ସମ୍ବଲପୁର: ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି, ସମ୍ବଲପୁରରେ ରାଜନୈତିକ ହଟଚମଟ ବଢିବାରେ ଲାଗିଛି । ବିଭିନ୍ନ ଘଟଣାକୁ ନେଇ ପ୍ରାୟ କିଛି ମାସ ହେଲା ଶିଥିଳ ପଡିଥିବା ସମ୍ବଲପୁର ପରିବେଶ ହଠାତ ସରଗରମ ହୋଇଛି । ଆଉ ଏହାରି ପଛରେ ରହିଛି ଦେବଗଡ ରାଣୀ ଅରୁନ୍ଧତୀ ଦେବୀଙ୍କ ସୋସିଆଲ ମିଡିଆ ପୋଷ୍ଟ । ସମ୍ବଲପୁର ସାଂସଦ ନିତେଶ ଗଙ୍ଗଦେବଙ୍କ ପତ୍ନୀ ହେଉଛନ୍ତି ଅରୁନ୍ଧତୀ କୁମାରୀ ଦେବୀ । ସ୍ବାମୀ ବିଜେପିର ଗୁରୁତ୍ବପୂର୍ଣ୍ଣ ସମ୍ବଲପୁର ସଂସଦୀୟ କ୍ଷେତ୍ରର ସାଂସଦ ଥିବାବେଳେ, ଅରୁନ୍ଧତୀ କିନ୍ତୁ ଓଡିଶା ବିଜେପିର ପୋଷ୍ଟର ବୟ ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିରୋଧରେ ଖୋଲାଖୋଲି ବିଷୋଦଗାର କରି ହଇଚଇ ସୃଷ୍ଟି କରିଛନ୍ତି ।
ଏହାବି ପଢନ୍ତୁ- General Elections: ସମ୍ବଲପୁର ସଂସଦୀୟ କ୍ଷେତ୍ରରୁ ପ୍ରାର୍ଥୀ ହେବେ ଧର୍ମେନ୍ଦ୍ର !
ରାଜନୀତି ଗଳିକନ୍ଦିରେ ଏବେ ଚର୍ଚ୍ଚା ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁର ଲୋକସଭା ଆସନରୁ ଲଢିବେ ନିର୍ବାଚନ । ଚର୍ଚ୍ଚାକୁ ଖୋରାକ ଯୋଗାଇଛି ସମ୍ବଲପୁରକୁ ଧର୍ମେନ୍ଦ୍ରଙ୍କ ଘନଘନ ଗସ୍ତ । ଏଥିସହ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବା ସହ ଲୋକ ସମ୍ପର୍କ ବୃଦ୍ଧି କରିବ । ଯାହାକୁ ନେଇ ଏବେ ଖଡ୍ଗହସ୍ତ ରାଣୀ ଅରୁନ୍ଧତୀ । ରାଣୀ ନିଜ ସୋସିଆଲ ମିଡିଆ(ଫେସବୁକ) ରେ ଗତ କିଛି ଦିନ ଧରି ପ୍ରତ୍ୟେକ୍ଷ ଓ ପରୋକ୍ଷରେ ସିଧା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ କରିଆସୁଛନ୍ତି ।
ରାଣୀ ଅରୁନ୍ଧତୀ ଗତ 5 ଦିନ ତଳେ ନିଜ ସୋସିଆଲ ମିଡିଆରେ ସିଧାସଳଖ ଧର୍ମେନ୍ଦ୍ରଙ୍କ ଶ୍ରଦ୍ଧା ନାମ(ମୁକୁ) ବାବୁ ସୁବାସ ଚୌହ୍ବାନଙ୍କ ବଳି ପରେ ରାଜା ସାହେବ (ସାଂସଦ ନିତେଶ ଗଙ୍ଗଦେବ)ଙ୍କର ବଳି ନେବାକୁ ଚାହୁଁଛନ୍ତି କି ? ଏହା ପରଠାରୁ ରାଣୀ ଅରୁନ୍ଧତୀ ଲଗାତାର ଭାବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ଓ ପରୋକ୍ଷ ଭାବେ ସ୍ଥାନୀୟ ଦେବଗଡ ବିଧାୟକ ସୁବାସ ପାଣିଗ୍ରାହୀଙ୍କୁ କଡା ସମାଲୋଚନା କରିଚାଲିଛନ୍ତି । ଗୁରୁତ୍ବପୂର୍ଣ୍ଣ କଥା ହେଉଛି ସମସ୍ତ ପୋଷ୍ଟରେ ସାଂସଦ ନିତେଶ ଗଙ୍ଗଦେବଙ୍କୁ ସୋସିଆଲ ମିଡିଆରେ ଟ୍ୟାଗ କରି ଲେଖଛନ୍ତି । ଅର୍ଥାତ ରାଣୀଙ୍କ ସମସ୍ତ ସୋସିଆଲ ମିଡିଆ ପୋଷ୍ଟ ରାଜା ସାହେବ(ସାଂସଦ) ଜ୍ଞାତସାରରେ ହେଉଛି । ଯାହାକୁ ନେଇ ଏବେ ବିଜେପି ସହ ରାଜ୍ୟ ରାଜନୀତିରେ ଆଲୋଡନ ସୃଷ୍ଟି ହୋଇଛି ।
ଏହି ପୋଷ୍ଟ ପରେ ପରେ ସାଂସଦଙ୍କ ପତ୍ନୀ ତଥା ରାଣୀ ଅରୁନ୍ଧତୀ ଆଉ ଏକ ସୋସିଆଲ ମିଡିଆ ପୋଷ୍ଟ କରି ଲେଖିଛନ୍ତି, ‘‘ସମ୍ବଲପୁର ସାଂସଦଙ୍କୁ ଆଉ କେତେ ଅପମାନ କଲେ ଶାନ୍ତି ମିଳିବ? ଜଣେ କୁଚକ୍ରୀ ମନ୍ତ୍ରୀଙ୍କୁ l ରାଜାସାହେବ ଜଣେ ଶାନ୍ତ ସରଳ ବ୍ୟକ୍ତି ତାଙ୍କୁ କମସେ କମ ଲୋକଙ୍କ ପାଇଁ କାମ କରିବାକୁ ଦିଆଯାଉ l ଜଣେ ମାନସିକ ରୋଗାଗ୍ରସ୍ତ ବିଧାୟକ ଏବଂ ରୁଗ୍ନ ମାନସିକତା କେନ୍ଦ୍ରୀୟ ମନ୍ତ୍ରୀ ବାରମ୍ବାର ଡେଭଲପମେଣ୍ଟ କାମରେ ମୁଣ୍ଡ ପୁରାଉଛନ୍ତି l ରାଜା ସାହେବଙ୍କ ସରଳତାର ଫାଇଦା ଆଉ କେତେଦିନ ଉଠାଇବ l ଏହି ପୋଷ୍ଟ ମାଧ୍ୟମରେ ଚେତାଇ ଦେଉଛି ଯେ ନିଜର ବ୍ୟବହାରକୁ ସୁଧାର ନହେଲେ ବହୁତ ମହଙ୍ଗା ପଡ଼ିବ l ମୁଁ ଆହ୍ବାନ ଦେଉଛି ଯଦି ଦମ ଅଛି ତାହେଲେ ଅନ୍ୟ ରାଜ୍ୟରୁ ବାରମ୍ବାର ବିଜେପିର ଦୟାରୁ ରାଜ୍ୟସଭାକୁ ନଯାଇ ସମ୍ବଲପୁର ସଂସଦୀୟ ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢନ୍ତୁ l ଦୁଇ କୁଚକ୍ରିଙ୍କୁ କହୁଛି ସୁଧୁରି ଯାଅ l ବାରମ୍ବାର ରାଜା ସାହେବଙ୍କ କାମରେ ମୁଣ୍ଡ ପୁରେଇବା କେତେ ଯୁକ୍ତିଯୁକ୍ତ l ଲୋକଙ୍କ ଦ୍ବାରା ନିର୍ବାଚିତ ସାଂସଦ କୁ କାମ କରିବାରୁ କେତେ ଅଟକାଇବ ? ସାଂସଦକୁ ବଦନାମ କରି ତାଙ୍କ ସଂସଦ ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିବା ତମର ଲକ୍ଷ୍ୟ ଆମେ ସମସ୍ତେ ଜାଣିଛୁ l ଯଦି ଦମ ଅଛି ତାହେଲେ ସାମ୍ନାରୁ ଲଢ଼େଇ କର କାପୁରୁଷ ପରି ପଛରୁ ଲଢ଼େଇ କର ନାହିଁ l ରାଜା ସାହେବକୁ ଥରେ କହିଥାନ୍ତ କୁ ମୁଁ ସମ୍ବଲପୁର ସଂସଦ କ୍ଷେତ୍ରରୁ ନିର୍ବାଚନ ଲଢ଼ିବାକୁ ଚାହୁଁଛି ରାଜା ସାହେବ ଖୁସି ଖୁସି ସିଟ ଛାଡି ଦେଇଥାନ୍ତେ l ଏବେ ତ ବିଲକୁଲ ଛାଡିବାର ପ୍ରଶ୍ନ ଉଠୁନାହିଁ l ରାଜା ସାହେବଙ୍କ ସରଳତା ବହୁତ ଫାଇଦା ଉଠାଇ ନେଲ ଆଉ ନୁହେଁ l’’