ସମ୍ବଲପୁର: କୁହାଯାଏ କି ସ୍ରଷ୍ଟାଙ୍କ ପ୍ରତିଟି ସୃଷ୍ଟି ପଛରେ ରହିଛି କିଛି ଭିନ୍ନ ଉଦ୍ଦେଶ୍ୟ । ପ୍ରତ୍ୟେକଙ୍କ ପାଖରେ ଥାଏ କିଛି ନା କିଛି ଭିନ୍ନ ଗୁଣ । ତେବେ ବିଧାତାଙ୍କର ଏହି ଅବଦାନକୁ ବାସ ନିଜ ଭିତରେ ଖୋଜି ପାରିବା ଦରକାର । ଆଜି ଆମେ କହୁଛୁ ସରଧାପାଲି ଅଞ୍ଚଳ ସାପଲହରା ଗାଁର 16 ବର୍ଷୀୟ ପ୍ରକାଶ ମିର୍ଧାଙ୍କ କଥା । ଜନ୍ମ ବେଳୁ ଆଖି ଦେଇ ନାହାଁନ୍ତି ଭଗବାନ । ହେଲେ ଏଥିରେ କେବେ କ୍ଷୋଭ ପ୍ରକାଶ କରିନାହାଁନ୍ତି ପ୍ରକାଶ କି ତାଙ୍କ ପରିବାର ।
ଭିଡିଓ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର ଗୋଟିଏ ଇନ୍ଦ୍ରିୟ ନଥାଇ ହୁଏତ ସେ ସାଧାରଣ ମଣିଷଙ୍କଠାରୁ ଭିନ୍ନ ହୋଇପାରନ୍ତି କିନ୍ତୁ ତାଙ୍କ ପ୍ରତିଭାରେ ସେ ଅନେକଙ୍କୁ ପଛରେ ପକାଇଛନ୍ତି । ବିନା କୌଣସି ପ୍ରଶିକ୍ଷଣରେ ସେ ବଜାଇପାରନ୍ତି ବାଦ୍ୟ ଯନ୍ତ୍ର । ହେଲେ ସେ ବାଦ୍ୟ ଯନ୍ତ୍ର ହାତରେ ନୁହେଁ ବରଂ ପାଟିରେ ସେ ସବୁର ଶବ୍ଦ କାଢନ୍ତି ପ୍ରକାଶ । ଆଖିରେ ନଦେଖିଲେ ତାଙ୍କ ପ୍ରତିଭାକୁ କେହି ସହଜରେ ବିଶ୍ବାସ କରିବେନି । ସୁର, ଲୟ ଓ ତାଳର ଅଦ୍ଭୁତ ମିଳନ ଦେଖିବାକୁ ମିଳେ ତାଙ୍କ ମୁଖବାଦ୍ୟରେ ।
ଝାରସୁଗୁଡାର ଝାଡେଶ୍ବରୀ ସ୍ବତନ୍ତ୍ର ସ୍କୁଲରେ 5ମ ଯାଏଁ ପାଠ ପଢିଛନ୍ତି ନନ୍ଦଲାଲ ମିର୍ଧା ଓ ପଦ୍ମିନୀ ମିର୍ଧାଙ୍କ ପୁଅ ପ୍ରକାଶ ମିର୍ଧା । ସଙ୍ଗୀତ ପ୍ରତି ତାଙ୍କର ଦୁର୍ବଳତା ତାଙ୍କୁ ବେଶି ଦିନ ସ୍କୁଲ ସହ ବାନ୍ଧି ରଖିପାରିନଥିଲା । ଫଳରେ ଘରକୁ ଫେରି ନିଜସ୍ବ ଉଦ୍ୟମରେ ସେ ଆରମ୍ଭ କରିଥିଲେ ସଙ୍ଗୀତ ସାଧନା । ମୁହଁରେ ବିଭିନ୍ନ ବାଦ୍ୟ ଯନ୍ତ୍ରର ଶବ୍ଦ କାଢିବା ସହ ବେଳେ ମୃଦଙ୍ଗ ବଜେଇ ସମ୍ବଲପୁରୀ ଗୀତ ଗାଇବାକୁ ପସନ୍ଦ କରନ୍ତି ପ୍ରକାଶ । ତାଙ୍କ ମୁହଁରୁ କୋଇଲିର କୁହୁତାନ ଶୁଣିଲେ କିଛି କ୍ଷଣ ପାଇଁ ଯେକେହି ବି ଅଟକିଯିବ । ତେବେ ପ୍ରକାଶଙ୍କ ମୁହଁରୁ ବିଭିନ୍ନ ବାଦ୍ୟର ଫ୍ୟୁଜନ ଶୁଣିବା ପାଇଁ ଅନେକ ଆଗ୍ରହୀ ।
ଦୃଷ୍ଟିହୀନ ହେବା ସତ୍ତ୍ବେ ବିନା କୌଣସି ସହାୟତାରେ ରାସ୍ତା ଚାଲିବା, ଫୋନରୁ କଲ୍ କରିବା ଓ ନୋଟ୍ ଆଦି ଚିହ୍ନିପାରନ୍ତି ପ୍ରକାଶ । ପ୍ରକାଶଙ୍କ ଏହି ପ୍ରତିଭା ଅନେକଙ୍କୁ ଚକିତ କରେ । ତେଣେ ପୁଅର ପ୍ରତିଭା ପାଇଁ ବେଶ ଗର୍ବିତ ବାପା ମା’ । ହେଲେ ଆର୍ଥିକ ଅଭାବ ଦେଇ ଗତି କରୁଥିବା ପ୍ରକାଶଙ୍କ ପରିବାର ଏବେ ସରକାରୀ ସହାୟତାରେ ଆଶା ଲଗାଇ ବସିଛନ୍ତି । ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ଯଦି ପ୍ରକାଶଙ୍କୁ କିଛି ସରକାରୀ ସହାୟତା ମିଳନ୍ତା ତାହେଲେ ହୁଏତ ତାଙ୍କ ପ୍ରତିଭା ରାଜ୍ୟ ତଥା ଜାତୀୟସ୍ତରରେ ଗାଁ ଓ ରାଜ୍ୟ ପାଇଁ ଗର୍ବ ଆଣିପାରନ୍ତା ।
ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