ସମ୍ବଲପୁର: ବର୍ତ୍ତମାନ ଦେଶରେ ବେକାରୀ ଏକ ପ୍ରମୁଖ ସମସ୍ୟା ହୋଇଛି । ହେଲେ କିଛି ଯୁବକ ଯୁବତୀ ଥାଆନ୍ତି ଯିଏ ଚାକିର ପଛରେ ନ ଧାଇଁ ନିଜେ ନିଜର ମାଲିକ ହୋଇଥାନ୍ତି । ସେମିତି ଜଣେ ହେଉଛନ୍ତି ସମ୍ବଲପୁରର ସେବତୀ ପ୍ରଧାନ । ବେକାରୀ ସମସ୍ୟା ତାଙ୍କୁ ଛୁଇଁନାହିଁ । ଛତୁ ଚାଷ କରି ନିଜେ ସ୍ବାବଲମ୍ବୀ ହେବା ସହ ଅନେକଙ୍କୁ ରୋଜଗାରକ୍ଷମ କରିଛି । ସମ୍ବଲପୁର ଜିଲ୍ଲା ଧନକଉଡା ବ୍ଲକ ଭାଲୁଗୁଡ଼ିଆ ଗାଁର ସ୍ବାବଲମ୍ବୀ ସେବତୀ ପ୍ରଧାନ ଆଜି ଚର୍ଚ୍ଚାରେ ।
ଛତୁ ଚାଷ କରି ସ୍ବାବଲମ୍ବୀ ହୋଇଛନ୍ତି ସେବତୀ । ପ୍ରଥମେ ସେ ବି ନିଜ ପରିବାର ଉପରେ ନିର୍ଭରଶୀଳ ଥିଲେ ହେଲେ ଏବେ ଆତ୍ମନିର୍ଭର । ବର୍ତ୍ତମାନ ସେ ଛତୁ ଚାଷ କରି ଭଲ ରୋଜଗାର କରି ଆର୍ଥିକ ସ୍ତରରେ ସ୍ବାବଲମ୍ବୀ ହୋଇ ପାରିଛନ୍ତି । ସମ୍ବଲପୁର ଗୋଶାଳା ସ୍ଥିତ କୃଷି ବିଜ୍ଞାନ କେନ୍ଦ୍ରରୁ ତାଲିମ ନେଇଥିଲେ ସେବତୀ । ପ୍ରଥମେ 2ଟି ବେଡରେ ଛତୁଚାଷ କରିଥିଲେ ଆଉ 3 କିଲୋ ଛତୁରୁ 300 ଟଙ୍କା ଥିଲା ତାଙ୍କ ପ୍ରଥମ ପାରିଶ୍ରମିକ । ଆଉ ଏହା ତାଙ୍କ ମନୋବଳ ବଢାଇଥିଲା । ସେବେଠୁ ଆଉ ପଛକୁ ଫେରି ନାହାନ୍ତି ସେବତୀ । ଏବେ ସେ ନିଜ ଘର ପଛପଟେ ଏକ ଛତୁ ଫାର୍ମ କରିଛନ୍ତି । ଏହି ଫାର୍ମରେ ସେ ଧିଙ୍ଗିରି ଛତୁ ଓ ପାଳ ଛତୁ କରି ବେଶ ଭଲ ରୋଜଗାର କରୁଛନ୍ତି । କେଵଳ ଏତିକି ନୁହେଁ ଏହି ଫାର୍ମରେ ସେ 3 ଜଣ ଲୋକଙ୍କୁ ରୋଜଗାର ମଧ୍ୟ ଦେଇଛନ୍ତି । ଖରା ଓ ବର୍ଷା ଦିନେ ସେ ପାଳ ଛତୁ ଚାଷ କରନ୍ତି । ଶୀତ ଦିନେ ଧିଙ୍ଗିରି ଛତୁ ଚାଷ କରିଛନ୍ତି । ଦିନକୁ 50 କେଜି ଛତୁ ଉତ୍ପାଦନ କରି ସମ୍ବଲପୁର ବଜାରରେ ବିକ୍ରି କରି ଭଲ ରୋଜଗାର କରୁଛନ୍ତି ।