ସମ୍ବଲପୁର: ପଶ୍ଚିମ ଓଡିଶାର ସଂସ୍କୃତିର ଅନନ୍ୟ ପରିଚୟ ସମ୍ବଲପୁରୀ ବସ୍ତ୍ର। ସୁନ୍ଦର କାରିଗରୀ ଓ ମନଲୋଭା ଡିଜାଇନ ପାଇଁ ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ଏହାକୁ ବେଶ୍ ଖ୍ୟାତି ମିଳିଛି । ଇନ୍ଦିରା ଗାନ୍ଧୀଙ୍କ ଠାରୁ ଆରମ୍ଭ କରି ବିଦ୍ୟା ବାଲନଙ୍କ ପର୍ଯ୍ୟନ୍ତ ସେ ରାଜନୀତି ହେଉ ବା ସିନେମା ସବୁଠି ରହିଛି ସମ୍ବଲପୁରୀ ବସ୍ତ୍ରର ଛାପ । ଦେଖିବାକୁ ଯେତିକି ସୁନ୍ଦର ପିନ୍ଧିବା ପାଇଁ ସେତିକି ଆରାମଦାୟକ ଏହି ବସ୍ତ୍ର । ତେବେ ଏହା କେମିତି ତିଆରି ହୁଏ, କେତେ ସମୟ ଲାଗେ ଓ କେଉଁ ସବୁ ଜିନିଷର ବ୍ୟବହାର ହୁଏ ତାହା ଜାଣିବା ପାଇଁ ଆମେ ପହଁଞ୍ଚିଥିଲୁ ଏହି ସୁନ୍ଦର ହସ୍ତତନ୍ତର ବୁଣାକାରଙ୍କ ପାଖରେ ।
ସମ୍ବଲପୁରୀ ବସ୍ତ୍ର ବା ସମ୍ବଲପୁରୀ ଶାଢ଼ୀ। ଏହା ମୁଖ୍ୟତଃ ଅବିଭକ୍ତ ସମ୍ବଲପୁର ଜିଲ୍ଲାର ଏକ ବାନ୍ଧ କଳା ବା ହସ୍ତତନ୍ତ। ଏହାକୁ ମୁଖ୍ୟତଃ ପଶ୍ଚିମ ଓଡି଼ଶାର ଭୁଲିଆ ବା ମେହେର ସମ୍ପ୍ରଦାୟର ବୁଣାକାରମାନେ ତିଆରି କରନ୍ତି । ସମ୍ବଲପୁରୀ ବସ୍ତ୍ର ବା ହସ୍ତତନ୍ତ ପାଇଁ ଆବଶ୍ୟକ ହୋଇଥାଏ ସୂତା ଓ ରଙ୍ଗ । ଆଉ ଏହାକୁ ପାରମ୍ପରିକ ବୁଣିବା ଯନ୍ତ୍ର ‘ମଙ୍ଗା’ ସାହାଯ୍ୟରେ ବୁଣା ଯାଇଥାଏ। ଗୋଟିଏ ସମ୍ବଲପୁରୀ ଶାଢ଼ୀ ତିଆରି କରିବାକୁ ସପରିବାର ଶ୍ରମଦାନ କରନ୍ତି। ଏହି କାର୍ଯ୍ୟ ପାଇଁ 3 ରୁ 5 ଜଣ ସଦସ୍ୟ ଦୈନିକ 15 ଘଣ୍ଟା ପରିଶ୍ରମ କରନ୍ତି। ସୂତାରେ ରଙ୍ଗ ବୋଳିବା ଓ ବାନ୍ଧିବା ମୁଖ୍ୟତଃ ମହିଳା ସଦସ୍ୟ କରନ୍ତି। ଏହାପରେ ଡିଜାଇନ ଅନୁସାରେ ଶାଢ଼ୀ ବୁଣିବାର କାର୍ଯ୍ୟ ପୁରୁଷ ସଦସ୍ୟ କରନ୍ତି । ଗୋଟିଏ ସାଧାରଣ ଶାଢ଼ୀ ତିଆରି ପାଇଁ 2 ରୁ 7 ଦିନ ପର୍ଯ୍ୟନ୍ତ ଲାଗୁଥିବାବେଳେ ଭଲ କଳାତ୍ମକ ଡିଜାଇନର ଶାଢ଼ୀ ବୁଣିବାକୁ 8 ଦିନରୁ ଗୋଟିଏ ମାସ ପର୍ଯ୍ୟନ୍ତ ଲାଗିଥାଏ। ସେ ଯେକୌଣସି ଶାଢ଼ୀ ପାଇଁ 6 ରୁ 7 ବଣ୍ଡଲ 120 ନମ୍ବର ସୂତା ଲାଗିଥାଏ। ସାମଗ୍ରୀକ ଭାବେ ଯେ କୌଣସି ଶାଢ଼ୀ ତିଆରି ପାଇଁ 700 ଟଙ୍କାରୁ 800 ଟଙ୍କାର ସୂତା ଓ ରଙ୍ଗ ଆବଶ୍ୟକ ହୋଇଥାଏ। ଏହି ସବୁ ସାମଗ୍ରୀ ମୁଖ୍ୟତଃ ବରଗଡ଼ ଜିଲ୍ଲାରେ ଉପଲବ୍ଧ। ତେବେ ବଡ଼ କଥା ହେଲା ଜଣେ ବ୍ୟକ୍ତି ଏକାକୀ ଗୋଟିଏ ମାସରେ ଗୋଟିଏ ବି ସମ୍ବଲପୁରୀ ଶାଢ଼ୀ ବୁଣି ପାରିବ ନାହିଁ ।