ସମ୍ବଲପୁର: ଜିଲ୍ଲାର କେତେକ ଅଞ୍ଚଳରେ ଚାଷୀଙ୍କ ସମସ୍ୟା ପିଛା ଛାଡ଼ୁନି । କେତେବେଳେ ଲ୍ୟାପ୍ସ ଟୋକନ, କେତେବେଳେ ଟୋକନ ଅବଧି ସରିଯିବା ତ କେତେବେଳେ ହାତୀ ଉପଦ୍ରଵ । ଏଭଳି ସମସ୍ୟା ଭିତରେ ବର୍ତ୍ତମାନ ଚାଷୀ ପାଇଁ ସମସ୍ୟା ହୋଇଛି ଅଦିନିଆଁ ବର୍ଷା ଓ କୃଷି ଶ୍ରମିକଙ୍କ ଅଭାବ ଜନିତ ସମସ୍ୟା । ଏହିଭଳି ସ୍ଥିତି ଯୋଗୁଁ ବର୍ତ୍ତମାନ ସମ୍ବଲପୁର ଜିଲ୍ଲାର ଯୁଜୁମୁରା ବ୍ଲକ କୁକୁଡ଼ାପାଲି ପଞ୍ଚାୟତର କେତେକ ଚାଷୀ ଲକ୍ଷଲକ୍ଷ ଟଙ୍କାର କ୍ଷତି ସହୁଛନ୍ତି ।
ରାସ୍ତା ଉପରେ ଗଜା ହୋଇଗଲା କ୍ୱିଣ୍ଟାଲ କ୍ୱିଣ୍ଟାଲ ଧାନ, ଚିନ୍ତାରେ ଚାଷୀ ଗତ ରବିଋତୁର ଅମଳକ୍ଷମ ଧାନ ଅଦିନିଆଁ ବର୍ଷାରେ ଭିଜି ଯାଇଥିବା ବେଳେ କୌଣସି ପ୍ରକାରରେ ଏହାକୁ ରାସ୍ତା ଉପରେ ଶୁଖାଇଥିବା ବେଳେ ପୁଣି ବର୍ଷା ହେବାରୁ ରାସ୍ତା ଉପରେ ଥିବ ସବୁ ଧନା ସମ୍ପୂର୍ଣ୍ଣ ଗଜା ହୋଇ ନଷ୍ଟ ହୋଇଯାଇଛି।
ସ୍ଥାନୀୟ ଅଞ୍ଚଳର ପାଖାପାଖି 70 ଏକର ଜମିର ଫସଲ ଏମିତି ନଷ୍ଟ ହୋଇଥିବା ଚାଷି ଅଭିଯୋଗ କରିଛନ୍ତି । ତେବେ ହାତ ଉଧାରି ଓ ଋଣ କରି ଚାଷ କରିଥିବା ଏହି ଚାଷୀମାନେ ଫସଲ ନଷ୍ଟ ହେବା ପରେ ଋଣ କିପରି ସୁଝିବେ ସେନେଇ ଚିନ୍ତାରେ ପଡିଛନ୍ତି ।
ତେବେ ଏହିଭଳି ସ୍ଥିତି ପାଇଁ ଚାଷୀମାନେ ମୁଖ୍ୟତଃ କୋଭିଡ ଯୋଗୁଁ ଶ୍ରମିକ ସମସ୍ୟା, କେନାଲ ପାଣି ପରିଚାଳନାରେ ଅନିୟମିତତା, ଟୋକାନ ଅବଧି ଜନିତ ଅବ୍ୟବସ୍ଥା ଓ ଅଦିନିଆଁ ବର୍ଷାକୁ ଦାୟୀ କରିଛନ୍ତି । ଏହି ସମସ୍ୟା ନେଇ ସ୍ଥାନୀୟ ଚାଷୀ ଜିଲ୍ଲା ପ୍ରଶାସନର ବିଭାଗୀୟ ଅଧିକାରୀଙ୍କୁ ଜଣାଇବା ପରେ ମଧ୍ୟ କୌଣସି ଫଳ ମିଳିନଥିବା କହିଛନ୍ତି ଚାଷୀ ।
ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