁ ବେଶୀ ଆବଶ୍ୟକ ହେଉଥିବା ଫୁଲ ବିଭିନ୍ନ ମନ୍ଦିରରୁ ଆଣୁଛନ୍ତି । ମନ୍ଦିରରେ ଚଢା ଯାଉଥିବା ଫୁଲ ବାସି ହେଲା ପରେ ଏହାକୁ ଆଣି କଞ୍ଚାମାଲ ଭାବେ ବ୍ୟବହାର କରିଥାନ୍ତି । ବାସି ଫୁଲକୁ ଉତ୍ପାଦନ କେନ୍ଦ୍ରକୁ ଅଣାଯାଇ ଏହାକୁ ଭଲ ଭାବେ ଶୁଖା ଯାଉଛି । ଏହା ପରେ ଏହାକୁ 2 ପ୍ରକାର ଗ୍ରାଇଣ୍ଡର ମେସିନରେ ଗୁଣ୍ଡ କରାଯାଇଥାଏ । ପରେ ଏହି ଗୁଣ୍ଡରେ ପ୍ରାକୃତିକ ଅଠା ମିଶ୍ରଣ କରାଯାଇ ଅଗରବତୀ ତିଆରି ମେସିନ ସାହାଯ୍ୟରେ ଅଗରବତୀ ତିଆରି କରୁଥିବା କହିଛନ୍ତି ସ୍ବଧାର ଗୃହର ଅନ୍ତେବାସୀ ।
ତେବେ ମିଶନ ଶକ୍ତି ଦ୍ୱାରା କ୍ଷମତାପନ୍ନ ଏହି ପଦକ୍ଷେପ ଦ୍ୱାରା ଦୁର୍ଭାଗ୍ୟଜନକ ପରିସ୍ଥିତିର ଶିକାର ହୋଇଥିବା ତଥା ଜୀବନର ଅନ୍ଧକାର ପର୍ଯ୍ୟାୟରୁ ଆଗକୁ ବଢିବା ପାଇଁ ସହାୟତା ଆବଶ୍ୟକ କରୁଥିବା ମହିଳାମାନେ ସଶକ୍ତ ହୋଇପାରିଛନ୍ତି । ଏହା ଦ୍ୱାରା ଅସହାୟ ମହିଳାମାନେ ନିଜ ବିଶ୍ୱାସକୁ ଫେରି ପାଇବା ସହ ଏକ ସମ୍ମାନଜନକ ଜୀବନଯାପନ କରିବାର ସୁଯୋଗ ପାଇଛନ୍ତି । ଏହା ସେମାନଙ୍କୁ ଖାଦ୍ୟ, ଆଶ୍ରୟ, ପୋଷାକ ଭଳି ମୌଳିକ ସୁବିଧା ଯୋଗାଇ ଦେବା ସହ ସେମାନଙ୍କୁ ଅର୍ଥନୈତିକ ଏବଂ ସାମାଜିକ ନିରାପତ୍ତାର ଏକ ଭାବନା ଯୋଗାଇବ ।