ଓଡିଶା

odisha

ETV Bharat / state

ପ୍ରାଣୀଜଗତ ପାଇଁ ବରଦାନ ସୁବ୍ରତ, ଘର ଚଟିଆର ସଂରକ୍ଷଣ ପାଇଁ ଘରକୁ କଲେ ପକ୍ଷୀ ଉଦ୍ୟାନ

ଘରର ଚଢେଇ ଘର ଚଟିଆ । କିଚିରି ମିଚିରି ଶବ୍ଦ ତାର ପରିଚୟ । କଂକ୍ରିଟ ଯୁଗରେ ଆଉ ଶୁଭିବାକୁ ମିଳୁନି ତାର ମଧୁର ରାବ । ହେଲେ ଏହି ପକ୍ଷୀ ବଂଶକୁ ବଞ୍ଚାଇବାକୁ ଆଗେଇ ଆସିଛନ୍ତି ସମ୍ବଲପୁର SRIT କଲୋନୀର ଅଧିବାସୀ ତଥା ପକ୍ଷୀପ୍ରେମୀ ସୁବ୍ରତ ନାଥ । ଦେଖନ୍ତୁ ଏହି ରିପୋର୍ଟ

bird lover Subrat Nath
bird lover Subrat Nath

By ETV Bharat Odisha Team

Published : Nov 18, 2023, 8:22 PM IST

ପ୍ରାଣୀଜଗତ ପାଇଁ ବରଦାନ ସୁବ୍ରତ

ସମ୍ବଲପୁର:ଆଉ ଶୁଭୁନାହିଁ କିଚିରି ମିଚିରି ଶବ୍ଦ । ଧୀରେ ଧୀରେ ବିଲୁପ୍ତ ପ୍ରାୟ ହେବାକୁ ବସିଲେଣି ଘରର ଚଢେଇ ଘର ଚଟିଆ । ପୂର୍ବରୁ ସେ ଘରର ଚାଳ ଛପର ହେଉ ଅବା କାନ୍ଥ, ଯେଉଁଠି ଦେଖିଲେ ଦିଶୁଥିଲା ଶୁଭ୍ର ମାଟିଆ ରଙ୍ଗରେ ଚଢେଇ । ଆଉ କିଚିରି ମିଚିରି ଶବ୍ଦରେ ପଲ୍ଲୀ ଜୀବନରେ ମଧୁରତା ଭରୁଥିଲା । ହେଲେ ସଭ୍ୟ, ସମାଜର ପରିବର୍ତ୍ତନ ସାଙ୍ଗକୁ ଲିଭିଗଲାଣି ଘର ଚଟିଆର ଚିହ୍ନବର୍ଣ୍ଣ । ହେଲେ ଏହି ବିଲୁପ୍ତ ପ୍ରାୟ ପକ୍ଷୀର ବଂଶ ରକ୍ଷା ପାଇଁ ଆଗେଇ ଆସିଛନ୍ତି ଜିଲ୍ଲାର SRIT କଲୋନୀର ଅଧିବାସୀ ସୁବ୍ରତ ନାଥ । ଚାକିରି ଜୀବନର ବ୍ୟସ୍ତତା ମଧ୍ୟରେ ଏହି ପକ୍ଷୀକୁ ବାସସ୍ଥାନ ଯୋଗାଇବାକୁ ସେ ନିଜ ଘରକୁ ପକ୍ଷୀ ଉଦ୍ୟାନରେ ପରିଣତ କରିଛନ୍ତି । ଆଉ ସେଠାରେ ଚଟିଆଙ୍କ ପାଇଁ ବସା ଗଢିଛନ୍ତି ।

ଯେଉଁ ପକ୍ଷୀର କିଚିରି ମିଚିରି ଶବ୍ଦ ସକାଳ ପାହିଲେ ଶୁଣିବାକୁ ମିଳୁଥିଲା ଏବେ ତାହା ଶୁଣିବାକୁ ମିଳୁନାହିଁ l ଗାଁ ଗହଳିରେ ତ ଏହି ପକ୍ଷୀ ବଞ୍ଚି ରହିଛନ୍ତି ତେବେ ସହରରେ ବ୍ୟାପକ ଗଛ କଟା ଓ କଂକ୍ରିଟ ଜଙ୍ଗଲ ଭିତରେ ଏହି ପକ୍ଷୀ ବଞ୍ଚିବାକୁ ସଂଘର୍ଷ କରୁଛି l ଏହିଭଳି ସ୍ଥିତିରେ ସମ୍ବଲପୁରର ଯୁବକ ସୁବ୍ରତ ନାଥ ଘର ଚଟିଆଙ୍କ ସୁରକ୍ଷା ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି l ସେ ନିଜ ଘରେ ଘର ଚଟିଆଙ୍କ ପାଇଁ ତିଆରି କରିଛନ୍ତି ବସା l ଏହା ସହ ଘର ଚଟିଆଙ୍କ ପାଇଁ ପ୍ରକୃତିକ ପରିବେଶ ମଧ୍ୟ ସୃଷ୍ଟି କରିଛନ୍ତି ସୁବ୍ରତ l କେତେକ ପ୍ରକାର ଫୁଲ ଗଛ ଲଗାଇଛନ୍ତି ଏହି ବସାଗୁଡିକ ପାଖରେ l ଆଉ ଘର ଚଟିଆଙ୍କ ପାଇଁ ସକାଳ ଆଉ ସଞ୍ଜ ସବୁ ସମୟ ପାଇଁ ସେ ଖାଦ୍ୟ ଓ ପାନୀୟ ଜଳର ବ୍ୟବସ୍ଥା କରିଛନ୍ତି l ସକାଳ ୮ଟାରେ ସେ ଚାକିରି କରିବାକୁ ବାହାରୁଥିବା ବେଳେ ରାତିରେ ୭ଟାରେ ଫେରନ୍ତି l ଏଥିପାଇଁ ସକାଳ ୫ଟାରୁ ଉଠି ଏହି ପକ୍ଷୀମାନଙ୍କ ସେ ଖାଦ୍ୟର ବ୍ୟବସ୍ଥା କରନ୍ତି l



