ଝାରସୁଗୁଡ଼ା:ଆସନ୍ତା 10 ତାରିଖରେ ଅନୁଷ୍ଠିତ ହେବ ଝାରସୁଗୁଡା ଉପନିର୍ବାଚନ । ୮ତାରିଖରେ ପ୍ରଚାର କାର୍ଯ୍ୟ ଶେଷ ହେବାକୁ ଥିବା ବେଳେ ହାତରେ ମାତ୍ର ଆଉ କିଛି ଘଣ୍ଟାର ଅପେକ୍ଷା । ଭୋଟରକୁ ଆକୃଷ୍ଟ କରିବା ପାଇଁ ଆଜି ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ତୁଙ୍ଗ ନେତା । ଏହି କ୍ରମରେ ବିଜେପି ମଧ୍ୟ କ୍ୟାମ୍ପେନ୍ ଜୋରଦାର କରିଛି । ବର୍ତ୍ତମାନ ନିର୍ବାଚନୀ ମୈଦାନରେ ନିଜେ ଟଙ୍କଧର ତ୍ରିପାଠୀ ସହ ବିଜେପିର ତୁଙ୍ଗ ନେତାମାନେ ପ୍ରଚାର କାର୍ଯ୍ୟରେ ଲାଗିଛନ୍ତି । ଶନିବାର କେନ୍ଦ୍ରମନ୍ତ୍ରୀ ବିଶେଶ୍ବର ଟୁଡୁ କିରିମିରା ବ୍ଲକ ଓ ଲାଇକେରା ବ୍ଲକରେ ଜୋରଦାର ପ୍ରଚାର କରିଛନ୍ତି । ମୁଖ୍ୟତଃ ସ୍ପଷ୍ଟ ଦିବା ଲୋକରେ ପୂର୍ବତନ ମନ୍ତ୍ରୀ ନବ ଦାସଙ୍କୁ ହତ୍ୟା କରାଯିବା ଘଟଣା ଓ 3 ମାସ ପରେ ମଧ୍ୟ ଏହି ଘଟଣାରେ ରାଜ୍ୟ ସରକାରଙ୍କ ନୀରବତାକୁ ସେ ମୁଦ୍ଦା କରି ଜନତାକୁ ଭୋଟ ମାଗିଛନ୍ତି ।
Jharsuguda Bypoll: ପ୍ରଚାରରେ କମ୍ପୁଛି ଝାରସୁଗୁଡା, ନବ ଦାସ ହତ୍ୟାକାଣ୍ଡ ନେଇ ବର୍ଷିଲେ ବିଶେଶ୍ବର - ଝାରସୁଗୁଡା ଉପନିର୍ବାଚନ
ହାତରେ ଆଉ କିଛି ଦିନ ସମୟ ରହିଥିବା ବେଳେ ପ୍ରଚାରରେ କମ୍ପୁଛି ଝାରସୁଗୁଡ଼ା । ଶନିବାର କେନ୍ଦ୍ରମନ୍ତ୍ରୀ ବିଶେଶ୍ବର ଟୁଡୁ ଝାରସୁଗୁଡ଼ା ଉପନିର୍ବାଚନ ପ୍ରଚାର ମୈଦାନକୁ ଓହ୍ଲାଇଥିବା ବେଳେ ନବ ଦାସ ହତ୍ୟାକାଣ୍ଡକୁ ମୁଦ୍ଦା କରି ଭୋଟ ମାଗିଛନ୍ତି । ଅଧିକ ପଢନ୍ତୁ
ଝାରସୁଗୁଡା ଜିଲ୍ଲାର ଅନ୍ୟତମ ପ୍ରମୁଖ ବ୍ଲକ ହେଉଛି କିରିମିରା ବ୍ଲକ । ପୂର୍ବରୁ ଏହି ବ୍ଲକଟି କଂଗ୍ରେସର ଅଭେଦ୍ୟ ଦୁର୍ଗ ଥିଲା । ପରବର୍ତ୍ତୀ ସମୟରେ ନବ ଦାସ ବିଜେଡିରେ ଯୋଗ ଦେବା ପରେ ଏହି ବ୍ଲକରେ ଏବେ ବିଜେଡିର ଦବଦବା ରହିଛି l ଏହି ବ୍ଲକରେ ମୋଟ 33901 ଜଣ ଭୋଟର ଅଛନ୍ତି । ଏମାନଙ୍କ ମଧ୍ୟରୁ 16743 ଜଣ ପୁରୁଷ ଭୋଟର ଥିବା ବେଳେ 17156 ମହିଳା ଓ ଅନ୍ୟାନ୍ୟ 2 ଜଣ ଅଛନ୍ତି । ଏଠାରେ 35ଟି ବୁଥ ରହିଛି । ଝାରସୁଗୁଡା ବିଜୟରେ ଲାଇକେରା ପରେ ଏହି ବ୍ଲକର ଭୋଟରଙ୍କ ଭୋଟ ନିର୍ଣ୍ଣାୟକ ହୋଇଥାଏ । ତେଣୁ ବର୍ତ୍ତମାନ ଏହି ବ୍ଲକରେ କେନ୍ଦ୍ରମନ୍ତ୍ରୀ ବିଶେଶ୍ବ ଟୁଡୁ, ରେଙ୍ଗାଲି ବିଧାୟକ ନାଉରୀ ନାଏକ ପ୍ରମୁଖ ପ୍ରଚାର ଜୋର୍ସୋର୍ରେ କରୁଛନ୍ତି । 23 ବର୍ଷ ଶାସନ କାଳରେ ବିଜେଡିର ବିଭିନ୍ନ ଦୁର୍ନୀତି, ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡ଼ିବା, ସ୍ଥାନୀୟ କଳ କାରଖାନାରେ ସ୍ଥାନୀୟ ଯୁବକ ଯୁବତୀଙ୍କୁ ନିଯୁକ୍ତି ନମିଳିବା, ପ୍ରଦୂଷଣ ପରି ମୁଦ୍ଦା ସହ ଦିବାଲୋକରେ ନବ ଦାସଙ୍କ ହତ୍ୟାକାଣ୍ଡକୁ ପ୍ରମୁଖ ମୁଦ୍ଦା କରିଛନ୍ତି କେନ୍ଦ୍ରମନ୍ତ୍ରୀ ।
ଏନେଇ ମନ୍ତ୍ରୀ ବିଶେଶ୍ବର ଟୁଡୁ କହିଛନ୍ତି,"ସ୍ପଷ୍ଟ ଦିବାଲୋକରେ ଜଣେ ପାଓ୍ବାରଫୁଲ୍ ମନ୍ତ୍ରୀଙ୍କୁ ହତ୍ୟା କରାଗଲା ତଥାପି ରାଜ୍ୟ ସରକାର କିଛି କରିପାରିଲେ ନାହିଁ । ଆଜି ପର୍ଯ୍ୟନ୍ତ ଏହି ହତ୍ୟାକାଣ୍ଡ ଘଟଣାର କାରଣ ସ୍ପଷ୍ଟ ହୋଇ ପାରିନଥିବା ବେଳେ ରାଜ୍ୟ ସରକାର ନୀରବ ରହିଛନ୍ତି । ଆଉ ଅନ୍ୟପଟେ ଲୋକଙ୍କୁ ଭୋଟ୍ ମାଗୁଛି ଦଳ । ଏହା ଏକ ଲଜ୍ଜାଜନକ ବିଷୟ ଅଟେ । ଏହି ସରକାର କେବଳ କ୍ଷମତାକୁ କଳେବଳେ କୌଶଳେ ନିଜ ହାତରେ ରଖିବାକୁ ଚାହୁଁଛନ୍ତି । ବର୍ତ୍ତମାନ ଜନତା ସବୁ ଜାଣି ପାରିଛନ୍ତି । ଏଥର ଠିକ୍ ଲୋକଙ୍କୁ ବାଛିବେ ଜନତା ।"
ଏହାସହ ଚଳିତ ଥର ସିମ୍ପାଥି ଭୋଟ୍ ବିଜେଡିକୁ ମିଳିବନି ବୋଲି କହିଛନ୍ତି ମନ୍ତ୍ରୀ । କିରିମିରା ବ୍ଲକରେ ବାଇକ୍ ରାଲି କରିବା ସହ ସେ ବିଭିନ୍ନ ସ୍ଥାନରେ ସଭା ସମିତି କରି ଲୋକଙ୍କୁ ଭୋଟ ମାଗିଛନ୍ତି । ଏହାସହ ଚଳିତ ଥର ସରକାରୀ କଳ ଓ ଅର୍ଥ ବଳ କାମରେ ଆସିବନି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ।