ସମ୍ବଲପୁର: ବୁର୍ଲା ଭିସୁଟର ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶନୀ ମୃତ୍ୟୁ ମାମଲା । ଏନେଇ ପୋଲିସର ତଦନ୍ତ ଜାରି ରହିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ମୃତ୍ୟୁର ସଠିକ କାରଣ ଆସିପାରିନି । ଚିନ୍ମୟୀଙ୍କ ମୃତ୍ୟୁ ଆତ୍ମହତ୍ୟା ନା ହତ୍ୟା ନା ଏକ ଦୁର୍ଘଟଣା ତା ଉପରୁ ଆଜି ମଧ୍ୟ ଉଠି ପାରିଲାନି ପରଦା । ନିଶାସକ୍ତ ଅବସ୍ଥାରେ ଥିଲେ କି ଚିନ୍ମୟୀ ଓ ପ୍ରୀତିମାନ ଏନେଇ ଏବେ ପ୍ରଶ୍ନ ଉଠିଛି । 20ରୁ ଊର୍ଦ୍ଧ୍ବ ସହପାଠୀଙ୍କୁ ଏହି ଘଟଣାକୁ ନେଇ ପୋଲିସ ଜେରା କରିସାରିଲାଣି । ତେବେ ଏହି ଘଟଣା କ୍ରମରେ ଗତକାଲି ଚିନ୍ମୟୀଙ୍କ ବାପା ମାଆଙ୍କୁ ସମ୍ବଲପୁର ଡକାଯାଇ ହୀରାକୁଦ SDPO ଅଫିସରେ ଏକ ବନ୍ଦ କୋଠରୀରେ 5 ଘଣ୍ଟା ଧରି ପଚରାଉଚରା କରିଥିଲେ । ସମ୍ବଲପୁର ଉତ୍ତରାଞ୍ଚଳ ଆଇଜି ଦୀପକ କୁମାର ଓ ସମ୍ବଲପୁର ଏସପି ବତୁଲା ଗଙ୍ଗାଧରଙ୍କ ଉପସ୍ଥିତିରେ ଚିନ୍ମୟୀ ବାପା ମାଆଙ୍କୁ ପଚରା ଉଚରା କରାଯାଇଛି l
ବର୍ତ୍ତମାନ ରହସ୍ୟ ଘେରରେ ଭିସୁଟ ଛାତ୍ରୀ ଚିନ୍ମୟୀଙ୍କ ସନ୍ଦେହଜନକ ମୃତ୍ୟୁ ମାମଲା । ଘଟଣାକୁ 6 ଦିନ ପୁରିଥିଲେ ବି କୌଣସି ସୁରାକ ପାଉନି ବୁର୍ଲା ପୋଲିସ । ସାଇଣ୍ଟିଫିକ ଟିମର ଘନ ଘନ ତଦନ୍ତ ବି କାମକୁ ଆସୁନି । ଲାଏ ଡିଟେକସନ ପରେ ବି ସବୁ ଓଲଟପାଲଟ ଭଳିଆ ପରିସ୍ଥିତି ରହିଛି । ଲାଏ ଡିଟେକସନ ସମୟରେ ଦୁଇ ବନ୍ଧୁଙ୍କ କେତେକ କଥାରେ ରହିଲା ନାହିଁ ତାଳମେଳ ବୋଲି ଚର୍ଚ୍ଚା ରହିଛି । ସେପଟେ ଚିନ୍ମୟୀଙ୍କ ଲ୍ୟାପଟପ, ପେନ ଡ୍ରାଇଭ, ଡାଇରୀ ଏବେ ପୋଲିସ ହାତରେ । ସନ୍ଦିଗ୍ଧ ଅଭିଯୁକ୍ତ ପ୍ରୀତିମାନ ଓ ତାଙ୍କ 20ରୁ ଊର୍ଦ୍ଧ୍ବ ସହପାଠୀଙ୍କ ବୟାନ, ସମଲେଶ୍ବରୀ ଢ଼ାବାର ସିସିଟିଭି ଫୁଟେଜ, ଚିନ୍ମୟୀଙ୍କ ପରିବାର ପକ୍ଷରୁ ଦିଆଯାଇଥିବା ଏତଲା, ଲାଏ ଡିଟେକସନ, ପୋଷ୍ଟମର୍ଟମ ରିପୋର୍ଟ, ଚିନ୍ମୟୀଙ୍କ କମ୍ପ୍ୟୁଟର, ଡାଇରୀ ସହ ପାରିପାର୍ଶ୍ବିକ ସାକ୍ଷ୍ୟ ପ୍ରମାଣ ଅଭିଯୁକ୍ତକୁ ଗିରଫ ପାଇଁ ଯଥେଷ୍ଟ ହେଉନି ।
ଅନ୍ୟପଟେ ବୁର୍ଲା ପୋଲିସର ତିନୋଟି ଟିମ ଘଟଣା ଉପରୁ ପରଦା ଉଠାଇବା ପାଇଁ ତିନିରୁ ଊର୍ଦ୍ଧ୍ବ ଜିଲ୍ଲାରେ 4 ଦିନ ହେବ ତଥ୍ୟ ପ୍ରମାଣ ଯୋଗାଡ଼ରେ ଲାଗିଛି । ପାଞ୍ଚ ଦିନ ପରେ ପୋଲିସ ଜାଣିପାରୁନି ଚିନ୍ମୟୀଙ୍କ ସନ୍ଦେହଜନକ ମୃତ୍ୟୁ ଆତ୍ମହତ୍ୟା, ହତ୍ୟା ନା ଏକ ଦୁର୍ଘଟଣା । ଜିଲ୍ଲାର ଉଚ୍ଚ ପଦସ୍ତ ପୋଲିସ ଅଧିକାରୀଙ୍କ ତୁହାକୁ ତୁହା ରୁଦ୍ଧଦ୍ବାର ବୈଠକ ବି ଚାଲୁଛି । ଲାଏ ଡିଟେକସନ ରିପୋର୍ଟ ଓ ଭିସେରା ରିପୋର୍ଟ ମିଳିଲା ପରେ କିଛି ନିର୍ଣ୍ଣୟରେ ପହଞ୍ଚି ପାରେ ପୋଲିସ ବୋଲି କହିଛନ୍ତି ସମ୍ବଲପୁର ଏସପି ।