ସମ୍ବଲପୁର: ଆଗକୁ ସାଧାରଣ ନିର୍ବାଚନ । ଏଥିପାଇଁ ରାଜନୈତିକ ମାହୋଲ ଗରମ ହେବାକୁ ଲାଗିଲାଣି । ରାଜନୈତିକ କାର୍ଯ୍ୟକ୍ରମ ସଂଖ୍ୟା ବୃଦ୍ଧି ପାଇଥିବାବେଳେ ନେତା ଓ ମନ୍ତ୍ରୀଙ୍କ ଗତିବିଧି ବୃଦ୍ଧି ପାଇଛି । ଏଭଳି ସ୍ଥତିରେ ଏବେ ସମ୍ବଲପୁର ଜିଲ୍ଲାରେ ନିଜର ସ୍ଥିତି ହରେଇ ବସିଥିବା କଂଗ୍ରେସ ନୂତନ ଜିଲ୍ଲା ସଭାପତିଙ୍କୁ ପାଇ ନିଜର ସ୍ଥିତି ସୁଦୃଢ କରିବା ପାଇଁ ଚେଷ୍ଟା କରୁଛି । ରେଢ଼ାଖୋଲର କଂଗ୍ରେସ ବିଧାୟକ ପ୍ରାର୍ଥୀ ତଥା ଜିଲ୍ଲାର ପୂର୍ବତନ ଯୁବ ସଭାପତି ଆସଫ ଅଲ୍ଲୀ ଖାଁ ନୂତନ ଜିଲ୍ଲା ସଭାପତି ଭାବେ ନିଯୁକ୍ତ ହେବାପରେ ଏବେ ଦଳ ପୁନର୍ସଂଗଠିତ ହେବାକୁ ଚେଷ୍ଟା କରୁଛି । ତୃଣମୂଳସ୍ତରର କର୍ମୀଙ୍କ ଠାରୁ ଆରମ୍ଭ କରି ଜିଲ୍ଲାସ୍ତରୀୟ ନେତାଙ୍କ ମଧ୍ୟରେ ଆତ୍ମବିଶ୍ବାସ ପରିଲକ୍ଷିତ ହୋଇଛି । ଦଳ ଭିତରେ ଥିବା ପୁରୁଣା ରାଗ ରୋଷ ଓ ଗୋଷ୍ଠୀ କନ୍ଦଳ ଭୁଲି ଦଳକୁ ଆଗକୁ ନେବାକୁ ଚେଷ୍ଟା କରୁଛନ୍ତି ନୂତନ ଜିଲ୍ଲା ସଭାପତି ଆସଫ ଅଲ୍ଲୀ ଖାଁ ।
୨୦୦୦ ମସିହାରୁ କଂଗ୍ରେସ ହାତରୁ ଖସିଛି ଗଡ଼: ନବେ ଦଶକରେ ସମ୍ବଲପୁର ବିଧାନସଭା ସିଟରେ କଂଗ୍ରେସର କବ୍ଜା ଥିଲା । ୧୯୯୦ ଓ ୧୯୯୫ ଲଗାତାର ୨ ଥର ସମ୍ବଲପୁର ବିଧାନସଭା ସିଟ୍ରେ କଂଗ୍ରେସ ପ୍ରାର୍ଥୀ ଦୁର୍ଗା ଶଙ୍କର ପଟ୍ଟନାୟକ ବିଜୟୀ ହୋଇଥିଲେ । ତେବେ ପରବର୍ତ୍ତୀ ସମୟରେ ୨୦୦୦ ମସିହାରେ ବିଜେଡି ଓ ବିଜେପି ମେଣ୍ଟ ହେବାପରେ ସମ୍ବଲପୁର ସିଟ୍ଟି ବିଜେପି ପାଇଥିଲା । ବିଜେପିରୁ ଜୟନାରାୟଣ ମିଶ୍ର ୨୦୦୦, ୨୦୦୪, ୨୦୦୯ ଓ ୨୦୧୯ ମସିହାରେ ବିଜେପିର ଜୟନାରାୟଣ ମିଶ୍ର ବିଜୟୀ ହୋଇଛନ୍ତି । ଏହାରି ଭିତରେ ୨୦୦୯ରେ ବିଜେପି ଓ ବିଜେଡି ମେଣ୍ଟ ଭାଙ୍ଗିବା ପରେ କେବଳ ୨୦୧୪ରେ ବିଜେଡିର ଡା ରାସେଶ୍ବରୀ ପାଣିଗ୍ରାହୀ ବିଜୟୀ ହୋଇଥିଲେ । ତେବେ ୨୦୧୪- ୧୫ ପରେ ପରେ ସମ୍ବଲପୁର ଜିଲ୍ଲାରେ କଂଗ୍ରେସର ସ୍ଥିତି ବହୁତ ଦୁର୍ବଳ ହୋଇଗଲା । ମୁଖ୍ୟତଃ ଜିଲ୍ଲାରେ ଦୁର୍ବଳ ନେତୃତ୍ବ ଯୋଗୁଁ ଏଭଳି ସ୍ଥିତି ଉପୁଜିଥିବା ରାଜନୈତିକ ମହଲରେ ଚର୍ଚ୍ଚା ହୁଏ । ତେବେ ବର୍ତ୍ତମାନ ଜିଲ୍ଲାର ପୂର୍ବତନ ଯୁବ କଂଗ୍ରେସ ସଭାପତି ତଥା ରେଢ଼ାଖୋଲ ବିଧାନସଭା ନିର୍ବାଚନ ମଣ୍ଡଳୀର କଂଗ୍ରେସ ବିଧାୟକ ପ୍ରାର୍ଥୀ ଆସଫ ଅଲ୍ଲୀ ଖାଁ ଜିଲ୍ଲା ସଭାପତି ଭାବେ ନିଯୁକ୍ତ ହେବାପରେ ଏବେ କଂଗ୍ରେସର ସ୍ଥିତି ସୁଦୃଢ ହେବ ବୋଲି କର୍ମୀ ଆଶା ରଖିଛନ୍ତି ।