ସମ୍ବଲପୁର:ପାଟିକୁ ସୁଆଦିଆ ଓ ଦେହ ପାଇଁ ହିତକର ହେଉଛି ଛତୁ । ଏଥିରେ ଭରି ରହିଛି ଅନେକ ପୋଷକ ତତ୍ତ୍ବ, ଯାହା ବିଭିନ୍ନ ପ୍ରକାର ସ୍ବାସ୍ଥ୍ୟ ସମସ୍ୟା ଦୂର କରିଥାଏ । ଆମିଷ ଖାଉନଥିଲା ଲୋକେ ଛତୁ ଟିକେ ଅଧିକ ଭଲ ପାଆନ୍ତି । ସବୁ ଋତୁରେ ବଜାରରେ ଛତୁ ମିଳୁଥିଲେ ବି ବର୍ଷା ଋତୁରେ ଏହାର ଚାହିଦା ଢେର ଅଧିକ । ବିଶେଷ କରି ସମ୍ବଲପୁର ବଜାରରେ ମିଳୁଥିବା ରୁଗୁଡା ଛତୁର ମଜା ତ ନିଆରା । ଏହା ଦେଖିବାକୁ ଗୋଲ ଗୋଲ ହୋଇଥିବା ବେଳେ ଏହା ଏକ ପ୍ରକାର ଜଙ୍ଗଲୀ ଛତୁ । ବର୍ଷା ଦିନରେ ଘଞ୍ଚ ଜଙ୍ଗଲ ଭିତରେ ମାଟି ଭିତରେ ଫୁଟିଥାଏ ଏହି ଛତୁ l ଏହା ସୁଆଦିଆ ହେବା ସହ ପୌଷ୍ଟିକ ହୋଇଥିବା ବେଳେ ବର୍ଷା ଦିନେ ଏହାର ଚାହିଦା କାହିଁରେ କଣ l
ଛତୁ କିଲୋ1600ଟଙ୍କା !
ରୁଗୁଡା ଛତୁର ଦାମ କିଲୋପ୍ରତି 300 ରୁ 400 ଟଙ୍କା । ଏହି ଛତୁର ଛତୁର ଚୋପା ମଧ୍ୟ ଥାଏ, ଆଉ ଚୋପା ଛଡାଇ ଏହାକୁ ବିକ୍ରି କଲେ ଏହାର ଦାମ କିଲୋ ପ୍ରାୟ 1600ରୁ 2000 ଟଙ୍କା । ଏହି ଛତୁର ବିଶେଷତ୍ୱ ହେଲା ଏହା କେବଳ ଆଷାଢ ଓ ଶ୍ରାବଣ ମାସରେ ଜଙ୍ଗଲ ଭିତରେ ମାଟି ତଳେ ଫୁଟିଥାଏ । ବର୍ଷା ହେଲେ ଏହା ବେଶୀ ମାତ୍ରାରେ ଫୁଟିଥାଏ ବୋଲି ଲୋକେ ବିଶ୍ୱାସ କରନ୍ତି । ବର୍ତ୍ତମାନ ଏହାର ପସରା ସମ୍ବଲପୁର ସହରର ରାସ୍ତା କଡରେ ପ୍ରତ୍ୟେକ ଦିନ ଦେଖିବାକୁ ମିଳୁଥିବା ବେଳେ ଏହାର ଖୁବ ଚାହିଦା ରହିଛି । ସମ୍ବଲପୁର ଜିଲ୍ଲାର ଜୁଜୁମୁରା, ମାନେଶ୍ଵର ଅଞ୍ଚଳର ଗ୍ରାମାଞ୍ଚଳର ମହିଳାମାନେ ଏହାକୁ ଜଙ୍ଗଲରୁ ସଂଗ୍ରହ କରି ସମ୍ବଲପୁର ସହରକୁ ଆଣନ୍ତି । ସକାଳ 7ଟାରୁ ଅପରାହ୍ନ 2ଟା ପର୍ଯ୍ୟନ୍ତ ଏହା ଉପଲବ୍ଧ ହୋଇଥାଏ । ବିଶେଷ କରି ଲକ୍ଷ୍ମୀ ଟକିଜ୍ ଅଞ୍ଚଳରେ ଏହା ଉପଲବ୍ଧ ହୋଇଥାଏ । ଲୋକମାନେ ମଧ୍ୟ ଏହାକୁ ଅତି ଆଦରର ସହ କିଣୁଥିବା ଦେଖିବାକୁ ମିଳୁଛି ।
ଏହା ମଧ୍ୟ ପଢନ୍ତୁ-Watch Video: ବିରଳ ପ୍ରଜାତିର ବିରାଟକାୟ ଛତୁ ଠାବ, ଓଜନ ପାଖାପାଖି 10KG