ସମ୍ବଲପୁର: ଆଜିଠାରୁ ଅଇଁଠାପାଲିସ୍ଥିତ PHD ପଡ଼ିଆରେ ଆରମ୍ଭ ହୋଇଛି ପଶ୍ଚିମ ଓଡ଼ିଶା କୃଷିମେଳା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଟୁଆଲ ମୋଡ୍ରେ ଏହାର ଶୁଭ ଉଦ୍ଘାଟନ କରିଥିଲେ । ସ୍ୱାଧୀନତା ପରେ ପ୍ରଥମ ଥର ପାଇଁ ସମ୍ବଲପୁରରେ ଏହି ରାଜ୍ୟସ୍ତରୀୟ କୃଷିମେଳା ଆୟୋଜନ ହେଉଛି । ଶୁକ୍ରବାରଠାରୁ ଆରମ୍ଭ ହୋଇଥିବା ଏହି ମେଳା ଜାନୁଆରୀ 31 ତାରିଖ ଯାଏଁ ଚାଲିବ ।
କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ ତ୍ରିପାଠୀ, ରାଜ୍ୟ ସରକାରଙ୍କ କୃଷି ବିଭାଗର ନିର୍ଦ୍ଦେଶକ ପ୍ରେମଚନ୍ଦ୍ର ଚୌଧୁରୀ, ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ, କୁଚିଣ୍ଡା ବିଧାୟକ କିଶୋର ନାଏକ, ସମ୍ବଲପୁର ଜିଲ୍ଲା ପରିଷଦ ଅଧ୍ୟକ୍ଷା କୁମୋଦିନୀ ନାଏକ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ । ସ୍ୱାଧୀନତା ପରେ ପ୍ରଥମ ଥର ପାଇଁ ସମ୍ବଲପୁରରେ ଏହି ରାଜ୍ୟସ୍ତରୀୟ କୃଷିମେଳା ଆୟୋଜନ ହୋଇଥିବା ବେଳେ ଏଥିରେ ପଶ୍ଚିମ ଓଡିଶାର 10ଟି ଜିଲ୍ଲାର ଓ ଅନୁଗୋଳ ଜିଲ୍ଲାର ଆଠମଲ୍ଲିକ ଉପଖଣ୍ଡର ଚାଷୀମାନେ ସାମିଲ ହୋଇଥିଲେ । ଏହି କାର୍ଯ୍ୟକ୍ରମରେ 10 ଜିଲ୍ଲାର ଜିଲ୍ଲା ପରିଷଦ ଅଧ୍ୟକ୍ଷ ମାନେ ମଧ୍ୟ ସମିଲ ହୋଇଥିଲେ ।
ଚାଷୀ ଓ ଚାଷୀ ଉଦ୍ୟୋଗୀଙ୍କୁ ସମ୍ମାନୀତ: ପଶ୍ଚିମ ଓଡ଼ିଶାରେ କୃଷି କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ମିଳିଛି । ମୁଖ୍ୟତଃ ଅବିଭକ୍ତ ସମ୍ବଲପୁର ଜିଲ୍ଲାରେ ଧାନ ଉତ୍ପାଦନ ଜାତୀୟ ସ୍ତରରେ ପହଞ୍ଚିଛି । ତେବେ ଆଗାମୀ ଦିନରେ ଏହି କ୍ଷେତ୍ରର ଚାଷୀମାନେ କିପରି ଆହୁରି ଲାଭବାନ ହେବେ, ଯୁବକମାନେ କିପରି କୃଷି କ୍ଷେତ୍ରରେ ନିଜର ଆଗ୍ରହ ଦେଖାଇବେ, କୃଷି ଜନିତ ବ୍ୟବସାୟ କିପରି ବୃଦ୍ଧି ପାଇବ ସେହି ଉଦ୍ଦେଶ୍ୟ ରଖି ଆଜିଠାରୁ ସମ୍ବଲପୁର ଅଇଁଠାପାଲି ସ୍ଥିତ PHD ପଡ଼ିଆରେ ଏହି ରାଜ୍ୟସ୍ତରୀୟ କୃଷିମେଳା ଆରମ୍ଭ ହୋଇଛି । ଏହି ମେଳାରେ କୃଷିମନ୍ତ୍ରୀଙ୍କ ସମେତ ଉପସ୍ଥିତ ଅତିଥିମାନେ କାର୍ଯ୍ୟକ୍ରମର ଆରମ୍ଭରେ କେତେକ ସଫଳ ଚାଷୀ ଓ ଚାଷୀ ଉଦ୍ୟୋଗୀଙ୍କୁ ସମ୍ମାନୀତ କରିଥିଲେ ।