ଓଡିଶା

odisha

ETV Bharat / state

ଆଦର୍ଶ ବାହାଘର, ଅସହାୟ ଯୁବତୀଙ୍କ ବିବାହ କରାଇଲେ ଗ୍ରାମବାସୀ - ଅସହାୟ ଯୁବତୀଙ୍କ ବାହାଘର କଲେ ଗ୍ରାମବାସୀ

ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ସୁବର୍ଣ୍ଣପାଲି ପଞ୍ଚାୟତରେ ଆଦର୍ଶ ବିବାହ । ଅସହାୟ ଯୁବତୀଙ୍କ ବାହାଘର କଲେ ଗ୍ରାମବାସୀ । ବିନା ଯୌତୁକରେ ଦୀପାଙ୍କ ହାତ ଧରିଲେ ଜୟକୃଷ୍ଣ । ଅଧିକ ପଢ଼ନ୍ତୁ

ସମ୍ବଲପୁରରେ ଆଦର୍ଶ ବାହାଘର
unique marriage in sambalpur

By

Published : Feb 13, 2023, 11:54 AM IST

ଅସହାୟ ଯୁବତୀଙ୍କ ବିବାହ କରାଇଲେ ଗ୍ରାମବାସୀ

ସମ୍ବଲପୁର: ଚାଲିଛି ବୈଦିକ ରୀତିରେ ବିବାହ । ବେଦୀ ବନ୍ଧା ହୋଇଛି । ବେଦୀରେ ବସିଛନ୍ତି ବର କନ୍ୟା । ଅଗ୍ନିକୁ ସାକ୍ଷୀ ରଖି ଦୀପାର ହାତ ଧରିଛନ୍ତି ଜୟକୃଷ୍ଣ । ଏହି ଦୃଶ୍ୟ ହେଉଛି ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡ ଜମନକିରା ବ୍ଲକ ଡିମିରିମୁଣ୍ଡା ଶିବ ମନ୍ଦିରର । ପୂଜକଙ୍କ ମନ୍ତ୍ର ଧ୍ବନିରେ ପ୍ରକମ୍ପିତ ପୁରା ପରିବେଶ । ତେବେ ଏହା କୌଣସି ସାଧାରଣ ବାହାଘର ନୁହେଁ । ଏ ହେଉଛି ଏକ ଆଦର୍ଶ ବାହାଘର ।

ଏହି ବାହାଘର ହେଉଛି ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ସୁବର୍ଣ୍ଣପାଲି ପଞ୍ଚାୟତ ନୂଆଗାଁର ଝିଅ ଦୀପା ରାଉତଙ୍କ । ଦୀପାଙ୍କ ପରିବାରରେ ୬ ଭାଇ ଭଉଣୀ । ଛୋଟ ବେଳରୁ ବାପା ଆରପାରିକୁ ଚାଲିଗଲେ । ବାପା ଚାଲିଗଲା ପରେ ପରିବାର ବୋଝ ଝିଅର ମୁଣ୍ଡ ଉପରେ ଥିଲା । ତେବେ ଦୀପା କୁଲି ମଜୁରୀ କରି ଦିନ ମଜୁରିଆ ଭାବେ ନିଜର ପରିବାର ପ୍ରତିପୋଷଣ କରି ଆସୁଥିଲେ । ବାହା ହେବାର ବୟସ ହୋଇଥିଲେ ମଧ୍ୟ ଅର୍ଥ ସାଜିଥିଲା ବାଧକ । ହେଲେ ଆଜି ତାଙ୍କର ସ୍ବପ୍ନ ପୂରଣ ହୋଇଛି ।

