ସମ୍ବଲପୁର:ପୋଷାକ ଓ ପର୍ବପର୍ବାଣୀ ପାଇଁ ନାଁ କରିଛି ସମ୍ବଲପୁର ଜିଲ୍ଲା । ବିଶେଷ କରି ପୋଷାକ ଓ ପର୍ବପର୍ବାଣୀ ପାଇଁ ପଶ୍ଚିମ ଓଡିଶାର ଖ୍ୟାତି ରହିଛି । ହସ୍ତତନ୍ତ ଓ ବସ୍ତ୍ର ଆଜି ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ପ୍ରସିଦ୍ଧି ପାଇ ସାରିଛି । ଏହାକୁ ଆଉ କୌଣସି ପରିଚୟର ଆବଶ୍ୟକତା ନାହିଁ । ସମ୍ବଲପୁରୀ ନୃତ୍ୟ, ଗୀତ, କଳା ସଂସ୍କୃତି ପାଇଁ ଏହା ପଶ୍ଚିମ ଓଡିଶା ତଥା ସମଗ୍ର ରାଜ୍ୟ ପାଇଁ ଗୌରବ ଆଣିଛି । ଏବେ ଆଉ ପାଦେ ଆଗକୁ ବଢିଛି ଜିଲ୍ଲା । ସମ୍ବଲପୁରୀ ଫେବ୍ରିକରୁ ତିଆରି ଅଳଙ୍କାର (କପଡାରୁ ତିଆରି ଗହଣା) ସମ୍ବଲପୁରୀ ବସ୍ତ୍ରର ପ୍ରଚାର ଓ ପ୍ରସାରରେ ଗୁରୁତ୍ୱପୂର୍ଣ ଭୂମିକା ତୁଲାଇଛି । ରାଜ୍ୟରେ ପ୍ରଥମ ଥର ପାଇଁ ସମ୍ବଲପୁରୀ ବସ୍ତ୍ରରୁ ତିଆରି ହୋଇଥିବା ବିଭିନ୍ନ ଅଳଙ୍କାର ସମ୍ବଲପୁରୀ ବଜାରରେ ଲଞ୍ଚ ହୋଇଛି । ଯାହାର ଦର ସୁହାଇଲା ପରି ରହିଛି । ଜିଲ୍ଲାସ୍ଥିତ ସମ୍ବଲଶ୍ରୀ ଫ୍ୟାସନ ଏହି ଅଳଙ୍କାର ତିଆରି କରିଛି ।
ରଙ୍ଗ, ପ୍ରିଣ୍ଟ ଓ କପଡା କ୍ବାଲିଟି ପାଇଁ ଲୋକଙ୍କ ପ୍ରଥମ ପସନ୍ଦ ହୋଇଥାଏ ସମ୍ବଲପୁରୀ ବସ୍ତ୍ର । ଏବେ ଏହି କପଡାକୁ ତିଆରି ହୋଇଛି ଜୁଏଲାରୀ ଯାହାକୁ ସମ୍ବଲପୁରୀ ଫେବ୍ରିକ ଅଳଙ୍କାର ବୋଲି କୁହାଯାଉଛି । ସମ୍ବଲପୁରୀ କପଡାରୁ କାନଫୁଲ, ନେକଲେସ, ବ୍ରେସଲେଟ ଓ ହେୟାର କ୍ଲିପ ତିଆତି କରି ଚର୍ଚ୍ଚାରେ ସମ୍ବଲଶ୍ରୀ ଫ୍ୟାସନ ଅନୁଷ୍ଠାନ । ଏହି ଅଳଙ୍କାର ଗୁଡିକରେ ମାଳି କାମ ବେଶ ମନୋଲୋଭା ହୋଇଛି । ଦାମ ବି ସୁହାଇଲା ପରି ରହିଛି । ଗୋଟିଏ ଗୋଟିଏ ସେଟ 300ରୁ 600 ଟଙ୍କା ରହିଛି । ମନ ପସନ୍ଦରେ ଡ୍ରେସ ସାଙ୍ଗକୁ ମ୍ୟାଟିଂ ଜୁଏଲାରୀ ପିନ୍ଧିବାକୁ ମନ ବଳାଇଛନ୍ତି ଯୁବପିଢି । ଏହି ଫେବ୍ରିକ ଅଳଙ୍କାର ମହିଳାଙ୍କ ସୁନ୍ଦରତାକୁ ବଢାଇଛି । ସବୁ ବର୍ଗର ଲୋକଙ୍କ ବଜେଟ ଅନୁକୂଳ ବୋଇ କହିଛନ୍ତି ସମ୍ବଲଶ୍ରୀ ଫ୍ୟାସନ ମୁଖ୍ୟ । ଏହି ଗହଣା ଅନେକଙ୍କୁ ପାଇଁ ରୋଜଗାରର ପନ୍ଥା ହୋଇଛି ।