ସମ୍ବଲପୁର: ଘଣ୍ଟ, ଘଣ୍ଟା, ମୃଦଙ୍ଗର ତାଳ ସାଙ୍ଗକୁ ପାରମ୍ପାରିକ ସଂଗୀତରେ ପ୍ରକମ୍ପିତ ହେବ ସମ୍ବଲପୁର ସହର । ଦେବୀ ପାର୍ବତୀଙ୍କ ପାଣିଗ୍ରହଣ ପାଇଁ ବରଯାତ୍ରୀଙ୍କୁ ନେଇ ବାହାରିବେ ଦେବ ଦେବ ମହାଦେବ । ଉତ୍କଳୀୟ ସଂସ୍କୃତିର ବିଭିନ୍ନ ପରମ୍ପରା ମଧ୍ୟରୁ ଶିବ ବିବାହ ବା ଶୀତଳ ଷଷ୍ଠୀ ଯାତ୍ରା ଏକ ଅନନ୍ୟ ପରମ୍ପରା । ସାମାଜିକ ରୀତିନିତିରେ ବିବାହ ଉତ୍ସବର ଏକ ସ୍ବତନ୍ତ୍ର ସ୍ଥାନ ରହିଛି, ଯାହା ମାନବୀୟ ଶୃଙ୍ଖଳା ସହ ଜଡିତ ବୋଲି ଏହି ଦେବ ବିବାହ ପ୍ରମାଣ କରେ । ପ୍ରାୟ 400 ବର୍ଷ ପୂର୍ବେ ସମ୍ବଲପୁରରେ ଶୀତଳ ଷଷ୍ଠୀ ଯାତ୍ରା ଅର୍ଥାତ ଶିବ ବିବାହ ପାଳନ ହେଉଥିବା ଐତିହାସିକଙ୍କ ମତ । ତେବେ ଆସନ୍ତୁ ଜାଣିବା କଣ ରହିଛି ଏହି ପରମ୍ପରା ପଛର କାହାଣୀ ।
ଶୀତଳଷଷ୍ଠୀ ଯାତ୍ରାର ଅର୍ଥ ହେଉଛି ଭଗବାନ ଶିବ ଓ ମାତା ପାର୍ବତୀଙ୍କ ବିବାହର ସମ୍ପୂର୍ଣ୍ଣ ପ୍ରକ୍ରିୟା । ଦେବ ଦମ୍ପତିଙ୍କ ବିବାହ ସମ୍ପୂର୍ଣ୍ଣ ମାନବୀୟ ଲୋକଚାର କରାଯାଇଥାଏ । 1678 ମସିହାରେ ସମ୍ବଲପୁରର ମହାରାଜା ବଳିୟାର ସିଂ, ଜଗନ୍ନାଥ ଦର୍ଶନ ପାଇଁ ପୁରୀ ଯାଇ ଥିବାବେଳେ ନିଜ ରାଜ୍ୟର ସୁପରିଚାଳନା ପାଇଁ ସେଠାରୁ କେତେକ ଉତ୍କଳୀୟ ବ୍ରାହ୍ମଣ ପରିବାରଙ୍କୁ ସମ୍ବଲପୁରକୁ ନେଇ ଆସିଥିଲେ । ଉତ୍କଳୀୟ ବ୍ରାହ୍ମଣମାନେ ନିଜ ସହ ନିଜ ଭାଷା, ସଂସ୍କୃତି ପରମ୍ପରାକୁ ଆଣିଥିଲେ । ଯେହେତୁ ଶୀତଳଷଷ୍ଠୀ ବା ଶିବ ବିବାହ ଜଗନ୍ନାଥ ସଂସ୍କୃତିର ଅଂଶ ବିଶେଷ ସେମାନେ ସମ୍ବଲପୁରରେ ଶୀତଳଷଷ୍ଠୀ ପାଳନ କରିବାକୁ ମନସ୍ଥ କଲେ ।
ସେତେବେଳେ ସମ୍ବଲପୁରର ବାଲିବନ୍ଧା ଠାରେ ଗୋଟିଏ ମାତ୍ର ଶିବାଳୟ ଥିଲା, ଯାହାକୁ ସୋମନାଥ ବାବା ବା ସାମିଆଁ ବାବା ମନ୍ଦିର କୁହାଯାଉଥିଲା । ଆଉ ରାଜାଙ୍କ ଅନୁମତି କ୍ରମେ 1679 ମସିହାରେ ଏହି ଉତ୍କଳୀୟ ବ୍ରାହ୍ମଣମାନେ ଏଠାରୁ ଆରମ୍ଭ କରିଥିଲେ ଶୀତଳଷଷ୍ଠୀ ଯାତ୍ରା । ପରବର୍ତ୍ତୀ ସମୟରେ ମହାରାଜା ଅଜିତ ସିଂଙ୍କ ସମୟରେ ମହାନଦୀ କୁଳ ନନ୍ଦପଡାରେ ରହୁଥିବା ଏହି ଉତ୍କଳୀୟ ବ୍ରାହ୍ମଣମାନେ ଯାତାୟାତରେ ଅସୁବିଧା ହେଉଥିବା କହି ନନ୍ଦପଡା ଠାରେ ଭଗବାନ ଶିବଙ୍କ ଏକ ମନ୍ଦିର ନିର୍ମାଣର ଦାବି ରଖିଥିଲେ ।