ସମ୍ବଲପୁର: ଆଜି ଏଠାରେ ଜାତୀୟ ଶିକ୍ଷା ଅଭିଯାନକୁ ଉଦଘାଟନ କରି ମୁଁ ଆନନ୍ଦିତ । ନୂଆ ଭାରତ ଓ ନୂଆ ଶିକ୍ଷାର ଆବଶ୍ୟକତାକୁ ହୃଦୟଙ୍ଗମ କରି ଏହି ଅଭିଯାନର ଆରମ୍ଭ କରିଥିବାରୁ ବ୍ରହ୍ମାକୁମାରୀ ସଂସ୍ଥାଙ୍କୁ ଧନ୍ୟବାଦ । ସମାଜ ଗଠନରେ ଶିକ୍ଷାର ସର୍ବଦା ଗୁତୁତ୍ୱ ରହିଛି । ଏହି ଜାତୀୟ ଶିକ୍ଷା ଅଭିଯାନ ଅତ୍ୟନ୍ତ ପ୍ରାସଙ୍ଗିକ ଅଟେ । ମଣିଷର ପ୍ରଥମ ଶିକ୍ଷା ପରିବାରରୁ ହିଁ ଆରମ୍ଭ ହୋଇଛି । ଘରୁ ହିଁ ଶିକ୍ଷା ଆରମ୍ଭ ହୋଇଥାଏ । ମାଆ ପିଲାଙ୍କର ପ୍ରଥମ ଶିକ୍ଷିକା । ମାଆ ପିଲାମାନଙ୍କୁ ଭାଷା ଶିକ୍ଷା ଦିଏ ପରିବେଶ ସହ ପରିଚିତ କରାଏ । ମାଆ ଦ୍ବାରା ପିଲା ତାର ବାପା, ଭାଇ ଭଉଣୀ ପଡୋଶୀଙ୍କୁ ଚିହ୍ନିଥାଏ । ସ୍କୁଲ୍ ଯିବା ପୂର୍ବରୁ ମାଆ ଭାଷା ଜରିଆରେ ସେ ପୃଥୀବିକୁ ଜାଣି ସାରିଥାଏ । ମାତୃଭାଷାରେ ପିଲାର ଶିକ୍ଷାଦ୍ୱାରା ପିଲାର ସ୍ୱାଭାବିକ ବିକାଶ ହୋଥାଏ ବୋଲି ସମ୍ବଲପୁର ବ୍ରହ୍ମାକୁମାରୀଙ୍କ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମ ଜାତୀୟ ଶିକ୍ଷା ଅଭିଯାନର ନୂଆ ଶିକ୍ଷା ନୂଆ ଭାରତ ଅଭିଯାନ ଶୁଭାରମ୍ଭ ଉତ୍ସବରେ ଯୋଗ ଦେଇ ମତବ୍ୟକ୍ତ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।
ଜାତୀୟ ଶିକ୍ଷା ନୀତି 2020ରେ ମାତୃଭାଷାରେ ଶିକ୍ଷାଦାନ ଉପରେ ଗୁରୁତ୍ୱାରୋପ କରାଯାଇଛି । ମାତୃଭାଷା ପିଲାମାନଙ୍କର ବୌଦ୍ଧିକ ବିକାଶରେ ସହାୟକ ହୋଇଥାଏ । ଜାତୀର ଜନକ ମହାତ୍ମାଗାନ୍ଧୀଙ୍କଠାରୁ ନେଇ ଗୋପବନ୍ଧୁ ଦାସ ସମସ୍ତ ମାତୃଭାଷା ଶିକ୍ଷାଦାନ ଉପରେ ଗୁରୁତ୍ୱ ଦେଇଥିଲେ । ଆମ ପିଲାମାନେ ଏକାଧିକ ଭାଷା ଶିଖିବାରେ କୌଣସି ସମସ୍ୟା ନାହିଁ । କିନ୍ତୁ ବିଦେଶୀ ଭାଷା ଆମ ମାତୃଭାଷାର ସ୍ଥାନ ନେବା ଉଚିତ ନୁହେଁ । ଯେତେ ଭାଷା ଶିଖୁଛ ଶିଖ ମାତ୍ର ନିଜ ମାତୃଭାଷା ମହତ ରଖ । ଭାଷା ଓ ସଂସ୍କୃତି ପରସ୍ପର ସହ ଜଡ଼ିତ । ପିଲାଟିଏ ନିଜ ମାତୃଭାଷାରେ ଶିକ୍ଷାଲାଭ କଲେ ନିଜ ସଂସ୍କୃତି ବିଷୟରେ ଜ୍ଞାନ ଆହରଣ କରିଥାଏ । ବର୍ତ୍ତମାନ ବିଶ୍ବର ବିଭିନ୍ନ ସ୍ଥାନରେ ଆଶନ୍ତି ଦେଖିବାକୁ ମିଳୁଛି ମାତ୍ର ଭାରତ ସର୍ବଦା ବିଶ୍ବ ଶାନ୍ତିର କଥା କହି ଆସୁଛି । କେହି ଦୁଃଖରେ ନରୁହନ୍ତୁ ସମସ୍ତେ ଭଲରେ ରୁହନ୍ତୁ ଏହା ଯଦି ପିଲାମାନେ ମୂଳରୁ ଶିଖିବେ ତେବେ ସେମାନଙ୍କ ମଧ୍ୟରେ ଆପଣା ପରର ଭେଦଭାବ ରହିବ ନାହିଁ । ଆମ ଛାତ୍ରଛାତ୍ରୀ ଭାରତୀୟ ସଂସ୍କୃତିରେ ଥିବା ମହତ୍ ଚିନ୍ତାଧାରା ସହିତ ପରିଚିତ ହେବା ଦରକାର । ସେବା, ସହାନୁଭୂତି, ନୈତିକତା ଆମ ସଂସ୍କୃତିର ମୂଳଦୁଆ । ଜାତୀୟ ଶିକ୍ଷା ନୀତିରେ ମାନବୀନ ମୂଲ୍ୟବୋଧ ଉପରେ ଗୁରୁତ୍ୱ ଦିଆଯାଇଛି ବୋଲି କହିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।
ଆଜିକାଲି ଦେଖିବାକୁ ମିଳୁଛି ବୃଦ୍ଧ ବାପାମାଆଙ୍କ ସେବା ସେମାନଙ୍କ ପିଲା କରୁନାହାନ୍ତି । ଆମ ସଂସ୍କୃତିରେ ପିତାମାତଙ୍କୁ ଦେବାର ଆଖ୍ୟା ଦିଆଯାଇଛି । ପିଲାମାନଙ୍କୁ ଏହି ଶିକ୍ଷା ମୂଳରୁ ଦିଆଗଲେ ସମାନେ ବାପାମାଆଙ୍କ ସେବା କରିବେ । ଶିକ୍ଷା ମାଧ୍ୟମରେ ଏ ଦିଗରେ ସକାରାତ୍ମକ ଭବନା ସୃଷ୍ଟି କରିବା ଆବଶ୍ୟକ । ସମୟ ସହିତ ପାଦ ମିଶାଇ ନଚାଲିଲେ ସମାଜ ପଛରେ ରହିଯିବ । ବର୍ତ୍ତମାନ ପ୍ରଯୁକ୍ତିବିଦ୍ୟାର ଯୁଗ ଆମ ଛାତ୍ରଛତ୍ରୀ ସେଥିରେ କୁଶଳୀ ହେବା ଜରୁରୀ । ପ୍ରଯୁକ୍ତିବିଦ୍ୟା ଓ ସାଂସ୍କୃତିକ ମୂଲ୍ୟବୋଧର ସମନ୍ୱୟରେ ଭାରତର ସାମୂହିକ ବିକାଶ ସମ୍ଭବ ।