ସମ୍ବଲପୁର: ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଜିଲ୍ଳାପାଳଙ୍କ ସରପ୍ରାଇଜ ଭିଜିଟ୍ । ବିଭିନ୍ନ ବିଭାଗକୁ ପରିଦର୍ଶନ କରି ହସ୍ପିଟାଲ କର୍ମଚାରୀଙ୍କ ସହ ଆଲୋଚନା କରିବା ସହ ରୋଗୀ ଓ ସମ୍ପର୍କୀୟଙ୍କ ସହ କଥା ହୋଇଛନ୍ତି ସମ୍ବଲପୁର ଜିଲ୍ଲାପାଳ ଶୁଭମ ସକସେନା । ସବୁ ଦେଖିବା ପରେ ହସ୍ପିଟାଲର ସ୍ଵଚ୍ଛତା ସହ କେତେକ ବିଭାଗର କର୍ଯ୍ୟଶୈଳୀ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ସମ୍ବଲପୁର ଜିଲ୍ଳାପାଳ ।
ଗୁରୁବାର ହଠାତ ସମ୍ବଲପୁର ଜିଲ୍ଲା ସରକାରୀ ମୁଖ୍ୟ ଚିକିତ୍ସାଳୟରେରେ ପହଞ୍ଚିଥିଲେ ସମ୍ବଲପୁର ଜିଲ୍ଲାପାଳ ଶୁଭମ ସକସେନା । ଗାଡ଼ିରୁ ଓହ୍ଳାଉ ଓହ୍ଳାଉ ସିଧା ପହଞ୍ଚିଥିଲେ ଡାକ୍ତର ମାନଙ୍କ ଅଟେଣ୍ଡେନ୍ସ ଡିସପ୍ଲେ ବୋର୍ଡ ପାଖରେ । ସେଠାରେ ଡାକ୍ତରଙ୍କ ବାବଦରେ ପଚାରି ବୁଝିବା ସହ କର୍ମଚାରୀଙ୍କ ସହ ଆଲୋଚନା ଓ ପଚରାଉଚରା କରିଥିଲେ ।
ଏହାପରେ ସେ ଟୋକନ କାଉଣ୍ଟରକୁ ଯାଇଥିଲେ । ସେଠାରେ ଗୋଟିଏ କାଉଣ୍ଟର ବନ୍ଦ ଥିବାରୁ କର୍ମଚାରୀଙ୍କୁ ତାଗିଦ କରିଥିଲେ । ଏହାପରେ ସେ ସ୍ପେଶିଆଲିଷ୍ଟ ଓପିଡ଼ିର ୱାର୍ଡ ଆଜି ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇ ନଥିବାରୁ ହସ୍ପିଟାଲ କତ୍ତୃପକ୍ଷଙ୍କୁ ଏନେଇ ନିଜର ଅସନ୍ତୋଷ ଜାହିର କରିବା ସହ ଏହାକୁ ଗୋଟିଏ ମାସ ମଧ୍ୟରେ କାର୍ଯ୍ୟକ୍ଷମ କରିବାକୁ କହିଛନ୍ତି ।