ସମ୍ବଲପୁର: ଅବହେଳିତ ସହରର ପୁରାତନ ସରକାରୀ ବସଷ୍ଟାଣ୍ଡ l ଏହି ସରକାରୀ ବସଷ୍ଟାଣ୍ଡକୁ ଦୈନିକ ରାଜ୍ୟର ସବୁ ଜିଲ୍ଲାରୁ ସରକାରୀ ବସ ଚଳାଚଳ କରୁଥିବା ବେଳେ ଶହ ଶହ ଯାତ୍ରୀ ମଧ୍ୟ ଯିବା ଆସିବା କରୁଛନ୍ତି l ହେଲେ ଏହି ସ୍ଥାନରେ ପରିମଳ ବ୍ୟବସ୍ଥାର କୌଣସି ସୁବିଧା ନାହିଁ । ଏନେଇ ଯାତ୍ରୀଙ୍କ ସହ ସାଧାରଣ ଜନତା ଓ ବ୍ୟବସାୟୀ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି l ତେଣୁ ଏହି ସ୍ଥାନର ବିପର୍ଯ୍ୟସ୍ତ ପରିମଳ ସମସ୍ୟା ସୁଧାରିବାକୁ ଦାବି କରିଛି ସରକାରୀ ବସଷ୍ଟାଣ୍ଡ ବ୍ୟବସାୟୀ ସଙ୍ଘ l ସମ୍ବଲପୁରର ପୁରୁଣା ବସଷ୍ଟାଣ୍ଡ ବ୍ୟବସାୟୀ ସଂଘ ପକ୍ଷରୁ ଗତକାଲି(ମଙ୍ଗଳବାର) ବସଷ୍ଟାଣ୍ଡର ବିପର୍ଯ୍ୟସ୍ତ ପରିମଳ ସମସ୍ୟା ନେଇ ଏକ ଦାବିପତ୍ର ସମ୍ବଲପୁର ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି ।
ସମ୍ବଲପୁରର ଏହି ପୁରୁଣା ବସଷ୍ଟାଣ୍ଡର ବ୍ୟବସାୟୀ ସଂଘର ସଭାପତି ମୋହନ ସାହାଙ୍କ ନେତୃତ୍ବରେ ବସଷ୍ଟାଣ୍ଡରେ ବିପର୍ଯ୍ୟସ୍ତ ହୋଇ ପଡିଥିବା ପରିମଳ ବ୍ୟବସ୍ଥା ସୁଧାର ଆଣିବାକୁ ପ୍ରଶାସନ ନିକଟରେ ଦାବି ହୋଇଛି । ସଂଘ ପକ୍ଷରୁ ଅଭିଯୋଗ କରାଯାଇଛି ଯେ, ଗତ କିଛି ବର୍ଷ ହେବ ସମ୍ବଲପୁରର ଏହି ପୁରୁଣା ସରକାରୀ ବସଷ୍ଟାଣ୍ଡ ଅଞ୍ଚଳରେ ସଫେଇ କାର୍ଯ୍ୟ ଠିକ୍ ଭାବେ କରାଯାଉ ନାହିଁ । ଏହା ଯୋଗୁଁ ଏହି ଅଞ୍ଚଳରେ ଥିବା ଡ୍ରେନଗୁଡିକ ପୋତି ହୋଇଯିବା ସହ ଗନ୍ଧମୟ ପରିବେଶ ସୃଷ୍ଟି ହୋଇଛି । ଆଉ ଯଦି ଆକସ୍ମିକ ଭାବରେ କେବେ କେମିତି ଡ୍ରେନଗୁଡିକ ସଫେଇ ହେଉଛି ତାହେଲେ ମାସକରେ ଥରେ ହେଉଛି । ପୁଣି ଡ୍ରେନରୁ ବାହାରୁଥିବା ଆବର୍ଜନାଗୁଡିକ ଉଠା ଯାଉନାହିଁ ବୋଲି ଅଭିଯୋଗ ହୋଇଛି ।