ସମ୍ବଲପୁର: ବଢୁଛି ତାତି, ତତଲା କଡେଇରେ ଭାଜି ହେଉଛି ସମ୍ବଲପୁର ସହର l ସମ୍ବଲପୁରରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ଦିନ ବେଳେ ଅସହ୍ୟ ତାତି ଅନୁଭୂତ ହେଉଥିବା ବେଳେ ରାତିରେ ମଧ୍ୟ ତାତିରୁ ନିସ୍ତାର ନାହିଁ l ଆଜି (ମଙ୍ଗଳବାର) ସମ୍ବଲପୁରରେ ୪୪.୩ ଡିଗ୍ରୀ ତାପମାତ୍ରା ରହିଥିବାବେଳେ ସବୁଠୁ ଉତ୍ତପ୍ତ ସହର ବୋଲି ରେକର୍ଡ ହୋଇଛି । ତେବେ ଆହୁରି ତିନିଦିନ କଲବଲ କରିବ ତାତି । ଗ୍ରୀଷ୍ମ ପ୍ରବାହ ନେଇ ଆସନ୍ତା ତିନିଦିନ ପାଇଁ ସମ୍ବଲପୁରକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ ।
ଅଧିକ ପଢ଼ନ୍ତୁ:Weather Update: ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା, ୧୪ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
ସମ୍ବଲପୁରରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ସକାଳ 9 ଟାରୁ ଘରୁ ବାହାରିବା ଏକ ପ୍ରକାର ଅସମ୍ଭବ ହୋଇପଡ଼ିଛି । କାମ ଥିଲେ ଲୋକେ ଛତା, ମୁହଁରେ ଗାମୁଛା ବାନ୍ଧି ବାହାରୁଛନ୍ତି l ଆବଶ୍ୟକ ନଥିଲେ କେହି ଘରୁ ବାହାରୁ ନାହାଁନ୍ତି l ଖରାରେ ସତେ ଯେମିତି କୁଲର, ଏସି ମଧ୍ୟ କାମ ଦେଉନି । ଟାଣ ଖରାରେ ମନକୁ ଟିକିଏ ପୂର୍ତ୍ତି ଦେବା ସହିତ ଶରୀରକୁ ଆରାମ ଦେବାପାଇଁ ଆଖୁ ରସ ଓ ଲସି, ସର୍ବତ ଦୋକାନରେ ସଭିଙ୍କ ଭିଡ଼ ଜମୁଛି l ପାଣିପାଗ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଆଗାମୀ 48 ଘଣ୍ଟାରୁ 72 ଘଣ୍ଟା ଯାଏଁ ଏହି ଗ୍ରୀଷ୍ମ ପ୍ରବାହ ଜାରି ରହିବ l ଏଭଳି ପରିସ୍ଥିତିରେ ସମ୍ବଲପୁର ଅତିରିକ୍ତ ଜିଲ୍ଲାପାଳ ସହରବାସୀଙ୍କୁ ନିହାତି କାମ ନପଡିଲେ ଦିନ 10ଟା ପରେ ଘରୁ ନବାହାରିବାକୁ ପରାମର୍ଶ ଦେଇଛନ୍ତି l ଘରୁ ବାହାରିଲେ ଛତା, ଜୋତା, ଗାମୁଛା ପାଣି ସହ ବାହାରିବାକୁ ପରାମର୍ଶ ଦିଆଯାଇଛି l