ଦେବଗଡ ଜିଲ୍ଲା ବଲାଣୀ ଗ୍ରାମର ଜୟକୃଷ୍ଣଙ୍କ ସହିତ ରୀତିନୀତି ଅନୁସାରେ ବିବାହ କରିଛନ୍ତି ଦୀପା । ବାପା ନଥିବାରୁ ନିଜକୁ ଏକା ଅନୁଭବ କରୁଥିବା ଦୀପାଙ୍କୁ ଗ୍ରାମବାସୀ ଓ ମନ୍ଦିର କମିଟି ସହଯୋଗର ହାତ ବଢ଼େଇ ବିବାହ କରାଇଛନ୍ତି l ସେଥିପାଇଁ ସେ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏନେଇ ବରଙ୍କ ପିତା କହିଛନ୍ତି, "ବାପା ନଥିବା ଝିଅଟିକୁ ବିନା ଯୌତୁକରେ ଘରକୁ ବୋହୂ ରୂପରେ ନେଉଥିବାରୁ ବହୁତ ଖୁସି ଅନୁଭବ କରୁଛି ।" ଏହି ବାହାଘର ପାଇଁ ସହଯୋଗର ହାତ ବଢ଼ାଇଛନ୍ତି ଗ୍ରାମବାସୀ ଓ ଶଗଡେଶ୍ବର ମନ୍ଦିରର କମିଟି । ବାହାଘର ପରେ ଭୋଜିଭାତର ଆୟୋଜନ ମଧ୍ୟ ହୋଇଥିଲା । ଅନ୍ୟପଟେ ଝିଅକୁ ଆଶୀର୍ବାଦ ଦେବାପାଇଁ ବିଭିନ୍ନ ଅଞ୍ଚଳରୁ ଲୋକେ ବିବାହ ଉତ୍ସବକୁ ଆସିଥିଲେ ।

ନିଜ ସାଙ୍ଗରେ କିଛି ଉପହାର ମଧ୍ୟ ଆଣିଥିଲେ । ମନ୍ଦିରର ଜଣ ସଦସ୍ୟ କହିଛନ୍ତି ଯେ, ଏପରି ଏକ ଅନାଥ ଝିଅର ବିବାହ କରାଇ ସେମାନେ ବହୁତ ଖୁସି ଅନୁଭବ କରୁଛନ୍ତି । ଗ୍ରାମର ମହିଳାମାନେ ଘରୋଇ ଉପକରଣ ସାମଗ୍ରୀ ଓ କିଛି ଅର୍ଥ ମଧ୍ୟ ପ୍ରଦାନ କରିଥିବା ବେଳେ,କିଛି ବଦାନ୍ୟ ବ୍ୟକ୍ତିଙ୍କ ସହାୟତା ଦ୍ୱାରା ଭୋଜି ଭାତର ମଧ୍ୟ ଆୟୋଜନ ହୋଇଥିଲା । ତେବେ ଆଗକୁ ମଧ୍ୟ କେବେବି ଏପରି ବିବାହ କାର୍ଯ୍ୟ କରିବାକୁ ସୁଯୋଗ ମିଳିଲେ ସମସ୍ତ ପ୍ରକାରର ସାହାଯ୍ୟ ସହଯୋଗ ମନ୍ଦିର କମିଟି ଯୋଗାଇ ଦେବ ବୋଲି ସେ ପ୍ରକାଶ କରିଛନ୍ତି ।

ବାହାଘରରେ ଯୋଗଦାନ କରିବାକୁ ଆସିଥିବା ଲୋକେ ଏହିଭଳି ଆଦର୍ଶ ବାହାଘର ପ୍ରଥମ ଥର ଦେଖି ବହୁତ ଖୁସି ଅନୁଭବ କରିଥିବା କହିଛନ୍ତି । ଆଗାମୀ ଦିନରେ ଏମିତି ଆଦର୍ଶ ବିବାହ ହେଲେ ବହୁ ଗରିବ ଝିଅ ଉପକୃତ ହୁଅନ୍ତେ ବୋଲି ସ୍ଥାନୀୟ ଅଞ୍ଚଳରେ ପ୍ରକାଶ ପାଇଛି l

ଇଟିଭି ଭାରତ, ସମ୍ବଲପୁର

ABOUT THE AUTHOR

...view details