ସମ୍ବଲପୁର:ଅନ୍ତରାଷ୍ଟ୍ରୀୟ କମ୍ପାନୀ "ଆମାଜନ"ର ମଡେଲ ହେଲେ ଓଡିଆ ଝିଅ (Odia Girl Sai Anshika) । ପଙ୍କରୁ ପଦ୍ମ ଫୁଟିବା ଭଳି ସମ୍ବଲପୁରର ଜଣେ କୁନି ଝିଅ ଦେଶର ସବୁଠୁ ବଡ ଇ-କମର୍ସ କମ୍ପାନୀର ମଡେଲ ହୋଇଛନ୍ତି । ଏହି କୁନି ପ୍ରତିଭା ହେଉଛନ୍ତି ସମ୍ବଲପୁର ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ବାମରା ବ୍ଲକ ଗୋବିନ୍ଦପୁର ପଣ୍ଡରିପଥର ଗାଁର ଅନିଲ କୁମାର ବେସନଙ୍କ ୮ ବର୍ଷର ଝିଅ ସାଇ ଅଂଶିକା । ସେ ଅନ୍ତରାଷ୍ଟ୍ରୀୟ କମ୍ପାନୀ ଆମାଜନ ଇ-କମର୍ସ ଆପର ଶିଶୁ ମଡେଲ ଭାବେ ଚୟନ ହୋଇଛନ୍ତି । ସାଇ ଅଂଶିକାଙ୍କ ଏହି ସଫଳତା ପାଇଁ ଏବେ ସମଗ୍ର ଅଞ୍ଚଳରେ ଖୁବ୍ ଚର୍ଚ୍ଚା ହେଉଛି ।
ଗତ ଅଗଷ୍ଟ ମାସରେ ଆମାଜନ କମ୍ପାନୀ ପକ୍ଷରୁ ଶିଶୁ ମଡେଲ ପରିପ୍ରେକ୍ଷୀରେ ଆବେଦନ ପାଇଁ ଆହ୍ବାନ କରାଯାଇଥିଲା । ଏ ସମ୍ପର୍କରେ ଜାଣିବା ପରେ ଏଥିପାଇଁ ସାଇ ଅଂଶିକା ଅନଲାଇନରେ ଆବେଦନ କରିଥିଲେ । ତେବେ ପ୍ରଥମ ପର୍ଯ୍ୟାୟ ଚୟନ ପ୍ରକ୍ରିୟାରେ ସେ ମନୋନୀତ ହୋଇ ଛତିଶଗଡ଼ ରାଜ୍ୟର ରାଜଧାନୀ ରାୟପୁରକୁ ଯାଇଥିଲେ । ସେଠାରେ ବିଭିନ୍ନ ବିଷୟରେ ସମୂହ ସାକ୍ଷାତକାର ସହିତ ଶତାଧିକ ଶିଶୁମାନଙ୍କୁ ନେଇ ଏକ ଫ୍ୟାସନ ଶୋ' ଆୟୋଜିତ ହୋଇଥିଲା । ଯେଉଁଥିରେ ସାଇ ଅଂଶିକା ନିଜର ବ୍ୟକ୍ତିତ୍ବ, କଳା ପ୍ରଦର୍ଶନ ଓ ସାକ୍ଷାତକାରରେ ଉତ୍କର୍ଷତା ଦେଖାଇ କୃତକାର୍ଯ୍ୟ ହୋଇ ଶିଶୁ ମଡେଲ ଭାବେ ବିବେଚିତ ହୋଇଥିଲେ ।