ସମ୍ବଲପୁରରେ ଜାତୀୟ ST କମିଶନଙ୍କ ତଦନ୍ତ ସମ୍ବଲପୁର: ସମ୍ବଲପୁରରେ ହନୁମାନ ଜୟନ୍ତୀ ପାଳନ ସମୟରେ ହିଂସା ଯୋଗୁଁ ଜଣେ ଆଦିବାସୀ ଯୁବକଙ୍କ ମୃତ୍ୟୁ ଘଟଣା l ସମ୍ବଲପୁର ବୁର୍ଲା ଥାନା ଅନ୍ତର୍ଗତ ଝାରମୁଣ୍ଡା ଗାଁର ଚନ୍ଦ୍ରମଣୀ ମିର୍ଦ୍ଧା ହନୁମାନ ଜୟନ୍ତୀ ଶୋଭାଯାତ୍ରା ରେ ଭାଗ ନେବାକୁ ଆସୁଥୁବା ବେଳେ ଦଳେଇପଡା ଅଞ୍ଚଳରେ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟ ର ଲୋକସଂଘବଦ୍ଧ ଆକ୍ରମଣ କରିଥିଲେ । ଫଳରେ ତାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଥିଲା l ଏନେଇ ଆଜି ଜାତୀୟ ଏସଟି କମିଶନର ସଦସ୍ୟ ଅନନ୍ତ ନାୟକ ସମ୍ବଲପୁର ଆସି ଏହି ଘଟଣାର ତଥ୍ୟ ସଂଗ୍ରହ କରିଛନ୍ତି l
ଜାତୀୟ ଏସଟି କମିଶନର ଏହି ଟିମ ଆଜି ପ୍ରଥମେ ଝାରମୁଣ୍ଡା ଗାଁ ର ମୃତ ଚନ୍ଦ୍ରମଣୀ ମିର୍ଦ୍ଧାଙ୍କ ପରିବାର ଲୋକଙ୍କୁ ଭେଟିବାକୁ ଯାଇଥିଲେ। ତେବେ ତାଙ୍କ ପରିବାର ଲୋକ ଘରେ ନଥିବାରୁ ଏସଟି କମିଶନ ଟିମ ନିରାଶ ହୋଇ ଫେରି ଆସିଥିଲା । ଏହା ପରେ ଏହି ଟିମ ହନୁମାନ ଜୟନ୍ତୀ ସମୟ ହିଂସାରେ ଆହତ ହୋଇଥିବା କାଳିଆ ଶିକାଙ୍କ ଗାଁ ଭବାନୀପାଳ କୁ ଯାଇ ତାଙ୍କୁ ଓ ତାଙ୍କ ପରିବାର ଲୋକଙ୍କୁ ଭେଟି ପଚରା ଉଚରା କରିବା ସହ ତଥ୍ୟ ସଂଗ୍ରହ କରିଛନ୍ତି l ଏହି ଅବସରରେ ଆହତ ଯୁବକ କାଳିଆ ଶିକା ହନୁମାନ ଜୟନ୍ତୀ ଦିନ ସେ କିପରି ଏକ ଗୋଷ୍ଠୀଙ୍କ ଆକ୍ରମଣରେ ଆହତ ହୋଇଥିଲେ ସେନେଇ ମୁହଁ ଖୋଲିଥିଲେ l
ସେପଟେ ଗତକାଲି କିଛି ଲୋକ ତାଙ୍କୁ ପ୍ରଲୋଭନ ଦେଖାଇ ଘରୁ ଅନ୍ୟତ୍ର ନେଇ ଯିବାକୁ ଚେଷ୍ଟା କରୁଥିବା ସେ ଅଭିଯୋଗ କରିଛନ୍ତି l ଜାତୀୟ ଏସଟି କମିଶନ ସହ ଭେଟ ନ କରେଇ ଦେବା ପାଇଁ ଏହି ଉଦ୍ୟମ ହୋଇଥାଇପାରେ ବୋଲି ସେ ସନ୍ଦେହ କରିଛନ୍ତି l
