ଓଡିଶା

odisha

ETV Bharat / state

ସମ୍ବଲପୁରରେ କେବେ ଗଡିବ ଘରୋଇ ବସ ?

ସମ୍ବଲପୁରରେ କେବେ ଚଳାଚଳ କରିବ ଘରୋଇ ବସ । ସରକାରୀ ଅନୁମତି ସତ୍ତ୍ବେ ଆରମ୍ଭ ହୋଇ ପାରୁନି ସେବା । ଆର୍ଥିକ ଦୁର୍ଦ୍ଦିନ ଦେଇ ଗତି କରୁଛନ୍ତି ବସ ମାଲିକଙ୍କ ସହ କର୍ମଚାରୀ । ଅଧିକ ପଢନ୍ତୁ...

By

Published : Jul 3, 2021, 8:12 AM IST

When will a private bus roll in Sambalpur? The service could not be launched without government permission
ସମ୍ବଲପୁରରେ କେବେ ଗଡିବ ଘରୋଇ ବସ ?

ସମ୍ବଲପୁର: ଗ୍ରୀନ ଜୋନରେ ଥିବା ଜିଲ୍ଲା ଗୁଡିକରେ ଜୁଲାଇ 1 ତାରିଖରୁ ଘରୋଇ ବସ ସେବା ଆରମ୍ଭ କରିବାକୁ ରାଜ୍ୟ ସରକାର ଅନୁମତି ଦେଇଛନ୍ତି । ହେଲେ ସମ୍ବଲପୁର ଜିଲ୍ଲା ଗ୍ରୀନ ଜୋନରେ ରହିଥିଲେ ମଧ୍ୟ ଏଠାରେ ଆରମ୍ଭ ହୋଇପାରିନି ଘରୋଇ ବସ ସେବା । ଫଳରେ ସାଧାରଣ ଯାତ୍ରୀ ନାହିଁ ନ ଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ତେବେ ଏଥିପାଇଁ ସମ୍ବଲପୁର ଜିଲ୍ଲା ଘରୋଇ ବସ ମାଲିକ ସଙ୍ଘ କୋଭିଡ ସମୟରେ ବସ ମାଲିକ ମାନଙ୍କର ଆର୍ଥିକ ଦୂରବସ୍ଥାକୁ ଦାୟୀ କରିଛନ୍ତି ।

ସମ୍ବଲପୁରରେ କେବେ ଗଡିବ ଘରୋଇ ବସ ?

ଜିଲ୍ଲା ଘରୋଇ ବସ ମାଲିକ ସଙ୍ଘରେ ରହିଛନ୍ତି 140 ସଦସ୍ୟ । ପ୍ରତ୍ୟେକ ଦିନ ଏଠାରୁ ରାଜ୍ୟର ପ୍ରତ୍ୟେକ ଜିଲ୍ଲା ସହ ପଶ୍ଚିମବଙ୍ଗ, ଝାରଖଣ୍ଡ, ଛତିଶଗଡ଼ ଆଦି ରାଜ୍ୟ ଗୁଡିକୁ ପ୍ରାୟ 200 ବସ ଚଳାଚଳ କରିଥାଏ। ତେବେ କୋଭିଡ ସମୟରେ ବସ ଚଳାଚଳ ପୁରାପୁରି ଠପ ହୋଇ ଯାଇଥିଲା । ଆଉ ଏହା ସହ ବସ ମାଲିକଙ୍କ ବ୍ୟବସାୟ ମଧ୍ୟ ବନ୍ଦ ହୋଇଗଲା । ଏହାର ପ୍ରଭାବରେ ପ୍ରାୟ 3000 ବସ କର୍ମଚାରୀ ନିଜର ଜୀବିକା ହରାଇଥିଲେ ।

ବସ ମାଲିକ ମାନେ ମଧ୍ୟ ଏହି ବସ କର୍ମଚାରୀଙ୍କୁ କୌଣସି ଆର୍ଥିକ ସହାୟତା ମଧ୍ୟ ଯୋଗେଇ ପାରିଲେ ନାହିଁ । କାରଣ ନିଜେ ବସ ମାଲିକ ମାନେ ଘୋର ଆର୍ଥିକ ସଂକଟରେ ଗତି କରୁଥିଲେ। ଏଭଳି ପରିସ୍ଥିତିରେ ସବୁ କର୍ମଚାରୀ ପରିବାର ଚଲେଇବା ପାଇଁ ଅନ୍ୟତ୍ର କାର୍ଯ୍ୟ କରିବାକୁ ଚାଲିଗଲେ । ସେଥିପାଇଁ ବର୍ତ୍ତମାନ ସରକାର ବସ ଚଳାଚଳକୁ ଅନୁମତି ଦେଇଥିଲେ ମଧ୍ୟ ସମ୍ବଲପୁରରେ ଘରୋଇ ବସ ସେବା ଆରମ୍ଭ ହୋଇ ପାରୁନି।

ଅନ୍ୟପଟେ ଗୋଟିଏ ବସ ନ ଗଡିଲେ ଦୈନିକ ଖର୍ଚ୍ଚ 900 ଟଙ୍କା ରହୁଛି । ଏଭଳି ସ୍ଥିତିରେ ଗୋଟିଏ ମାସରେ ବସ ପିଛା 27000 ଟଙ୍କାର ଷ୍ଟାଡିଙ୍ଗ ଖର୍ଚ୍ଚ ରହିଛି ବୋଲି ବସ ମାଲିକ କହିଛନ୍ତି। ଅନ୍ୟପଟେ ବର୍ତ୍ତମାନ ବସ ଚଳାଚଳ ପୁନଃ ଆରମ୍ଭ କରିବାକୁ ହେଲେ ବସ ପିଛା 1 ଲକ୍ଷ ଟଙ୍କାର ଖର୍ଚ୍ଚ ରହିଛି। ତେଣୁ ତତ୍କାଳ ବସ ସେବା ଆରମ୍ଭ କରିବାରେ କଷ୍ଟ ହେଉଛି ବୋଲି ବସ ମାଲିକ କହିଛନ୍ତି।

ଲକ ଡାଉନ ସମୟରେ ସମସ୍ତ ବସ ଗୁଡିକ ଅଫ ରୋଡ଼ ସ୍ଥିତିରେ ଥିଲା। ତେବେ ବର୍ତ୍ତମାନ ଅନ ରୋଡ଼ ଅବସ୍ଥାକୁ ଆଣିବାକୁ ହେଲେ ଫିଟନେସ, ପରମିଟ, ଇନସ୍ୟୁରାନ୍ସ, ଟ୍ୟାକ୍ସ, ଓ ଡିଜେଲ ବାବଦରେ ବସ ପିଛା 1 ଲକ୍ଷ ଟଙ୍କା ଖର୍ଚ୍ଚ ଆବଶ୍ୟକ ପଡୁଛି । ତେବେ, କିଛି ଦିନ ମଧ୍ୟରେ ବସ ମାଲିକ ସଙ୍ଘ ମାନଙ୍କ ବୈଠକ ପରେ କେବେଠୁ ବସ ଚାଲିବ । ସେନେଇ ନିଷ୍ପତ୍ତି ନିଆଯିବ ବୋଲି କୁହାଯାଇଛି।

ସମ୍ବଲପୁରରୁ ବାଦଶାହ ଜୁଷ୍ମନ ରଣା,ଇଟିଭି ଭାରତ

ABOUT THE AUTHOR

...view details