ସମ୍ବଲପୁର:ଜିଲ୍ଲାର ମାନେଶ୍ବର ବ୍ଲକର ସହାସପୁର ଗାଁର ଲୋକେ ଦୀର୍ଘ ୯୪ ବର୍ଷ ଧରି ପରମ୍ପରାକୁ ବଜାୟ ରଖିଛନ୍ତି । ପ୍ରତିବର୍ଷ କାର୍ତ୍ତିକ ଅମାବାସ୍ୟାର ପରଦିନ ଉକ୍ତ ଅଞ୍ଚଳରେ ରହିଥିବା ଗିରି ଗୋବର୍ଦ୍ଧନ ପାହାଡ଼କୁ ପୂଜା କରି ଆସୁଛନ୍ତି । ଏହି ସମୟରେ ଏଠାରେ ଗୋବର୍ଦ୍ଧନ ପୂଜା ସାଙ୍ଗକୁ ଯାତ୍ରା ମଧ୍ୟ ଅନୁଷ୍ଠିତ ହୁଏ । ଲୋକଙ୍କ ଆସ୍ଥା ଓ ବିଶ୍ବାସ ସ୍ବରୂପ ପ୍ରତ୍ୟେକ ବର୍ଷ ଏଠାରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥାଏ ।
ସହାସପୁରର ୯୪ବର୍ଷର ପୁରୁଣା ପରମ୍ପରା, ପାହାଡ଼ ଉପରେ ପୂଜା ପାଆନ୍ତି ଶ୍ରୀକୃଷ୍ଣ ଏହି ଗ୍ରାମବାସୀ ପ୍ରତ୍ୟେକ ବର୍ଷ କାର୍ତ୍ତିକ ଅମାବାସ୍ୟା ପର ଦିନ ୯୪ବର୍ଷ ହେଲା ୧୦୦ ଫୁଟର ଉଚ୍ଚ ପାହାଡ଼ ଉପରେ ଗିରି ଗୋବର୍ଦ୍ଧନ ପୂଜା ଆୟୋଜନ କରି ଆସୁଛନ୍ତି । ଗାଁକୁ ଲାଗିରହିଥିବା ୧୦୦ ଫୁଟ ଉଚ୍ଚର ପାହାଡ଼କୁ ରଙ୍ଗୀନ ଆଲୋକମାଳାରେ ସୁସଜ୍ଜିତ କରାଯାଇଥାଏ । ଏହା ଉପରେ ପୂଜା ପାଆନ୍ତି ଗିରି ଗୋବର୍ଦ୍ଧନଧାରୀ ଭଗବାନ ଶ୍ରୀକୃଷ୍ଣ । ଏଥିପାଇଁ ଗ୍ରାମର ଶ୍ରଦ୍ଧାଳୁ ଓ ଭକ୍ତଙ୍କ ଉପସ୍ଥିତିରେ ମହିଳା ମାନଙ୍କ ଦ୍ବାରା ପ୍ରଥମେ ସକାଳୁ ଏକ କଳସ ଯାତ୍ରା ଅନୁଷ୍ଠିତ ହୋଇଥାଏ । ପରେ ଭଗବାନ ଶ୍ରୀକୃଷ୍ଣଙ୍କ ସଂସ୍ଥାପନ କରାଯାଇ ଗୋବର୍ଦ୍ଧନ ପୂଜା ହୋଇଥାଏ ।
ଗୋବର୍ଦ୍ଧନ ପୂଜା ସାଙ୍ଗକୁ ଯାତ୍ରା ଏହା ବି ପଢନ୍ତୁ- Fly over Bridge Inaugurated: ପ୍ରତୀକ୍ଷାର ଅନ୍ତ, ଉଦଘାଟିତ ହେଲା ସମ୍ବଲପୁର ଫ୍ଲାଏ ଓଭର
ଏହି ପୂଜା ଦେଖିବାକୁ ଆଖ ପାଖର ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥାଏ । ଏପରିକି ପଡୋଶୀ ଛତିଶଗଡ଼ ରାଜ୍ୟରୁ ମଧ୍ୟ ଶ୍ରଦ୍ଧାଳୁଙ୍କ ଆଗମନ ହୋଇଥାଏ । ମାନସିକ ପୂରଣ ପାଇଁ ଅନେକ ଶ୍ରଦ୍ଧାଳୁ ଏହି ପୂଜାକୁ ଆସନ୍ତି । ଏହି ଅବସରରେ ଗିରି ଗୋବର୍ଦ୍ଧନ ଯାତ୍ରା କମିଟି ପକ୍ଷରୁ ଭକ୍ତଙ୍କ ପାଇଁ ଅନ୍ନଭୋଗର ବ୍ୟବସ୍ଥା ହୋଇଥାଏ । ମୁଖ୍ୟତଃ ଆଧ୍ୟାତ୍ମିକତା ସହ ପାହାଡ଼ ସୁରକ୍ଷାର ସନ୍ଦେଶ ବହନ କରୁଥିବା ଏହି ଯାତ୍ରାରେ ପ୍ରତ୍ୟେକ ବର୍ଷ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ । ଏଥିପାଇଁ ପୋଲିସ ପ୍ରଶାସନ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥାଏ ।
ଏନେଇ ପୂଜକ ବିଭୁତି ଭୂଷଣ ପାଣିଗ୍ରାହୀ କହିଛନ୍ତି, "ପ୍ରଭୁ ଶ୍ରୀକୃଷ୍ଣଙ୍କ ଗିରି ଗୋବର୍ଦ୍ଧନ ଧାରଣ କରିଥିବା ସ୍ମୃତିରେ ଏଠାରେ ତାଙ୍କର ପୂଜାର୍ଚ୍ଚନା କରାଯାଏ । ଦୀପାବଳି ଅମାବାସ୍ୟା ପରଦିନ ପ୍ରତିପଦା ତିଥିରେ ଶ୍ରୀକୃଷ୍ଣଙ୍କୁ ପୂଜା କରାଯାଏ । ସକାଳୁ ସକାଳୁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମେ । କଳସ ଯାତ୍ରା ପରେ ଭଗବାନଙ୍କ ପ୍ରାଣ ପ୍ରତିଷ୍ଠା ପରେ ଗୋକୁଲୀଳା ୧୦ମ ସ୍କନ୍ଧରୁ ଗିରି ଗୋବର୍ଦ୍ଧନ ଧାରଣ ପର୍ଯ୍ୟନ୍ତ ଏଠାରେ ଗୀତ ବୋଲାଯାଏ । ଏହାପରେ ପୂର୍ଣ୍ଣାହୁତି ହୁଏ ।"
ଇଟିଭି ଭାରତ, ସମ୍ବଲପୁର