ସମ୍ବଲପୁର: ମା' ସମଲେଶ୍ୱରୀଙ୍କ ପୀଠ l ଏ ହେଉଛି ପଶ୍ଚିମ ଓଡିଶାର ଅନ୍ୟତମ ପ୍ରମୁଖ ଦେବୀ ପୀଠ । ପ୍ରତ୍ୟେକ ବର୍ଷ ଦଶହରାରେ ଏହି ପୀଠରେ ସ୍ୱତନ୍ତ୍ର ରୀତିନୀତିରେ ପୂଜା ହୋଇଥାଏ l ପ୍ରଥମ କଥା ହେଲା ସମଲେଶ୍ୱରୀ ମନ୍ଦିରରେ ବ୍ରାହ୍ମଣ ପରିବର୍ତ୍ତେ କ୍ଷତ୍ରୀୟମାନେ ପୂଜା କରିଆସୁଛନ୍ତି l ବିଗତ 10 ପିଢି ହେଲା ଚୌହାନ ବଂଶୀୟ କ୍ଷତ୍ରୀୟମାନେ ଏଠାରେ ପୂଜା କରୁଛନ୍ତି l ଶହ ଶହ ବର୍ଷ ହେଲା ଏହି ପରମ୍ପରା ଜାରି ରହିଛି l
ମୁଖ୍ୟତଃ ମୂଳାଷ୍ଟମୀ ବା ପୁଅ ଜୀଉଁନ୍ତିଆଁ ପର୍ବ ଠାରୁ ଏହି ପୀଠରେ ମା'ଙ୍କ ଷୋଡଶ ଉପଚାର ପୂଜା ଆରମ୍ଭ ହୋଇ ମହାଷ୍ଟମୀ ପର୍ଯ୍ୟନ୍ତ ଚାଲିଥାଏ l 16 ଦିନରେ ମା' 16 ଜ୍ୟୋତି ସ୍ୱରୂପରେ ପୂଜା ପାଆନ୍ତି l ପ୍ରତ୍ୟେକ ଦିନ ରାତି 8 ଟାରେ ହୋଇଥାଏ ପୂଜା l ଦୁର୍ଗା, ନାରାୟଣୀ, ଈଶାନୀ, ବିଷ୍ଣୁମାୟା, ଶିବା, ସତୀ, ନିତ୍ୟା, ସତ୍ୟା, ଭଗବତୀ, ସର୍ବାଣୀ, ସର୍ବ ମଙ୍ଗଳା, ଅମ୍ବିକା, ବୈଷ୍ଣବି, ଗୌରୀ, ପାର୍ବତୀ, ସନାତନୀ, ଆଦି 16ଟି ଜ୍ୟୋତି ସ୍ୱରୂପରେ 16 ଦିନ ଧରି ପୂଜା ପାଆନ୍ତି l
ଏହି ଭିତରେ ମହାଳୟା ତିଥିରେ ସମଲେଶ୍ୱରୀଙ୍କ ଗଙ୍ଗାବେଶରେ ମଧ୍ୟ ସଜ୍ଜିତ କରାଯିବାର ପରମ୍ପରା ରହିଛି l ମା'ଙ୍କ ଏହି ବେଶକୁ ଦର୍ଶନ କଲେ ଗଙ୍ଗାସ୍ନାନର ପୁଣ୍ୟ ମିଳିଥାଏ ବୋଲି ମାନ୍ୟତା ରହିଛି l ତେଣୁ ପ୍ରତ୍ୟେକ ବର୍ଷ ଶ୍ରାଦ୍ଧ ତର୍ପଣ ପରେ ବହୁ ଲୋକ ମା'ଙ୍କ ଏହି ଗଙ୍ଗାବେଶ ବା ଧବଳମୁଖୀ ବେଶର ଦର୍ଶନ କରନ୍ତି l