ସମ୍ବଲପୁର:ବର୍ତ୍ତମାନ ସମ୍ବଲପୁରରେ ପ୍ରବଳ ଗରମ ଅନୁଭୂତ ହେଉଛି । ଗୋଟିଏ ପଟେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେଉଥିବା ବେଳେ ଅନ୍ୟପଟେ ସହରର କେତେକ ସ୍ଥାନରେ ଅସହ୍ୟ ହେଉଛି ଜଳକଷ୍ଟ । ସେଭଳି ଏକ ଅଞ୍ଚଳ ହେଲା ସମ୍ବଲପୁର ସହରର କ୍ଷେତରାଜପୁର ଥାନା ଅନ୍ତର୍ଗତ ଦୁର୍ଗାପାଲିର ଗୁଡ଼େଶ୍ବର ମନ୍ଦିର ପଛପଟେ ଥିବା ଝରାପଡା ଗାଁ । ଏହି ସ୍ଥାନରେ 50 ବର୍ଷ ହେଲା 25ଟି ଗରିବ ପରିବାର ବସବାସ କରିଆସୁଛନ୍ତି । ଲୋକଙ୍କୁ ମୌଳିକ ସୁବିଧା ଯୋଗାଇବା ପାଇଁ ସରକାରଙ୍କ ମାଳ ମାଳ ଯୋଜନା କାର୍ଯ୍ୟକାରୀ ହେଉଥିବା ବେଳେ ଝରାପଡାବାସୀ ପାନୀୟ ଜଳ ପରି ମୌଳକ ସୁବିଧାରୁ ବଞ୍ଚିତ । ଏମାନଙ୍କ ପାଖରେ ଜନସ୍ୱାସ୍ଥ୍ୟ ବିଭାଗର ପାନୀୟ ଜଳ ପହଞ୍ଚି ପାରୁନଥିବାରୁ ମହାନଦୀର ଦୂଷିତ ଓ ଅଶୋଧିତ ପାଣିକୁ ବ୍ୟବହାର କରିବାକୁ ସେମାନେ ବାଧ୍ୟ ହେଉଛନ୍ତି ।
ଝରାପଡାକୁ ଜନସ୍ଵାସ୍ଥ୍ୟ ବିଭାଗର ପାନୀୟ ଜଳ ଯୋଗାଣ ପାଇପ ବ୍ୟବସ୍ଥା ନାହିଁ କି ପାଣି ଟ୍ୟାଙ୍କର ମଧ୍ୟ ଏଠାକୁ ଆସୁନାହିଁ । ତେଣୁ ସ୍ଥାନୀୟ ମହିଳାମାନେ ପ୍ରତ୍ୟେକ ଦିନ 2 କିଲୋମିଟର ଦୂର ଚାଲି ଚାଲି ଯାଇ ମହାନଦୀର ପାଣି ଆଣି ତାହାକୁ ବ୍ୟବହାର କରିବାକୁ ବାଧ୍ୟ ହେଉଛନ୍ତି । ଫଳରେ ବିଭିନ୍ନ ସମୟରେ ବିଭିନ୍ନ ରୋଗରେ ପୀଡିତ ହେଉଥିବା ସ୍ଥାନୀୟ ଲୋକ କହିଛନ୍ତି । ଏହି ସମସ୍ୟା ନେଇ ସ୍ଥାନୀୟ ମହିଳା ଜିଲ୍ଲା ପ୍ରଶାସନ ଓ ଜନସ୍ୱାସ୍ଥ୍ୟ ବିଭାଗର ଦ୍ବାରସ୍ଥ ହୋଇଥିଲେ । ହେଲେ କୌଣସି ଲାଭ ମିଳିନଥିବା ଅଭିଯୋଗ କରିଛନ୍ତି ଲୋକେ । ଅନ୍ୟପଟେ ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଅଣଓସାରିଆ ରାସ୍ତା ଓ ଘରୋଇ ଜମି ସମସ୍ୟା ଯୋଗୁଁ ସେହି ସ୍ଥାନକୁ ପାଣି ଟ୍ୟାଙ୍କର ଯିବାର ସୁବିଧା ନାହିଁ ଏବଂ ପାଇପ ସଂଯୋଗ ମଧ୍ୟ ହୋଇପାରୁନି । ତେବେ ବର୍ତ୍ତମାନ ସେଠାରେ ଏକ ନଳ କୂପର ବ୍ୟବସ୍ଥା କରାଯାଉଛି ବୋଲି ଜନସ୍ବାସ୍ଥ୍ୟ ବିଭାଗର ଅଧିକାରୀ କହିଛନ୍ତି ।