ସମ୍ବଲପୁର: ଅଭିଯୋଗ ଗ୍ରହଣ କରି ପୂରଣ କଲେନି 5T ସଚିବ । ମାତ୍ର ୭ ଦିନ ମଧ୍ୟରେ ଦାବି ପୂରଣ କରିବାର ପ୍ରତିଶୃତି ଦେଇ ଭୁଲିଗଲେ । ୭ ଦିନ ପରିବର୍ତ୍ତେ ମାସେ ବିତିଲାଣି ଏବେବି ଲୋକେ ଦାବି ପୂରଣ ହେବା ତାରିଖକୁ ଅନାଇ ବସିଛନ୍ତି । ସମ୍ବଲପୁର ଜିଲ୍ଲା ଜୁଯୁମୁରା ବ୍ଲକ କବରାପାଲି ପଞ୍ଚାୟତ ନିଲ ଡୁମରିଠାରେ ହେବାକୁ ଥିବା ବୃହତ କୃଷି ମାର୍କେଟ୍ ଟର୍ମିନାଲ ଭିତ୍ତି ପ୍ରସ୍ତର ସ୍ଥାପନର ୯ ବର୍ଷ ବିତିଗଲା । ହେଲେ ଏପର୍ଯ୍ୟନ୍ତ ଏହାର କାର୍ଯ୍ୟ ଆରମ୍ଭ ହୋଇନାହିଁ । ପ୍ରସ୍ଥାବିତ ବୃହତ ମାର୍କେଟ ଟର୍ମିନାଲ କାର୍ଯ୍ୟକାରୀ କରିବାକୁ ଦାବିପତ୍ର ଦେବାର ମାସେ ପୁରି ସାରିଲାଣି । କିନ୍ତୁ ଏପର୍ଯ୍ୟନ୍ତ ସମସ୍ୟା ସମାଧାନ ନହେବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି l
ସମ୍ବଲପୁର-କୋଲକତା ଜାତୀୟ ରାଜପଥର ଯୁଯୋମୁରା ବ୍ଲକ କବରାପାଲି ପଞ୍ଚାୟତର ନିଲଡୁଙ୍ଗରୀ ଠାରେ ପ୍ରାୟ ୬୦ ଏକର ପରିମିତ ଜମିରେ ଏକ ବୃହତ ମାର୍କେଟ ଟର୍ମିନାଲ ପିପିପି ମୋଡ଼ରେ ନିର୍ମାଣ କରିବାକୁ ରାଜ୍ୟ ସରକାର 2014 ମସିହାରେ ନିଷ୍ପତ୍ତି ନେଇଥିଲେ । ଏଥିପାଇଁ କେନ୍ଦ୍ର ସରକାର ଅନୁମତି ଦେବା ସହିତ ଏହାର କାର୍ଯ୍ୟକାରୀ ପାଇଁ ବଡ଼ ଅଂଶ ଧନ ଦେବାକୁ ସେତେବେଳେ ସ୍ୱୀକୃତି ପ୍ରଦାନ କରିଥିଲେ । ଏହି ବୃହତ ମାର୍କେଟ ଟର୍ମିନାଲ ନିର୍ମାଣ ହେଲେ କୃଷି ଉତ୍ପାଦିତ ଦ୍ରବ୍ୟର ରପ୍ତାନୀ, ବଜାରୀକରଣକୁ ସହଜ କରିବା ସହିତ ଶୀତଳ ଭଣ୍ଡାର ପ୍ରଭୃତି ସୁବିଧା ସହ ପଶ୍ଚିମ ଓଡ଼ିଶାର ୧୦ ଜିଲ୍ଲା ଚାଷୀ ପ୍ରତ୍ୟେକ୍ଷ ଓ ପରୋକ୍ଷରେ ଏଥିରେ ଉପକୃତ ହେବେ ବୋଲି ରାଜ୍ୟ ସରକାର ଘୋଷଣା କରିଥିଲେ । ଏପରିକି ବୃହତ ଯୋଜନା ପାଇଁ ସେତେବେଳେ ୭୪ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇ ଯିବା ପରେ ଗତ ୨୮ ସେପ୍ଟେମ୍ବର ୨୦୧୪ ମସିହାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୃଷିମନ୍ତ୍ରୀ, ସାଂସଦ, ବିଧାୟକ ପ୍ରମୁଖଙ୍କ ଉପସ୍ଥିତିରେ ଶିଳାନ୍ୟାସ କରିଥିଲେ । ଅର୍ଥାତ ଆଜିକୁ ୯ ବର୍ଷ ବିତିଯାଇଥିଲେ ମଧ୍ୟ ଏହା କାର୍ଯ୍ୟକ୍ଷମ ପାଇଁ ଦିନେ ବି ଚେଷ୍ଟା କରାଯାଇନାହିଁ ।