ଓଡିଶା

odisha

ସମ୍ବଲପୁର ଲୋକମହୋତ୍ସବ, ଦ୍ଵିତୀୟ ସନ୍ଧ୍ୟାରେ ଜମିଲା ଶ୍ରୀଲଙ୍କାର କାଣ୍ଡିଆନ ନାଚ

By

Published : Jan 15, 2023, 10:00 PM IST

ସମ୍ବଲପୁର ଅଇଁଠାପାଲି ସ୍ଥିତ ବିର୍ସାମୁଣ୍ଡା ମଇଦାନରେ ଆରମ୍ଭ ହୋଇଯାଇଛି ସମ୍ବଲପୁର ଲୋକ ମହୋତ୍ସବ 2023 । ମହୋତ୍ସବରେ ଦୁଲକୁଛି ସମ୍ବଲପୁର ସହର । ଅଧିକ ପଢ଼ନ୍ତୁ

Sambalpur Folk dance festival
ସମ୍ବଲପୁର ଲୋକମହୋତ୍ସବ

ସମ୍ବଲପୁର ଲୋକମହୋତ୍ସବ

ସମ୍ବଲପୁର:ଶୀତୁଆ ରାତିରେ ଜମୁଛି ସମ୍ବଲପୁର ଲୋକ ମହୋତ୍ସବ । ଏହି ସମ୍ବଲପୁର ଲୋକ ମହୋତ୍ସବ 2023କୁ ଆହୁରି ଅଧିକ ଆକର୍ଷିତ କରିବା ପାଇଁ କରାଯାଇଥିଲା ବିଭିନ୍ନ ଆୟୋଜନ । ଗତକାଲି(ଶୁକ୍ରବାର) ଏହି ମହୋତ୍ସବର ଉଦଘାଟନ ହୋଇଥିଲା । ଆଜି ଏହାର ଦ୍ବିତୀୟ ସନ୍ଧ୍ୟା । ଏହି ଦ୍ବିତୀୟ ସନ୍ଧ୍ୟାରେ ଦର୍ଶକଙ୍କ ମନ ମୋହିଥିଲା ଶ୍ରୀଲଙ୍କାର କାଣ୍ଡିଆନ ନାଚ । ସେହିଭଳି ପଞ୍ଜାବର ଭାଙ୍ଗଡ଼ା, ହରିୟାଣାର ଘୁମର ନାଚ ଦର୍ଶକଙ୍କ ମନ ମୋହିଥିଲା । ଏହି ଦ୍ଵିତୀୟ ସନ୍ଧ୍ୟାରେ ଉତ୍ତରାଞ୍ଚଳ RDC ସୁରେଶ ଚନ୍ଦ୍ର ଦଳାଇ, ଉତ୍ତରାଞ୍ଚଳ IG ଦୀପକ କୁମାର, ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ, ଏସପି ବାତୁଲା ଗଙ୍ଗାଧର ପ୍ରମୁଖ ଯୋଗଦେଇ ଦ୍ଵିତୀୟ ସନ୍ଧ୍ୟାର ଶୁଭାରମ୍ଭ କରିଥିଲେ ।

ଏହି ଅବସରରେ ଝାରସୁଗୁଡାର ବିଶିଷ୍ଟ ସମ୍ବଲପୁରୀ ଗୀତିକାର ଭୋଜରାଜ ପରୁଆଙ୍କୁ ସମ୍ବଲପୁର ଲୋକ ମହୋତ୍ସବ ପକ୍ଷରୁ ସମ୍ମାନିତ କରାଯାଇଥିଲା । ସମ୍ବଲପୁର ଲୋକ ମହୋତ୍ସବର ଦ୍ଵିତୀୟ ସନ୍ଧ୍ୟା ବେଶ ରଙ୍ଗାରଙ୍ଗ ଥିଲା । ପ୍ରଥମ ସନ୍ଧ୍ୟାରେ ଦର୍ଶକଙ୍କ ଭିଡ଼ ଟିକିଏ କମ୍ ଥିବା ବେଳେ ଦ୍ଵିତୀୟ ସନ୍ଧ୍ୟାରେ ଦର୍ଶକଙ୍କ ସଂଖ୍ୟା ବୃଦ୍ଧି ପାଇଥିଲା । ଦ୍ଵିତୀୟ ସନ୍ଧ୍ୟାରେ ଜିଲ୍ଲା, ରାଜ୍ୟ ତଥା ଦେଶ ବାହାରର କଳାକାର ଦର୍ଶକଙ୍କ ମନୋରଞ୍ଜନ କରିଥିଲେ । ଦ୍ୱିତୀୟ ସନ୍ଧ୍ୟାରେ ସଙ୍ଗୀତ ଅଧିବେଶନରେ ସ୍ଥାନୀୟ ଗାୟକ ଓ ଗାୟିକାମାନେ ସଙ୍ଗୀତ ଆସର ଜମେଇଥିଲେ ।

ପ୍ରଥମେ ଗାୟିକା ପ୍ରୀତିନନ୍ଦା ମିଶ୍ରଙ୍କ ଘଣ୍ଟ ବାଜୁଛେ 'ଶଙ୍ଖ ବାଜୁଛେ' ଭଜନରୁ ସାଂସ୍କୃତିକ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା । ଏହାପରେ ବିଭୁତି ପଟ୍ଟନାୟକ, ଈଶ୍ୱରୀ ବେହେରା ପ୍ରମୁଖଙ୍କ ଭଜନ ଦର୍ଶକଙ୍କୁ ବିମୁଗ୍ଧ କରିଥିଲା । ପରେ ଆରମ୍ଭ ହୋଇଥିଲା ସମ୍ବଲପୁର ଧନୁପାଲିର 'କଳା ଓ କଳାକାର' ଅନୁଷ୍ଠାନର ସମ୍ବଲପୁରୀ ନାଚ ।