ଜାତୀୟ ଏସଟି କମିଶନ ସଦସ୍ୟ ଅନନ୍ତ ନୟକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଯେ ଏହି ଘଟଣା ନେଇ ସେମାନେ ଗଣମାଧ୍ୟମରୁ ସୂଚନା ପାଇଥିଲେ l ଏହାପରେ ଏନେଇ ରାଜ୍ୟ ମୁଖ୍ୟ ଶାସନ ସଚିବ, ପୋଲିସ ଡିଜି, ସମ୍ବଲପୁର ଜିଲ୍ଲାପାଳ ଓ ଏସପି ଙ୍କୁ 3 ଦିନ ଭିତରେ ଏକ ରିପୋର୍ଟ ମାଗିଥିଲେ l ତେବେ ତଦନ୍ତ ଜାରି ରହିଥିବା କହି ରିପୋର୍ଟ ଦିଆ ନଯିବା ପାରେ ସାମ୍ବିଧାନିକ ଅଧିକାର ଅନୁସାରେ ନିଜ ଆଡୁ ଏହି ଟିମ ଆଜି ସମ୍ବଲପୁର ଆସିଥିବା ସୂଚନା ଦେଇଛନ୍ତି l
କମିଶନ କହିଛନ୍ତି ଏହି ଘଟଣାରେ ମୃତ ଓ ଆହତ ହୋଇଥିବା ଆଦିବାସୀଙ୍କୁ ଜିଲ୍ଲା ପ୍ରଶାସନ ଠିକ ଭାବରେ ସହାୟତା ଓ କ୍ଷତିପୂରଣ ଦେଇଛି କି ନାହିଁ ? ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହୋଇଛି କି ନାହିଁ ଏନେଇ ସରଜମୀନ ତଦନ୍ତ ଓ ତଥ୍ୟ ସଂଗ୍ରହ କରି ରାଷ୍ଟ୍ରପତିଙ୍କୁ ରିପୋର୍ଟ ଦିଆଯିବ ବୋଲି କହିଛନ୍ତି । ତେବେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଦିବାସୀଙ୍କ ଏହି ଘଟଣାରେ ଯେଉଁଭଳି ଭାବରେ ତତ୍ପରତା ଦେଖାଯିବା କଥା ତାହା ହୋଇନଥିବା କମିଶନ ସଦସ୍ୟ କହିଛନ୍ତି l ମୃତ ଯୁବକଙ୍କ ଶବ ସତ୍କାର ପଦ୍ଧତିକୁ ନେଇ ସ୍ଥାନୀୟ ଆଦିବାସୀ ପରିବାର ଙ୍କ ମଧ୍ୟ ରେ ଅସନ୍ତୋଷ ଥିବା କମିଶନ ସ୍ପଷ୍ଟ କରିଥିଲେ l
ତେବେ ସ୍ଥାନୀୟ ଆଦିବାସୀ ପରିବାର, ଆଦିବାସୀ ସଂଘ, ଆହତ ଓ ମୃତକଙ୍କ ପରିବାର ଲୋକଙ୍କ ଠାରୁ ତଥ୍ୟ ସଂଗ୍ରହ କରାଯାଇ ଫାଇନାଲ ରିପୋର୍ଟ ପ୍ରଦାନ କରାଯିବ ବୋଲି କମିଶନ ସୂଚନା ଦେଇଛନ୍ତି l ତେବେ ମୃତକ ଚନ୍ଦ୍ରମଣୀଙ୍କ ପରିବାର ଲୋକ ଅସ୍ଥି ବିସର୍ଜନ ପାଇଁ କୁଆଡେ ଯାଇଥିବାର ଜିଲ୍ଲା ପ୍ରଶାସନ ପକ୍ଷରୁ ଜାତୀୟ ଏସଟି କମିଶନଙ୍କୁ ସୂଚନା ଦିଆଯାଇଥିବା ସୂଚନା ଦିଆଯାଇଛି l
ଇଟିଭି ଭାରତ, ସମ୍ବଲପୁର