ସମ୍ବଲପୁର: ଗତକାଲି ଥିଲା ଜଗତର ନାଥ ଜଗନ୍ନାଥ ମହାପ୍ରଭୁଙ୍କ ରଥଯାତ୍ରା । ସାରା ରାଜ୍ୟର ବିଭିନ୍ନ ସ୍ଥାନରେ ରଥଯାତ୍ରା ହୋଇଛି l ତେବେ ସମ୍ବଲପୁରର ଜଣେ ଜଗନ୍ନାଥ ଭକ୍ତ ଯୁବକ ବିଗତ 3 ବର୍ଷ ହେଲା ଏକ ନିଆରା ରଥଯାତ୍ରା କରି ଆସୁଛନ୍ତି l ସମ୍ବଲପୁର ଅଇଁଠାପାଲିର ଶୁଭଶ୍ରୀ ବିହାରର ଯୁବକ ପୁରୀ ଢାଞ୍ଚାର ଅବିକଳ 3 ଟି ରଥ ନିଜ ହାତରେ ନିର୍ମାଣ କରି ନିଜ ଘରେ ଶ୍ରଦ୍ଧାର ସହ ଏକ ରଥଯାତ୍ରା କରି ଆସୁଛନ୍ତି । ହେଲେ 3ଟି ଯାକ ରଥ ଆକାରରେ ଛୋଟ ହେଲେ ମଧ୍ୟ ଦେଖିବାକୁ ପୁରା ପୁରୀ ରଥଯାତ୍ରାର ରଥର ଆକୃତି ଭଳି ମନେ ହୋଇଥାଏ l
ପଶ୍ଚିମ ଓଡିଶାର ପ୍ରାଣକେନ୍ଦ୍ର ତଥା ଐତିହାସିକ ସମ୍ବଲପୁର ସହରରେ ବିଗତ 3 ବର୍ଷ ହେଲା ଏକ ନିଆରା ରଥଯାତ୍ରା ହୋଇଆସୁଛି l ଏହି ନିଆରା ରଥଯାତ୍ରା ଅନୁଷ୍ଠିତ ହେଉଛି ସମ୍ବଲପୁର ଅଇଁଠାପାଲି ଅନୁଗୁଳିଆ ପଡା ନିକଟସ୍ଥ ଶୁଭଶ୍ରୀ ବିହାରରେ l ଜ୍ୟୋତିରାଦିତ୍ୟ ମହାନ୍ତି ନାମକ ଜଣେ ଯୁବକ ନିଜ ଉଦ୍ୟମରେ ଏହି ରଥଯାତ୍ରା ଆୟୋଜନ କରୁଛନ୍ତି l ଏହି ରଥଯାତ୍ରାର ବିଶେଷତ୍ୱ ହେଉଛି, ଏହା ସମ୍ପୂର୍ଣ୍ଣ ରୂପେ ପୁରୀ ରଥଯାତ୍ରା ପରି ହୋଇ ଆସୁଛି । ପୁରୀରେ 3 ଗୋଟି ରଥ ଜରିଆରେ ରଥଯାତ୍ରା ହେଉଥିବା ବେଳେ ଏଠାରେ ମଧ୍ୟ 3 ଗୋଟି ରଥ ଯାହା ଅବିକଳ ପୁରୀ ରଥ ଆକୃତିର ତିଆରି କରନ୍ତି ଜ୍ୟୋତିରାଦିତ୍ୟ ।
ଅବିକଳ ପୁରୀ ଢାଞ୍ଚା ରଥ ତିଆରି ସହ ରଥଯାତ୍ରା କରୁଛନ୍ତି ଜ୍ୟୋତିରାଦିତ୍ୟ - unique rath yatra in sambalpur
ପୁରୀରେ ମହାପ୍ରଭୁଙ୍କ ରଥଯାତ୍ରା ଆୟୋଜିତ ହୋଇଛି । ସେହିପରି ପୁରୀ ଢାଞ୍ଚାର ଅବିକଳ 3ଟି ରଥ ନିଜ ହାତରେ ନିର୍ମାଣ କରି ଚର୍ଚ୍ଚାରେ ସମ୍ବଲପୁର ଯୁବକ। ଅଧିକ ପଢନ୍ତୁ
ପୁରୀ ରଥରେ ଯେପରି 9 ପାର୍ଶ୍ଵ ଦେବଦେବୀ ଓ 4ଟି ଅଶ୍ୱ ଥାଆନ୍ତି ଠିକ ସେହିପରି ଏହି ରଥ ତିଆରି ହୋଇଛି । ତେବେ ଏଠାରେ ପ୍ରଭୁ ଜଗନ୍ନାଥଙ୍କ ରଥର ଉଚ୍ଚତା 5ଫୁଟ 4ଇଞ୍ଚ ହୋଇଥିବା ବେଳେ ଅନ୍ୟ 2 ଠାକୁରଙ୍କ ରଥର ଉଚ୍ଚତା 5 ଫୁଟ 2 ଇଞ୍ଚ ରହିଛି l ରଥଯାତ୍ରା ଅବସରରେ ଶୁଭଶ୍ରୀ ବିହାରରେ ଅନୁଷ୍ଠିତ ଏହି ରଥଯାତ୍ରାରେ ଶହ ଶହ ଶ୍ରଦ୍ଧାଳୁ ସାମିଲ ହୋଇଥିବାବେଳେ ହରି ନାମ ସଂକୀର୍ତ୍ତନ ଆୟୋଜନ ହୋଇଥିଲା । ସକାଳୁ ସକାଳୁ ସମ୍ପୂର୍ଣ୍ଣ ରୀତିନୀତି ଅନୁସାରେ ଖେଚୁଡ଼ି ଭୋଗ, ପାହୁଣ୍ଡି ବିଜେ, ଛେରା ପହରା ପରେ ରଥ ଟଣା ଅନୁଷ୍ଠିତ ହୋଇଥିଲା । ଗଜପତି ହୋଇଥିବା ଶ୍ରଦ୍ଧାଳୁ ଛେରା ପହରା ନୀତି ସମ୍ପାଦନ କରିଥିଲେ ।
ତେବେ ରଥଯାତ୍ରାର ଆୟୋଜକ ଜ୍ୟୋତିରାଦିତ୍ୟ କୋଭିଡ ସମୟରେ ପୁରୀ ରଥଯାତ୍ରାକୁ ଯାଇ ନପାରିବାରୁ ସେହି ସମୟରେ ଏହିଭଳି ଏକ ରଥଯାତ୍ରା କରିବାକୁ ନିଶ୍ଚୟ କରିଥିଲେ । ତାପରେ ନିଜ ପିତା ମାତାଙ୍କ ସହାୟତା ରେ ନିଜେ ଏହି ରଥ ତିଆରି କରି ରଥଯାତ୍ରା ଆରମ୍ଭ କରିଥିଲେ l ଏହି ରଥ ତିଆରି କରିବାକୁ ସେ ଅକ୍ଷୟ ତୃତୀୟାରୁ ପ୍ରସ୍ତୁତି ଆରମ୍ଭ କରିଥାନ୍ତି । ଏହି କାମରେ ତାଙ୍କର କେତେକ ପାରିବାରିକ ବନ୍ଧୁ ସହାୟତା କରିଥାନ୍ତି l ଆଗକୁ ଏହି ରଥଯାତ୍ରାକୁ ସେ ଆହୁରି ବଡ଼ ଆକାରରେ କରିବାକୁ ଲକ୍ଷ୍ୟ ରଖିଛନ୍ତି l
ଇଟିଭି ଭାରତ,ସମ୍ବଲପୁର