ସମ୍ବଲପୁର: ମରଣଯନ୍ତା ପାଲଟିଛି ସମ୍ବଲପୁର ଦେଇ ଯାଇଥିବା ଜାତୀୟ ରାଜପଥ । ଜିଲ୍ଲାରେ ଦୁର୍ଘଟଣା ଜନିତ ମୃତ୍ୟୁ ହ୍ରାସ କରିବାକୁ ଚେଷ୍ଟା କରାଯାଉଥିଲେ ମଧ୍ୟ ଦୁର୍ଘଟଣା ଜନିତ ମୃତ୍ୟୁହାର କମ ହେବାର ନାଁ ନେଉନାହିଁ । ସମ୍ବଲପୁର ଜିଲ୍ଲାରେ ଗତ 6 ମାସ ଭିତରେ 208ଟି ସଡ଼କ ଦୁର୍ଘଟଣା ହୋଇଥିବା ବେଳେ ଏଥିରେ 95 ଜଣ ପ୍ରାଣ ହରାଇଛନ୍ତି । ଟ୍ରାଫିକ ନିୟମ ନମାନିବା, ରାସ୍ତା ଖରାପ ଥିବା ଯୋଗୁଁ ତ କେତେବେଳେ ମଦ୍ୟପାନ କରି ଡ୍ରାଇଭିଂ ଯୋଗୁଁ ଦୁର୍ଘଟଣା ହେଉଥିବା ଜଣାପଡିଛି ।
ସମ୍ବଲପୁର ସହରରେ ବଢ଼ି ଚାଲିଛି ସଡ଼କ ଦୁର୍ଘଟଣା । ଆଉ ଏହା ସହ ଯାଉଛି ଲୋକଙ୍କ ଜୀବନ । ସମ୍ବଲପୁର ଜିଲ୍ଲା ଦେଇ 3ଟି ରାଜପଥ ଯାଇଥିବା ବେଳେ ସବୁଠାରୁ ବିପଦ ଜନକ ହୋଇଛି ସମ୍ବଲପୁର ରାଉରକେଲା ରାଜ୍ୟ ରାଜପଥ । ସତେ ଯେମିତି ଏହି ରାସ୍ତାଟି ମରଣଯନ୍ତା ପାଲଟିଛି । ସମ୍ବଲପୁର ଝାରସୁଗୁଡାର ଏହି ରାସ୍ତାରେ ପ୍ରତ୍ୟେକ ଦିନ ଛୋଟ ବଡ଼ ସଡ଼କ ଦୁର୍ଘଟଣା ହେବା ଏକ ସାଧାରଣ କଥା ହୋଇ ଯାଇଛି । ତେବେ ମଝି ମଝିରେ ଏହି ରାସ୍ତାରେ ହେଉଥିବା ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଲୋକଙ୍କ ଜୀବନ ଯାଉଛି l ମୁଖ୍ୟତଃ ନିଶା ସେବନ କରି ଡ୍ରାଇଭିଂ କରିବା, ରାସ୍ତା ଖରାପ ଯୋଗୁଁ, ଟ୍ରାଫିକ ନିୟମ ନମାନିବା, ରାସ୍ତା କଡରେ ବେଆଇନ ପାର୍କିଙ୍ଗ ଯୋଗୁଁ ଦୁର୍ଘଟଣା ହେଉଥିବା ନଜିର ରହିଛି l ଏହାକୁ ରୋକିବା ପାଇଁ ଜିଲ୍ଲା ପ୍ରଶାସନ ପ୍ରତ୍ୟେକ ମାସରେ ବୈଠକ କରୁଥିଲେ ମଧ୍ୟ ସଚେତନତା ଅଭାବରୁ ସଡ଼କ ଦୁର୍ଘଟଣାରେ ଲୋକଙ୍କ ଜୀବନ ଯାଉଛି ।
ମିଳିଥିବା ସୂଚନା ଅନୁସାରେ, ଗତ ଜାନୁଆରୀରୁ ଜୁନ ପର୍ଯ୍ୟନ୍ତ ସମ୍ବଲପୁର ଜିଲ୍ଲାରେ 208ଟି ସଡ଼କ ଦୁର୍ଘଟଣା ହୋଇଥିବା ବେଳେ 95 ଲୋକଙ୍କ ଜୀବନ ଯାଇଛି ଓ 157 ଜଣ ଆହତ ହୋଇଛନ୍ତି l ଗତବର୍ଷ ଏହି ସମୟରେ 288 ଟି ଦୁର୍ଘଟଣା ହୋଇଥିବା ବେଳେ 106 ଜଣ ମୃତ୍ୟୁବରଣ କରିଥିଲେ ଓ 150 ଜଣ ଆହତ ହୋଇଥିଲେ । ମଦ ପିଇ ଗାଡି ଚାଳନା, ଦ୍ରୁତ ଗତିରେ ଗାଡି ଚାଳନା,ବିନା ସିଟ ବେଲ୍ଟରେ ଗାଡି ଚାଳନା ବୃଦ୍ଧି ପାଇଥିବା ଜଣାପଡିଛି । ତେଣୁ ଦ୍ରୁତ ଗାଡି ଚାଳନା, ମଦ ପିଇ ଗାଡି ଚାଳନା, ବିନା ସିଟ ବେଲ୍ଟ ଗାଡି ଚାଲନା ଉପରେ ତୀକ୍ଷଣ ଦୃଷ୍ଟି ରଖି କାର୍ଯ୍ୟାନୁଷ୍ଠାନ ନେବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦେଶ ମଧ୍ୟ ରହିଛି । ଏହା ସହ ବେଆଇନ ପାର୍କିଂ ଉପରେ କାର୍ଯ୍ୟାନୁଷ୍ଠାନ ଉପରେ ଦାବି କରାଯିବା ସହ ଖରାପ ରାସ୍ତାର ମରାମତି, ବିଭିନ୍ନ ଦୁର୍ଘଟଣା ପ୍ରବଣ ଅଞ୍ଚଳରେ ନାମ ଫଳକ ଲଗାଯିବା ଉପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଗୁରୁତ୍ବ ଦିଆଯାଉଛି ।