ସମ୍ବଲପୁର: ପୃଥିବୀ ବୁକୁରେ ଭାରତ ବର୍ଷ, ଆଉ ଭାରତ ବର୍ଷ ମଧ୍ୟରେ ଉତ୍କଳ ପ୍ରଦେଶ । ଚାଲି, ଚଳନି, ଭାଷା, ପରମ୍ପରା କଳା, ସ୍ଥାପତ୍ୟକୁ ନେଇ ଦେଶରେ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଛି ସ୍ବତନ୍ତ୍ରତା ବିମଣ୍ଡିତ ଏହି ରାଜ୍ୟ । ନିଆରା ଏବଂ ଭିନ୍ନତା ଥିବା ବିଭିନ୍ନ ପର୍ବ ମଧ୍ୟରୁ ସମ୍ବଲପୁରର ଶୀତଳ ଷଷ୍ଠୀ ଯାତ ବା ଶିବ ବିବାହ ପର୍ବ ଅନ୍ୟତମ । ଜାତି, ଧର୍ମ, ବର୍ଣ୍ଣ, ଲିଙ୍ଗଗତ ବିଭିନ୍ନତା ଦୃଷ୍ଟିରୁ ପ୍ରତିଟି ବ୍ୟକ୍ତିଙ୍କ ଯୋଗଦାନ ଥାଏ ଏହି ପର୍ବରେ ।
ସେହିପରି ଲୋକକଳା ଏବଂ କଳାକାରମାନଙ୍କ ପାଇଁ ସମ୍ବଲପୁରର ଶୀତଳ ଷଷ୍ଠୀ ଯାତ୍ରା ଅନନ୍ୟ ମଞ୍ଚ ହୋଇଥାଏ । ହଜାର ହଜାର କଳାକାର ଏବଂ ହଜି ଯାଉଥିବା କଳାକୁ ସ୍ଥାନ ଦେଉଛି ଏହି ପର୍ବ । ଯେଉଁଠାରେ ଉଜ୍ଜିବିତ ହେଉଛି ପରମ୍ପରା ଆଉ ହସି ଉଠୁଛନ୍ତି କଳାକାର । ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା। ଆରମ୍ଭ ହେବା ଦିନଠାରୁ ଏହିଯାତ୍ରାର ବିଭିନ୍ନ ଶୋଭଯାତ୍ରାରେ ରାଜ୍ୟ ତଥା ରାଜ୍ୟ ବାହାରର ହଜାର ହଜାର କଳାକାର ସମିଲ ହୁଅନ୍ତି । ପତରପେଣ୍ଡି, ଗୁଆଗୁଣ୍ଡା, ବରଯାତ୍ରୀ ଶୋଭଯାତ୍ରା ହେଉ କି ଯୁଗଳ ଦର୍ଶନ ଶୋଭାଯାତ୍ରାରେ ଏମାନେ ସାମିଲ ହୋଇ ନିଜର କଳା ପ୍ରଦର୍ଶନ କରିଥାନ୍ତି ।
ସେ ପାରମ୍ପରିକ ଲୋକ କଳାକାର ହୁଅନ୍ତୁ କି ଆଧୁନିକ କଳାକାର ସମସ୍ତଙ୍କ ପାଇଁ ସ୍ୱତନ୍ତ୍ର ମଞ୍ଚ ତିଆରି କରିଥାଏ ଶୀତଳ ଷଷ୍ଠୀ ଯାତ୍ରା । ଏହା ସହ ସେମାନଙ୍କ ସୁରକ୍ଷା ଓ ସମ୍ମାନର ଦାୟିତ୍ବ ମଧ୍ୟ ନେଇଥାଏ । ଏଥିପାଇଁ ସମ୍ବଲପୁର ଶୀତଳଷଷ୍ଠୀ ଯାତ୍ରାକୁ ବର୍ଷ ବର୍ଷ ଧରି କଳାକାରମାନେ କଳା ପ୍ରଦର୍ଶନ ପାଇଁ ବେସ୍ ଆନନ୍ଦରେ ଆସୁଛନ୍ତି । ପ୍ରତ୍ୟେକ ବର୍ଷ ରାଜ୍ୟର ବିଭିନ୍ନ ଜିଲ୍ଲା ସହ କୋଲକାତା, ଦିଲ୍ଲୀ, ଉତ୍ତରପ୍ରଦେଶ, କେରଳ, ଆନ୍ଧ୍ରପ୍ରଦେଶ, ଆସାମ, ପଞ୍ଜାବ ଆଦି ସ୍ଥାନରୁ କଳାକାର ଏହି ସାଂସ୍କୃତିକ ମହାକୁମ୍ଭରେ ସାମିଲ ହୁଅନ୍ତି ।