ପରେ ସୁଦୂର ପଞ୍ଜାବରୁ ଆସିଥିବା କଳାକାର ଭାଙ୍ଗଡ଼ା ନୃତ୍ୟ ପରିବେଷଣ କରି ମଞ୍ଚ ଦୁଲୁକାଇ ଦେଇଥିଲେ । ସେହିପରି ଭବାନୀପାଟଣାରୁ ଆସିଥିବା ପ୍ରତିଭା ଅନୁଷ୍ଠାନର କଳାକାର ପରିବେଷଣ କରିଥିଲେ ସିଂହାରୀ ନୃତ୍ୟ । ଏହାପରେ ହରିୟାଣା ସୋନିପଥରୁ ଆସିଥିବା କଳାକାରଙ୍କ ଘୁମର ନୃତ୍ୟ ଦର୍ଶକଙ୍କ ମନ ଭିତରେ ଉନ୍ମାଦନା ଭରି ଦେଇଥିଲା । ପରେପରେ ସମ୍ବଲପୁର ନଟରାଜ ଅନୁଷ୍ଠାନର କଳାକାରଙ୍କ ଢାପ ନାଚ ଉପସ୍ଥିତ ଦର୍ଶକଙ୍କୁ ବେଶ ଅମୋଦିତ କରିଥିଲା ।

ଏହାପରେ ମଧ୍ୟ ପ୍ରଦେଶ ଆସିଥିବା କଳାକାର ବଧାଇ ନାଚ ପରିବେଷଣ କରିଥିଲେ । ପରେ ସବୁ ଦର୍ଶକଙ୍କ ଅପେକ୍ଷାର ଅନ୍ତ କରି ପରିବେଷିତ ହୋଇଥିଲା ଶ୍ରୀଲଙ୍କାର କାଣ୍ଡିଆନ ନାଚ । ଶ୍ରୀଲଙ୍କାରୁ ଆସିଥିବା 12 ଜଣିଆ କଳାକାର ଦଳର କାଣ୍ଡିଆନ ନାଚ ଦର୍ଶକଙ୍କୁ ଅନ୍ୟ ଦେଶର କଳା ସଂସ୍କୃତି ସହ ଯୋଡି ହେବାକୁ ଏକ ଅବସର ଦେଇଥିଲା । ପରେ ଶଢ଼େଇକଳା ଛଉ ନାଚ, ଆସାମର ବିହୁ, ମହାରାଷ୍ଟ୍ର ଲବଣି, ତେଲେଙ୍ଗାନାର ଲମବାଡ଼ି, ଭଦ୍ରକର ଭିଜନ ଓଡିଶା ସଂସ୍ଥାର ନୃତ୍ୟ ପରିବେଷଣ ହୋଇଥିଲା । ଆଗକୁ ମଧ୍ୟ ରାଜ୍ୟ ତଥା ରାଜ୍ୟ ବାହାରର ଲୋକ କଳାକାରଙ୍କ ନୂଆଁନୂଆଁ ଦଳ ସମ୍ବଲପୁର ଲୋକ ମହୋତ୍ସବରେ ସାମିଲ ହେବାକୁ ଯାଉଛନ୍ତି । ଦ୍ଵିତୀୟ ସନ୍ଧ୍ୟାରେ ସମ୍ବଲପୁରୀ ଲୋକଗୀତ ପାଇଁ ଭୋଜରାଜ ପରୁଆ ଓ ଲୋକ ସଙ୍ଗୀତ ପାଇଁ ଚିତ୍ତରଞ୍ଜନ ବେହେରାଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା ।

ସମ୍ବଲପୁରରେ ଆରମ୍ଭ ହୋଇଛି ସାଂସ୍କୃତିକ ମହାକୁମ୍ଭ ସମ୍ବଲପୁର ଲୋକ ମହୋତ୍ସବ 2023 । ଦୁଇ ବର୍ଷ ଧରି କୋରୋନା କଟକଣା ଯୋଗୁଁ ମହୋତ୍ସବ ଅନୁଷ୍ଠିତ ହୋଇ ପାରୁନଥିବା ବେଳେ ଚଳିତ ବର୍ଷଠାରୁ ଏହା ପୁଣି ଆରମ୍ଭ ହୋଇଛି । ଯାହାକୁ ନେଇ ସମ୍ବଲପୁରବାସୀ ଓ ଲୋକ କଳାକାରଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହୋଇଛି । ଶୁକ୍ରବାର ସନ୍ଧ୍ୟାରେ ସମ୍ବଲପୁର ଲୋକ ମହୋତ୍ସବରେ ରାଜ୍ୟ ବିଜ୍ଞାନ ଓ କାରିଗରୀ ତଥା ଭିନ୍ନକ୍ଷମ ଶସକ୍ତିକରଣ ମନ୍ତ୍ରୀ ଅଶୋକ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ ।
ଇଟିଭି ଭାରତ, ସମ୍ବଲପୁର

ABOUT THE AUTHOR

...view details