ସମ୍ବଲପୁର:ସ୍ବାମୀ ସ୍ତ୍ରୀର ପବିତ୍ର ସମ୍ପର୍କରେ ରକ୍ତର ଛିଟା, ମଦ୍ୟପ ସ୍ବାମୀ ଘଟାଇଲା ନୃଶଂସ କାଣ୍ଡ । ସାମାନ୍ୟ ବଚସାକୁ କେନ୍ଦ୍ର କରି ସ୍ତ୍ରୀର ରକ୍ତରେ ହୋଲି ଖେଳିଲା ସ୍ବାମୀ । ସ୍ତ୍ରୀକୁ ହତ୍ୟା କରି ମାଟିରେ ପୋତିଦେଲା ସୈତାନ ସ୍ବାମୀ । ମୃତ୍ୟୁର ୪୫ ଦିନ ପରେ ମାଟି ତଳୁ ଉଦ୍ଧାର ହେଲା ମୃତଦେହ । ଏଭଳି ନୃଶଂସ ହତ୍ୟାକାଣ୍ଡ ଘଟିଛି, ସମ୍ବଲପୁର କୁଚିଣ୍ଡା ଉପଖଣ୍ଡ ଜମେନକିରା ଥାନା ଅଞ୍ଚଳରେ । ଆଜି(ଗୁରୁବାର) ମୃତଦେହ ଉଦ୍ଧାର ପରେ ଅଭିଯୁକ୍ତ ସ୍ବାମୀ ରଞ୍ଜନ ବାଡିଙ୍ଗକୁ ଗିରଫ କରିଛି ପୋଲିସ । ଏଥିସହ ଅଧିକ ତନାଘନା ଚଳାଇଛି ।
ଘଟଣାଟି ଥିଲା ଏମିତି
ସମ୍ବଲପୁର ଜମେନକିରା ଥାନା ବଡମାଲ ରାଉତପଡାରେ ଗତ ସେପ୍ଟେମ୍ବର ୬ ତାରିଖ ଦିନ ଗାଁରେ କରମା ପୂଜା ଚାଲିଥିଲା । ଏହି ସମୟରେ ରଞ୍ଜନ ବାଡିଙ୍ଗ ମଦ୍ୟପାନ କରି ଘରକୁ ଆସିଥିଲେ। ଏହାପରେ କୌଣସି କାରଣକୁ ନେଇ ସ୍ତ୍ରୀ ସାବିତ୍ରୀ ବାଡିଙ୍ଗଙ୍କ ସହ ତାଙ୍କର ଝଗଡା ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ଶେଷରେ ସ୍ୱାମୀ ରଞ୍ଜନ ବାଡିଙ୍ଗ ନିଜ ସ୍ତ୍ରୀକୁ ହତ୍ୟା କରିବାକୁ ପଛାଇ ନଥିଲା । ହତ୍ୟା ପରେ ଅପରାଧ ଲୁଚାଇବାକୁ ଯାଇ ସ୍ତ୍ରୀ ସାବିତ୍ରୀକୁ ଘର ପଛପଟେ ଗାତ ଖୋଳି ମାଟିରେ ପୋତି ଦେଇଥିଲା । ଆଉ ଭାବିଥିଲା ସ୍ତ୍ରୀକୁ ମାଟିରେ ପୋତି ଦେବାପରେ ଏହି ସତ୍ୟ ଆଉ କେବେ ସାମ୍ନାକୁ ଆସିବ ନାହିଁ । ଏଥିପାଇଁ ସାବିତ୍ରୀ ବାପ ଘରକୁ ଯାଇଥିବା ସେ ପଡୋଶୀଙ୍କୁ କହିଥିଲା ।