ସମ୍ବଲପୁର:ଚାରି ଦଫା ଦାବି ନେଇ ରାସ୍ତାକୁ ଓହ୍ଲାଇଲା ପ୍ରାଥମିକ ଶିକ୍ଷକ ସଂଘ । ପ୍ରାଥମିକ ଶିକ୍ଷକ ମାନଙ୍କୁ ରାଜ୍ୟ ସରକାର ଅଣଦେଖା କରୁଥିବା ଅଭିଯୋଗ ଆଣି ସମ୍ବଲପୁରରେ ପ୍ରାଥମିକ ଶିକ୍ଷକ ସଂଘ ଏକ ବିଶାଳ ରାଲି କରିଥିଲା । ଏକ ବିଶାଳ ଶୋଭାଯାତ୍ରା ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ସଂଘର ସଦସ୍ୟ । ଶନିବାର ଅପରାହ୍ନ 3 ଟାରୁ ସମ୍ବଲପୁର ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର ଏକ ଶୋଭଯାତ୍ରା ଜେଲ ଛକରୁ ବାହାରି ଭୁତାପଡା ଛକ, ଜିଲ୍ଲା ସ୍କୁଲ ଛକ, ଭିଏସଏସ ମାର୍ଗ, ଲକ୍ଷ୍ମୀ ଟକିଜ ଛକ, ଗୋଲବଜାର ଛକ ଦେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଆସିଥିଲା । ଶେଷରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସଂଘ ପକ୍ଷରୁ ପ୍ରତିବାଦ କରାଯାଇଥିଲା ।
ସଂଘର ଦାବି ହେଉଛି 2001 ମସିହା ଠାରୁ ସ୍ବେଚ୍ଛାସେବୀ ଶିକ୍ଷା ସହାୟକ, ପାରା ଟିଚର, ଶିକ୍ଷା ସହାୟକ, ଜୁନିୟର ଟିଚର କଣ୍ଟ୍ରାକଚୁଆଲ, ଜୁନିୟର ଟିଚର, ଗଣ ଶିକ୍ଷକ, MLE ଶିକ୍ଷକ ଭାବେ ନିଯୁକ୍ତି ପାଇଥିବା ଶିକ୍ଷକଙ୍କ ଚୁକ୍ତି ଭିତ୍ତିକ ଅବଧିକୁ ନିୟମିତ କରିବା, ଏକ୍ସ କ୍ୟାଡର ଉଚ୍ଛେଦ କରି କତ୍ୟାଡର ଭୁକ୍ତ କରାଇବା, ନୂତନ ପେନସନ ଯୋଜନାକୁ ଉଚ୍ଛେଦ କରି ପୁରୁଣା ପେନସନ ଯୋଜନା ଲାଗୁ କରିବା ଓ ସପ୍ତମ ବେତନ କମିଶନ ଆଧାରରେ ଅବିକଳ କେନ୍ଦ୍ରୀୟ ହାରରେ ଦରମା ପ୍ରଦାନ କରାଯିବା ନେଇ ଦାବି କରିଥିଲା ପ୍ରାଥମିକ ଶିକ୍ଷକ ସଂଘ ।