ସମ୍ବଲପୁର:ଆରମ୍ଭ ହୋଇସାରିଛି ପାର୍ବଣ । ଆଗକୁ ଆସୁଛି ଆହୁରି ବଡବଡ ମେଳା ପର୍ବପର୍ବାଣୀ ସମେତ ଦେବୀ ପୂଜା। ଆହୁରି ଉତ୍ସବ ମୁଖର ହେବ ଗାଁରୁ ସହର । ମନ୍ତ୍ର ଧ୍ବନୀରି ପ୍ରକମ୍ପିତ ହେବ ପୂଜା ମଣ୍ଡପ । କୋଭିଡ କଟକଣା ମଧ୍ୟରେ ଲାଗିବ ଗହଳି । ଏହାକୁ ସୁଯୋଗ ଭାବି ଅସାଧୁ, ଲୁଟେରା ଓ ବିଭିନ୍ନ ଅସାମାଜିକ ଲୋକ ରଚି ପାରନ୍ତି ଉତ୍ପାତ । ତା ପୂର୍ବରୁ ସଜାଗ ସତର୍କ ସମ୍ବଲପୁର ପୋଲିସ । ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦ୍ଦେଶ ଅନୁସାରେ ଜିଲ୍ଲାର ସମସ୍ତ ଥାନା ଅଧିକାରୀ ଆରମ୍ଭ କରିଛନ୍ତି ସ୍ପେଶାଲ ଡ୍ରାଇଭ ।
ପାର୍ବଣ ବେଳେ ଯେମିତି କୌଣସି, ଲୁଟ, ଅପହରଣ, ନିଶା କାରବାର ସହ କୌଣସି ଅଘଟଣ ନଘଟେ ତାହାକୁ ନେଇ ପୋଲିସ ଜୋରଦାର ଚଢାଉ କରୁଛି । ଗତ ୧୬ ତାରିଖରୁ ଆରମ୍ଭ ହୋଇଛି ଏହି ମଦୁଆ ଓ ନିଶା କାରବାର କରୁଥିବା ବ୍ୟକ୍ତି ଧରା ଅଭିଯାନ। ସମ୍ବଲପୁର ସହରର ଟାଉନ ଥାନା, ଅଇଁଠାପାଲି ଥାନା, ଧନୁପାଲି ଥାନା, ବୁର୍ଲା ଥାନା, ହୀରାକୁଦ ଥାନା ଅଞ୍ଚଳରେ ପ୍ରତ୍ୟେକ ଦିନ ସନ୍ଧ୍ୟାରୁ ବିଳମ୍ବିତ ରାତ୍ରୀ ପର୍ଯ୍ୟନ୍ତ ପୋଲିସର ସ୍ବତନ୍ତ୍ର ସ୍କ୍ବାଡ ବିଭିନ୍ନ ରାସ୍ତା ଗଳି କନ୍ଦିରେ ମଦ ପିଇଉଥିବା ତଥା ନିଶା କାରବାର କରୁଥିବା ଲୋକଙ୍କୁ ଉଠାଇ ଆଣୁଛି। ଉଠାଇ ଆଣୁଥିବା ଲୋକଙ୍କର ପ୍ରଥମେ ଆଲକୋହଲ ଟେଷ୍ଟ କରାଯାଉଛି। ପରୀକ୍ଷାରେ ଆଲକୋହଲ ଯଦି ୩୦ ପ୍ରତିଶତରୁ ଅଧିକ ଥାଏ, ଉକ୍ତ ଲୋକଙ୍କୁ କୋର୍ଟ ଚାଲାଣ କରାଯାଉଛି।