କଳା ହଳଦୀ ପତ୍ରରୁ ସୋଲାର ସେଲ୍ ସମ୍ବଲପୁର: ହଳଦୀ ପତ୍ରରୁ ସୋଲାର ପ୍ୟାନେଲ୍ ତିଆରି କରି ଚର୍ଚ୍ଚାରେ ସମ୍ବଲପୁରରର ବୈଜ୍ଞାନିକ ଦିବ୍ୟରାଜ ବେରିହା । ପୂର୍ବରୁ କଳା ହଳଦୀ ଉତ୍ପାଦନ ଓ ଗବେଷଣା କରି ବ୍ୟାଟେରୀ ତିଆରି କରିଥିବାବେଳେ ବର୍ତ୍ତମାନ କଳା ହଳଦୀ ପତ୍ରର ଅଂଶ ବିଶେଷରୁ Dye Sensitized Solar Cell ବା ସୋଲାର ପ୍ୟାନେଲ ତିଆରି କରିଛନ୍ତି। ପୁରୁଣା ସୋଲାର ପ୍ୟାନେଲ ତିଆରିରେ କଣ୍ଡକ୍ଟର ଗ୍ଲାସରେ ସିଲିକନ ବ୍ୟବହାର ହୋଇଆସୁଥିବାବେଳେ ବର୍ତ୍ତମାନ ସିଲିକନର ବିକଳ୍ପ ଭାବେ କଳା ହଳଦୀ ପତ୍ରର ପିଗମେଣ୍ଟରେ ଥିବା "କ୍ଲୋରୋଫିଲ"କୁ ବ୍ୟବହାର କରାଯିବ। ଆଉ ଏହି ସୋଲାର ସେଲ୍ ସାହାଯ୍ୟରେ ସୂର୍ଯ୍ୟ କିରଣରୁ ବିଦ୍ୟୁତ ଉତ୍ପାଦନ ହୋଇପାରିବ।
ମୁଖ୍ୟତଃ ପୁରୁଣା ଢାଞ୍ଚାର ସୋଲାର ପ୍ୟାନେଲକୁ 3G ଟାଇପ କୁହାଯାଉଥିଲା l ଏଥିରେ ବ୍ୟବହୃତ ହେଉଥିବା ସିଲିକନ ଉତ୍ପାଦନରେ ଏବେ ବିଶ୍ୱ ବଜାରରେ ଚୀନ ଓ ତାଇୱାନର ରାଜୁତି ରହିଛି l ତେବେ ସମ୍ବଲପୁରର ବୈଜ୍ଞାନିକ ଦିବ୍ୟରାଜ ବର୍ତ୍ତମାନ ସିଲିକ ର ବିକଳ୍ପ ଭାବେ କଳା ହଳଦୀ ଗଛର ପତ୍ରକୁ ବ୍ୟବହାର କରି ଏହି ସୋଲାର ପ୍ୟାନେଲ ତିଆରି କରିଛନ୍ତି l ଏଥିରେ ସେ Android ମୋବାଇଲର ଏକ କାଚର ଟୁକୁଡା ସହ କିଛି କେମିକାଲ ଓ କଳା ହଳଦୀ ପତ୍ର ଗୁଣ୍ଡର ପ୍ରଲେପ ଦେଇ ତିଆରି କରିଛନ୍ତି l ସମ୍ବଲପୁର ସହର ଉପକଣ୍ଠ ଖଣ୍ଡୁଆଳ ସ୍ଥିତ ନିଜର DR Biotech ଲ୍ୟାବରେ ସେ ଏହି ସୋଲାର ପ୍ୟାନେଲ ବା ସେଲ ତିଆରି କରିଛନ୍ତି ।
ବୈଜ୍ଞାନିକଙ୍କ ସୂଚନା ଅନୁସାରେ ସିଲିକନ ପରି କେମିକାଲ ପରିବେଶ ପାଇଁ ବହୁତ କ୍ଷତିକାରକ। ତେଣୁ ଗବେଷଣା କରୁ କରୁ ଏହାର ବିକଳ୍ପ ଭାବେ ସେ କଳା ହଳଦୀ ପତ୍ରର ଘନ ନୀଳ ଅଂଶକୁ ପାଇଥିଲେ ଆଉ ଏହାକୁ ସିଲିକନ ବଦଳରେ ବ୍ୟବହାର କରି ଏହି ସୋଲାର ପ୍ୟାନେଲ ତିଆରି କରିଛନ୍ତି l ଗଛର ପତ୍ର ଯେମିତି ସୂର୍ଯ୍ୟ କିରଣକୁ ବ୍ୟବହାର କରି ଖାଦ୍ୟ ପ୍ରସ୍ତୁତ କରିଥାଏ, ସେହି ଥିଓରୀକୁ ଅନୁକରଣ କରି ଏହି ସୋଲାର ପ୍ୟାନେଲ ନିର୍ମାଣ ପାଇଁ ସେ ପ୍ରେରଣା ପାଇଥିଲେ ବୋଲି କହିଛନ୍ତି l
ବର୍ତ୍ତମାନ ପରିଚାଳିତ ହେଉଥିବା ପୁରୁଣା ଢାଞ୍ଚାର ସୋଲାର ସେଲରେ ସିଲିକନ୍, ଗ୍ୟାଲିୟମ ଓ ଆର୍ସେନିକ ପରି ରାସାୟନିକ ପଦାର୍ଥ ବ୍ୟବହାର କରାଯାଉଛି। ଏହି ସବୁ ପଦାର୍ଥ ମୁଖ୍ୟତଃ ଚୀନ ଓ ତାଇୱାନରୁ ଆମଦାନୀ କରାଯାଇଥାଏ। ତେବେ ଏହି ସବୁ ରାସାୟନିକ ପଦାର୍ଥ ଯଥା ସିଲିକନର ବିକଳ୍ପ ଭାବେ କଳା ହଳଦୀ ପତ୍ରର pigmentକୁ ବ୍ୟବହାର କରି ଦିବ୍ୟରାଜ ତିଆରି କରିଛନ୍ତି ଅତ୍ୟାଧୁନିକ ସୋଲାର ସେଲ। ହଳଦୀ ପତ୍ରରୁ ନିର୍ମିତ ଏହି ସୋଲାର ପ୍ୟାନେଲକୁ ସରକାରୀ ପ୍ରୋତ୍ସାହନ ମିଳିଲେ ଏହା ଦେଶ ପାଇଁ ବଡ଼ ଉପଲବ୍ଧି ହେବ ବୋଲି ସେ କହିଛନ୍ତି । ବିଶ୍ୱରେ କେହି ବି ଏହାକୁ ନେଇ ଗବେଷଣା କରି ନାହାଁନ୍ତି ବୋଲି ସେ ଦାବି କରିବା ସହ ଏହାକୁ ନେଇ ପେଟେଣ୍ଟ ପାଇଁ ଆବେଦନ କରିବେ ବୋଲି କହିଛନ୍ତି ଦିବ୍ୟରାଜ l ତେବେ ଭାରତରେ ପେଟେଣ୍ଟ ପାଇବା ବହୁ କଷ୍ଟକର ହୋଇଥିବାରୁ ସେ ଜର୍ମାନୀ, ଯୁକ୍ତରାଷ୍ଟ୍ର ଆମେରିକା ଅଥବା ଆଫ୍ରିକା ପେଟେଣ୍ଟ ପାଇଁ ଆବେଦନ କରିବେ ବୋଲି ପ୍ରକାଶ କରିଛନ୍ତି l
ଇଟିଭି ଭାରତ, ସମ୍ବଲପୁର