ସମ୍ବଲପୁର: ଜିଲ୍ଲାର ଯୁଜୁମୁରା ଥାନା ଅନ୍ତର୍ଗତ ଝାଡୁମୁଣ୍ଡା ଗ୍ରାମରେ ହତ୍ୟାକାଣ୍ଡର ଶିକାର ହୋଇଥିବା ପରିବାର ଲୋକଙ୍କ ଥଇଥାନ ଉଦ୍ଦେଶ୍ୟରେ ଜିଲ୍ଲା ପ୍ରଶାସନକୁ ଭେଟିଛନ୍ତି ଗ୍ରାମବାସୀ । ଗତ କିଛି ଦିନ ତଳେ ବନ୍ୟଜନ୍ତୁ ଶିକାରୀମାନେ ସ୍ଥାନୀୟ ଜଣେ ଯୁବକଙ୍କ ଗଳା କାଟି ହତ୍ୟା କରିଥିଲେ, ଉକ୍ତ ଘଟଣାରେ ପୋଲିସ 13ଜଣଙ୍କୁ ଗିରଫ କରିଛି ।
ମୃତକଙ୍କ ପରିବାରର ଥଇଥାନ ପାଇଁ ଜିଲ୍ଲାପାଳଙ୍କ ନିକଟରେ ଗ୍ରାମବାସୀଙ୍କ ଦାବି ମିଳିଥିବା ସୂଚନା ମୁତାବକ, ଝାଡୁମୁଣ୍ଡା ଗ୍ରାମର ନିଳାମ୍ବର ବନଛୋର ନାମକ ଜଣେ 24 ବର୍ଷୀୟ ଯୁବକଙ୍କୁ ଗତ କିଛି ଦିନ ତଳେ ବନ୍ୟଜନ୍ତୁ ଶିକାରୀମାନେ ନିଜ ଅପରାଧକୁ ଲୁଚାଇବା ପାଇଁ ଉକ୍ତ ଯୁବକଙ୍କ ଗଳା କାଟି ହତ୍ୟା କରିଥିଲେ । ତେବେ ମୃତକଙ୍କ ସଂପର୍କୀୟ ବର୍ତ୍ତମାନ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
ମୃତକଙ୍କ ପତ୍ନୀ ସହ ତାଙ୍କର ଏକ 6 ମାସର ଶିଶୁ ଜୀବନ ଜୀବିକା ପାଇଁ ସଂଘର୍ଷ କରୁଥିବା ସୂଚନା ମିଳିଛି । ଏଭଳି ପରିସ୍ଥିତିରେ ଏହି ପରିବାରକୁ କିଛି ଆର୍ଥିକ ସହାୟତା ଦେବା ସହ ତାଙ୍କର ଥଇଥାନର ବ୍ୟବସ୍ଥା କରିବା ପାଇଁ ଗ୍ରାମବାସୀ ଜିଲ୍ଳାପାଳଙ୍କୁ ଭେଟି ଲିଖିତ ଭାବେ ସହାୟତା ପାଇଁ ଦାବି କରିଛନ୍ତି । ସରକାରୀ ଯୋଜନାରେ ବାସଗୃହ ସହ ଭତ୍ତାର ବ୍ୟବସ୍ଥା ଏବଂ କିଛି ଆର୍ଥିକ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଜିଲ୍ଲା ପ୍ରଶାସନ ନିକଟରେ ଦାବି କରିଥିବା ସୂଚନା ମିଳିଛି ।
ତେବେ ଜିଲ୍ଲାପାଳ ମୃତକଙ୍କ ପରିବାରର ବିଭିନ୍ନ ସମସ୍ୟା ସଂପର୍କରେ ଅବଗତ ହେବା ପରେ ସେମାନଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ପ୍ରତିଶୃତି ଦେଇଥିବା ଗ୍ରାମବାସୀ ସୂଚନା ଦେଇଛନ୍ତି ।
ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