ସମ୍ବଲପୁର: କୋଭିଡ଼-19 ମୁକାବିଲା ପାଇଁ ବର୍ତ୍ତମାନ ସାରା ରାଜ୍ୟରେ ଲକଡାଉନ ଜାରି ରହିଛି । ଲକଡାଉନ ସତ୍ତ୍ବେ ଦିନକୁ ଦିନ ରାଜ୍ୟରେ କୋରୋନା ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏଭଳି ପରିସ୍ଥିତିରେ ଲକଡାଉନକୁ ସମର୍ଥନ କରି ସଚେତନ ହୋଇ ଲୋକ ମଧ୍ୟ ଘରୁ ବାହାରୁ ନାହାଁନ୍ତି । ସମ୍ବଲପୁର ଜିଲ୍ଲା ମଧ୍ୟ ଲକଡାଉନ ପାଇଁ ବନ୍ଦ ଥିବାବେଳେ ଏହାର ପ୍ରଭାବରେ ଦୋକାନ ବଜାର ବନ୍ଦ ରହିଛି ।
ଯଦ୍ବାରା ବହୁ ଲୋକ ପ୍ରଭାବିତ ହେଉଛନ୍ତି । ଏହି ଘଡିସନ୍ଧି ମୁହୂର୍ତ୍ତରେ ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡର ଏକ ଡାକ୍ତର ଦମ୍ପତ୍ତିଙ୍କ କାର୍ଯ୍ୟ ଚର୍ଚ୍ଚାର ବିଷୟ ହୋଇଛି । ସମ୍ବଲପୁର କୁଚିଣ୍ଡା ଉପଖଣ୍ଡସ୍ତରୀୟ ସରକାରୀ ହସ୍ପିଟାଲରେ କାର୍ଯ୍ୟରତ ଥିବା ଡାକ୍ତର ଦମ୍ପତି ହସ୍ପିଟାଲରେ ଭର୍ତ୍ତି ହୋଇଥିବା ରୋଗୀଙ୍କ ସମ୍ପର୍କୀୟମାନଙ୍କୁ ମାଗଣାରେ ଘର ତିଆରି ଖାଦ୍ୟ ଯୋଗାଉଛନ୍ତି । ଡାକ୍ତର ସତ୍ୟ ପ୍ରକାଶ ଦୋରା ଓ ତାଙ୍କର ପତ୍ନୀ ଡାକ୍ତର ଜ୍ୟୋଷ୍ଣା ପ୍ରଧାନ ପ୍ରତ୍ୟେକ ଦିନ ନିଜ ଘରେ 30 ରୁ 35 ଜଣ ଲୋକଙ୍କ ପାଇଁ ଖାଦ୍ୟ ତିଆରି କରି ରୋଗୀଙ୍କ ସମ୍ପର୍କୀୟଙ୍କୁ ଖାଦ୍ୟ ଯୋଗାଉଛନ୍ତି ।