ଏହା ବି ପଢନ୍ତୁ- ସରଗଠୁ ସୁନ୍ଦର ବିହଙ୍ଗ ବଣ; ପଶୁ-ପକ୍ଷୀଙ୍କୁ ମିଳୁଛି ଖାଦ୍ୟ, ଆତ୍ମତୃପ୍ତି ଲଭନ୍ତି ବିଧାନ

କେମିତି ଥିଲା ଏହି ଯାତ୍ରା:- ଏଥିପାଇଁ ସୁବ୍ରତଙ୍କ ବହୁ ପରିଶ୍ରମ କରିବାକୁ ପଡିଥିଲା l ପ୍ରଥମେ ସେ ଯେତେବେଳେ ନିଜ ଘରେ ବସା ତିଆରି କଲେ ଗୋଟିଏ ମଧ୍ୟ ଚଟିଆ ଏଠାରେ ରହିବାକୁ ଆସିଲେ ନାହିଁ । ୩ ମାସ ପରେ ଗୋଟିଏ ଚଟିଆ ଆସିଲା ଓ ଧୀରେ ଧୀରେ ବର୍ତ୍ତମାନ ତାଙ୍କ ଘରେ ୧୦୦ଟି ଘର ଚଟିଆ ରହୁଛନ୍ତି l ଏହି ପକ୍ଷୀର ବଂଶ ହ୍ରାସ ସମ୍ପର୍କରେ ସୁବ୍ରତ କହିଛନ୍ତି, " ଗଛକଟା, କଂକ୍ରିଟକରଣ, ଚାଷ ଜମିରେ ଅତ୍ୟଧିକ କୀଟନାଶକର ବ୍ୟବହାର ଓ ମୋବାଇଲ ଟାୱାରର ରେଡ଼ିଏସନ ଯୋଗୁଁ ଘର ଚଟିଆଙ୍କ ବଂଶ ବିସ୍ତାର ହୋଇପାରୁନି । ଏଣୁ ଧୀରେ ଧୀରେ ଏହି ପକ୍ଷୀ ଦୃଶ୍ୟମାନ ବି ହେଉନାହାନ୍ତି ।"

ଏହା ବି ପଢନ୍ତୁ- ପକ୍ଷୀ ପିଇବେ ପାଣି, ରାଜଧାନୀର ଗଛରେ ଝୁଲିଛି ଜଳପାତ୍ର

ତେବେ ସୁବ୍ରତ ଯେ କେବଳ ଘର ଚଟିଆଙ୍କ ପାଇଁ କାମ କରୁଛନ୍ତି ତାହା ନୁହେଁ ସେ ପରିବେଶ ସୁରକ୍ଷା, ବୃକ୍ଷରୋପଣ ଆଦି କ୍ଷେତ୍ରରେ ବନ ବିଭାଗ ସହ ମିଶି କାମ କରୁଛନ୍ତି l ଏହା ସହ ସେ ମଧ୍ୟ ଜଣେ ୱାଇଲ୍ଡ ଲାଇଫ ଫଟୋଗ୍ରାଫର । ସୁବ୍ରତଙ୍କ ଏହି କାର୍ଯ୍ୟରେ ତାଙ୍କ ପିତାମାତାଙ୍କ ବହୁ ସହଯୋଗ ଥିବା ବେଳେ ଆମେରିକାରେ ରହୁଥିବା ତାଙ୍କ ଭଉଣୀ ପକ୍ଷୀ ସୁରକ୍ଷା ପାଇଁ କାର୍ଯ୍ୟ କରୁଛନ୍ତି l ଚାକିରି କରିବା ସହ ସତେ ଯେମିତି ଘର ଚଟିଆଙ୍କ ସୁରକ୍ଷାର ବ୍ରତ ନେଇଛନ୍ତି ସୁବ୍ରତ l ସେଥିପାଇଁ ତ ତାଙ୍କ ଘରେ ସକାଳେ ଓ ସନ୍ଧ୍ୟାରେ ଶହ ଶହ ଘର ଚଟିଆଙ୍କ କିଚିରି ମିଚିରି ଶବ୍ଦ ଶୁଭିଥାଏ l

ଇଟିଭି ଭାରତ, ସମ୍ବଲପୁର

ABOUT THE AUTHOR

...view details