ସମ୍ବଲପୁର: ସମ୍ବଲପୁର ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ବିଭିନ୍ନ ଡିଗ୍ରୀ କଲେଜର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଦେଖାଯାଇଛି ଛାତ୍ର ଅଶାନ୍ତି । ଯୁକ୍ତ3ର ପ୍ରଥମ ସେମିଷ୍ଟାର ପରୀକ୍ଷା ବିଳମ୍ବକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏହି ଅଶାନ୍ତି ପ୍ରକାଶ ପାଇଛି ।
ସମ୍ବଲପୁର ବିଶ୍ୱବିଦ୍ୟାଳୟର ପରୀକ୍ଷା ପରିଚାଳନାକୁ ତୃଟିପୂର୍ଣ୍ଣ କହି ବୁଧବାର NSUI, ଛାତ୍ର ସଂଗଠନ ବରଗଡ଼ ନେତୃତ୍ୱରେ ଶହଶହ ଛାତ୍ରଛାତ୍ରୀ ଏକ ଶୋଭାଯାତ୍ରାରେ ଆସି ସମ୍ବଲପୁର ବିଶ୍ୱବିଦ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଯୁକ୍ତ 3ର ପ୍ରଥମ ସେମିଷ୍ଟାର ଗତ ଜାନୁଆରୀରେ ହେବାକୁ ଥିବାବେଳେ ତାହା ସେହି ସମୟରେ ନହୋଇ ଆସନ୍ତା ନଭେମ୍ବର ପ୍ରଥମ ସପ୍ତାହରେ ହେବ ବୋଲି ବିଶ୍ୱବିଦ୍ୟାଳୟ ନୋଟିସ ଜାରି କରିଛି ।
ସମ୍ବଲପୁର ବିଶ୍ୱବିଦ୍ୟାଳୟ ପରୀକ୍ଷା ପରିଚାଳନା ବିରୋଧରେ ଛାତ୍ର ଆନ୍ଦୋଳନ ଏଭଳି ସ୍ଥିତିରେ ଛାତ୍ରଛାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହେଉଥିବା NSUI ପକ୍ଷରୁ କୁହାଯାଇଛି । ତେଣୁ ଆସାଇନମେଣ୍ଟ ସମିଟ ମୋଡ ଅଥବା ଓପନ ବୁକ୍ ମୋଡରେ ପରୀକ୍ଷା କରେଇବାକୁ ଛାତ୍ର ସଂଗଠନ ପକ୍ଷରୁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଆଗରେ ଦାବି କରାଯାଇଛି ।
ଏହାସହ ଛାତ୍ରଛାତ୍ରୀଙ୍କ ସୁବିଧା ଅନୁସାରେ ଉଭୟ ଅନଲାଇନ ଓ ଅଫଳାଇନରେ ପରୀକ୍ଷା କରାଯାଉ ବୋଲି ଦାବି କରିଛି NSUI ଛାତ୍ର ସଙ୍ଗଠନ । ଏହାସହ ଛାତ୍ରଛାତ୍ରୀଙ୍କ ଖାଇବା, ରହିବା ଓ ଯିବାଆସିବା ଖର୍ଚ୍ଚ ବିଶ୍ୱବିଦ୍ୟାଳୟ ବହନ କରନ୍ତୁ ବୋଲି ଦାବି ହୋଇଛି । ଏନେଇ ବିଶ୍ୱବିଦ୍ୟାଳୟ କତ୍ତୃପକ୍ଷଙ୍କୁ ଏକ ଦାବି ପତ୍ର ପ୍ରଦାନ କରାଯାଇଛି ।
ତେବେ ଆସନ୍ତା ପୂଜା ଛୁଟି ପୂର୍ବରୁ ଏହି ସମସ୍ୟାର ସମାଧାନ କରିବାକୁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ପ୍ରତିଶ୍ରୁତି ଦେବା ପରେ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା ।
ସମ୍ବଲପୁରରୁ ବାଦଶାହା ଜୁସ୍ମନ ରାଣା,ଇଟିଭି ଭାରତ