ସମ୍ବଲପୁର: ଖରାଦିନ ଆରମ୍ଭରୁ ଦେଖା ଦେଲାଣି ଜଳକଷ୍ଟ । ମାର୍ଚ୍ଚ ମାସ ଶେଷ ନ ହେଉଣୁ ସମ୍ବଲପୁର ମହାନଗର ନିଗମର ବିଭିନ୍ନ ବସ୍ତି ଅଞ୍ଚଳରେ ପାନୀୟ ଜଳ ଯୋଗାଣରେ ଅବ୍ୟବସ୍ଥା ଦେଖିବାକୁ ମିଳିଲାନି । କେଉଁଠି ଗୋଟିଏ ଓଳି ପାଣି ଆସୁଛି ତ ଅନ୍ୟ କେଉଁଠି 2 ଦିନରେ ଥରେ ପାଣି ଆସୁଥିବା ଅଭିଯୋଗ ହେଉଛି । ଏଭଳି ସ୍ଥିତିରେ ଆଗକୁ ଖରା ବଢିଲେ ପାନୀୟ ଜଳ ସମସ୍ୟା ଉତ୍କଟ ହେବାକୁ ଯାଉଥିବା ବେଳେ ବର୍ତ୍ତମାନ ଏହା ଜନସ୍ୱାସ୍ଥ୍ୟ ବିଭାଗ ପାଇଁ ଚିନ୍ତାର ବିଷୟ ପାଲଟିଛି ।
ଖରାଦିନ ଆରମ୍ଭରୁ ଜଳ ସଙ୍କଟ, ପିଇବା ପାଣି ପାଇଁ ଡହଳବିକଳ ଲୋକେ - ଜଳ ସମସ୍ୟା
ସମ୍ବଲପୁର ମହାନଗର ନିଗମରେ ଦୈନିକ 40 ମିଲିୟନ ଲିଟରର ପାନୀୟ ଜଳର ଚାହିଦା ରହିଛି । ହେଲେ ଠିକ ସମୟରେ ପାଣି ନ ଆସିବାରୁ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି ସହରବାସୀ । ଅଧିକ ପଢନ୍ତୁ...
ସମ୍ବଲପୁର ସହର ହେଉଛି ପଶ୍ଚିମ ଓଡି଼ଶାର ପ୍ରାଣ କେନ୍ଦ୍ର । ଏହି ମହାନଗର ନିଗମରେ ରହିଛି ସମ୍ବଲପୁର, ବୁର୍ଲା ଓ ହୀରାକୁଦ ସହର । ଏହାର ଜନସଂଖ୍ୟା 4 ଲକ୍ଷରୁ ଉର୍ଦ୍ଧ୍ବ ହୋଇଥିବାବେଳେ ମହାନଗର ନିଗମରେ ରହିଛି 41ଟି ୱାର୍ଡ । ଆଉ ଏତେ ବଡ଼ ଅଞ୍ଚଳରେ ପାନୀୟ ଜଳର ଚାହିଦା ମେଣ୍ଟେଇବା ସାଧାରଣ କଥା ନୁହେଁ । ତେବେ ସମ୍ବଲପୁରରେ ହୀରାକୁଦ ଡ୍ୟାମ ଥିବା ଯୋଗୁଁ ଏଠାରେ ଜଳ ସମସ୍ୟା ଉପୁଜି ନଥାଏ । ମାତ୍ର ପାନୀୟ ଜଳ ଯୋଗାଣ ବ୍ୟବସ୍ଥାରେ ତ୍ରୁଟି ଥିବାରୁ ସହରରେ ପର୍ଯ୍ୟାପ୍ତ ଜଳସ୍ରୋତ ଥାଇ ମଧ୍ୟ ସମସ୍ୟା ଉପୁଜୁଛି । ସହରର ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ଉପରେ ନଜର ପକାଇଲେ ଏହାର ମୁଖ୍ୟ ଜଳସ୍ରୋତ ହେଉଛି ହୀରାକୁଦ ଜଳ ଭଣ୍ଡାର । ହୀରାକୁଦ ଜଳଭଣ୍ଡାରରୁ ପାଣି ଉଠାଯାଇ ପ୍ରଥମେ ଏହା ହୀରାକୁଦ ସହର, ବୁର୍ଲା ସହର ଓ ସମ୍ବଲପୁର ସହରରକୁ ଆସିଥାଏ । ଏହି ପାଣି ହୀରାକୁଦ, ବୁର୍ଲା, ସମ୍ବଲପୁରର ବାରେଇପାଲି ଓ ମୁଦୀପଡାର ଟ୍ରିଟମେଣ୍ଟ ପ୍ଲାଣ୍ଟରେ ଜଳ ବିଶୋଧନ ହେବା ପରେ ସହରର ବିଭିନ୍ନ ଅଞ୍ଚଳକୁ ପାନୀୟ ଜଳ ଯୋଗାଣ ହୋଇଥାଏ । ତେବେ ସହରରେ ପର୍ଯ୍ୟାପ୍ତ ପରିମାଣର ଜଳ ଯୋଗାଣ ହେଉଥିଲେ ମଧ୍ୟ କେତେକ ଲୋକ ମୋଟର ଲଗାଇ ଆବଶ୍ୟକ ଠାରୁ ଅଧିକ ପରିମାଣର ପାଣି ନେଇ ଯିବାରୁ ପାଣିର ସୁବଣ୍ଟନ ହୋଇପାରୁନି । ଫଳରେ କେତେକ ସ୍ଥାନକୁ ପାଣି ପହଞ୍ଚି ପାରୁନଥିବା ଅଭିଯୋଗ ହୋଇଛି ।
ସମ୍ବଲପୁର ମହାନଗର ନିଗମରେ ଦୈନିକ 40 ମିଲିୟନ ଲିଟର ପାନୀୟ ଜଳର ଚାହିଦା ରହିଛି । ଏଠାରେ ମୋଟ 71 ହଜାର 564 ଜଣ ପାନୀୟ ଜଳ ଗ୍ରାହକ ଅଛନ୍ତି । ଏମାନଙ୍କ ମଧ୍ୟରୁ 65 ହଜାର 263 ବୈଧ ଗ୍ରାହକ ଥିବାବେଳେ ବାକି ବେଆଇନ ଗ୍ରାହକ ଅଛନ୍ତି । ଅପହଞ୍ଚ ସ୍ଥାନର ଲୋକଙ୍କୁ ପାନୀୟ ଜଳ ଯୋଗାଣ ପାଇଁ 14ଟି ଟ୍ୟାଙ୍କରର ବ୍ୟବସ୍ଥା ରହିଛି । ପୂର୍ବରୁ କେବଳ 3ଟି ଓଭର ହେଡ ଟ୍ୟାଙ୍କର ଥିବାବେଳେ ବର୍ତ୍ତମାନ ଆହୁରି 8 ଟି ଓଭର ହେଡ ଟ୍ୟାଙ୍କର ତିଆରି ହୋଇଥିବା ସୂଚନା ଦେଇଛନ୍ତି ଜନ ସ୍ଵାସ୍ଥ୍ୟ ବିଭାଗ କର୍ତ୍ତୃପକ୍ଷ ଭାଗ୍ୟଧର ମହାନ୍ତି । ତେବେ ପାନୀୟ ଜଳର ପର୍ଯ୍ୟାପ୍ତ ଭଣ୍ଡାର ଥାଇ ମଧ୍ୟ କିଛି ଲୋକଙ୍କ ମାନମାନି ଯୋଗୁଁ ପାନୀୟ ଜଳ ସବୁ ଅଞ୍ଚଳକୁ ପହଞ୍ଚି ପାରୁନି ବୋଲି ମଧ୍ୟ ସେ ସ୍ୱୀକାର କରିଛନ୍ତି । ତେଣୁ ଆଗକୁ ମିଟର ବ୍ୟବସ୍ଥା ସହ 24 ଘଣ୍ଟିଆ ପାନୀୟ ଜଳ ଯୋଗାଣର ବ୍ୟବସ୍ଥା କରାଯିବ । ଏହାବ୍ୟତୀତ ବେଆଇନ ଭାବେ ପାନୀୟ ଜଳ ନେଉଥିବା ଲୋକଙ୍କୁ ଆଇନଗତ ପାଇପ କନେକ୍ସନ ଦିଆଯିବ ବୋଲି ଜନସ୍ବାସ୍ଥ୍ୟ ବିଭାଗ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।
ସମ୍ବଲପୁର ସହରରେ ଜଳସମ୍ପଦର ଅଭାଵ ନାହିଁ କାରଣ ଏଠାରେ ହୀରାକୁଦ ଜଳଭଣ୍ଡାର ସହ ମହାନଦୀ ରହିଛି । ତେବେ ତ୍ରୁଟିପୂର୍ଣ୍ଣ ଜଳ ଯୋଗାଣ ବ୍ୟବସ୍ଥା ଯୋଗୁଁ ଆଜି ବି ବହୁ ଅଞ୍ଚଳକୁ ପାନୀୟ ଜଳଯୋଗାଣ ଠିକରେ ହୋଇ ପାରୁନି । ତେଣୁ ପାନୀୟ ଜଳ ଯୋଗାଣର ବ୍ୟବସ୍ଥାରେ ସୁଧାର ଆଣିବାର ଆବଶ୍ୟକତା ରହିଛି ।
ସମ୍ବଲପୁରରୁ ବାଦଶାହ ଜୁସ୍ମନ ରାଣା, ଇଟିଭି ଭାରତ