ସମ୍ବଲପୁର: ଦେବ ଦେବ ମହାଦେବଙ୍କ ବିବାହ ଉତ୍ସବରେ ସାମିଲ ହେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆଜି ସମ୍ବଲପୁର ଗସ୍ତରେ ଆସି ଧର୍ମେନ୍ଦ୍ର ଶୀତଳଷଷ୍ଠୀ ଯାତ୍ରା କମିଟିର କନ୍ୟା ପକ୍ଷ ଘରକୁ ଯାଇ ଦେବ ଦମ୍ପତିଙ୍କ ଯୁଗଳମୂର୍ତ୍ତି ଦର୍ଶନ କରିଛନ୍ତି l ଆଜି ଭୋର ସକାଳ 3.50 ମିନିଟ ସମୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ରେନ ଯୋଗେ ସମ୍ବଲପୁର ପହଞ୍ଚି ଏମସିଏଲ ଗେଷ୍ଟ ହାଉସକୁ ଯାଇଥିଲେ l ସେଠାରେ ସେ କିଛି ସମୟ ବିଶ୍ରାମ ନେବା ପରେ 10 ଟା 50 ମିନିଟ ସମୟରେ ସମ୍ବଲପୁର ଶାନ୍ତି ନଗରକୁ ଆସି ଠାକୁରପଡା ଶୀତଳଷଷ୍ଠୀ ଯାତ୍ରାର କନ୍ୟା ପିତା ମାତା ଘରେ ଦେବଦମ୍ପତିଙ୍କ ଯୁଗଳ ମୂର୍ତ୍ତି ଦର୍ଶନ କରିଥିଲେ l ଏହାପରେ ଜଗନ୍ନାଥ କଲୋନୀ, କୁଳୁଥିକାନୀ, ସିନ୍ଦୁରପଙ୍କ, ଅଇଁଠାପାଲି ସ୍ଥିତ ବିଭିନ୍ନ ଯାତ୍ରା କମିଟିର କନ୍ୟା ମାତାପିତାଙ୍କ ଘରକୁ ଯାଇ ଦେବ ଦମ୍ପତିଙ୍କ ଯୁଗଳ ମୂର୍ତ୍ତି ଦର୍ଶନ କରିଥିଲେ l
ସନ୍ଧ୍ୟାରେ ଧର୍ମେନ୍ଦ୍ର ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ବରୀ ମନ୍ଦିର ଯାଇ ମା’ଙ୍କ ଦର୍ଶନ ଲାଭ କରିଛନ୍ତି l ବିଳମ୍ବିତ ରାତ୍ରୀରେ ସମ୍ବଲପୁର ଶୀତଳ ଷଷ୍ଠୀ ଯାତ୍ରାର ନନ୍ଦପଡା, ଝାଡୁଆ ପଡା ସହ ଅନ୍ୟାନ୍ୟ ଯାତ୍ରା କମିଟିମାନଙ୍କରେ ଥିବା ଆଳତୀ କାର୍ଯ୍ୟକ୍ରମରେ ସାମିଲ ହେବାର କାର୍ଯ୍ୟକ୍ରମ ରହିଥିବା ନେଇ ସୂଚନା ରହିଛି l
ଏନେଇ ଧର୍ମେନ୍ଦ୍ର କହିଛନ୍ତି, ଶୀତଳଷଷ୍ଠୀ ଯାତ୍ରା ଭାଇଚାରାର ପର୍ବ l ଭାଗ୍ୟରେ ଥିଲେ ଦେବା ଦେବୀଙ୍କ ଦର୍ଶନ ମିଳେ l ଏହି ପର୍ବ ଶତାବ୍ଦୀ ଶତାବ୍ଦୀ ଧରି ଐତିହାସିକ ସହର ସମ୍ବଲପୁରରେ ହୋଇ ଆସୁଛି l ଏହି ପର୍ବ ପୁରୁଣା ସମ୍ପର୍କର, ଏପର୍ବ ସମ୍ବନ୍ଧ ର ବୋଲି କହିଥିଲେ କେନ୍ଦ୍ରମନ୍ତ୍ରୀ l