ସମ୍ବଲପୁର: ସୁନ୍ଦର ଭାବେ ସଜେଇ ହୋଇଛି ସମ୍ବଲପୁର ସରକାରୀ ମୁଖ୍ୟ ଚିକିତ୍ସାଳୟ । ଆସିଛି ଗମଲା ସହ ଗଛ । ହସ୍ପିଟାଲ ପରିସରରେ ପୋଲିସ ଛାଉଣୀ । ଉପସ୍ଥିତ ଅଛନ୍ତି ସମସ୍ତ ବରିଷ୍ଠ ଅଧିକାରୀ । କର୍ମଚାରୀ ତତ୍ପର । ରୋଗୀଙ୍କୁ ଆଜି ଲାଗୁଛି ନୂଆ । କାରଣ ମିଳୁଛି ସଠିକ ଓ ଉନ୍ନତ ସେବା । ସବୁଦିନ ଅପେକ୍ଷା ଆଜି ମିଳୁଥିଲା ଅପେକ୍ଷାକୃତ ଭଲ ସେବା ।
ପାଣ୍ଡିଆନ ଡର: କିଛି ଘଣ୍ଟାରେ ବଦଳିଗଲା ହସ୍ପିଟାଲର ରୂପରେଖ ସେପଟେ ବାରମ୍ବାର ଗେଟ ଆଡକୁ ଉଣ୍ଡୁଛନ୍ତି ଅଧିକାରୀ । କାଳେ ଆସିଯିବେ କି ? କେଉଁ ମୁହୂର୍ତ୍ତରେ ହଠାତ ଆସି ପହଞ୍ଚିଯିବେ । ତେବେ କିଏ ଆସିବ, ଯାହାକୁ ନେଇ ଏତେ ସାଜସଜ୍ଜା ? କାହାକୁ ଅପେକ୍ଷା କରିଛନ୍ତି ହସ୍ପିଟାଲ କର୍ତ୍ତୃପକ୍ଷ, ମିଡିଆ ଓ ପୋଲିସ ? ପ୍ରକୃତରେ ଏହା ହେଉଛି ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଦୃଶ୍ୟ । ଆଉ ଏଠାରେ ସମସ୍ତଙ୍କ ଅପେକ୍ଷା ଥିଲା 5‘ଟି’ ସଚିବ ଭି କେ ପାଣ୍ଡିଆନଙ୍କୁ ।
ଅଚାନକ ଗସ୍ତ କରି ବିଭିନ୍ନ ଜିଲ୍ଲାରେ 'ମୋ ସରକାର' କାର୍ଯ୍ୟକ୍ରମ ସମୀକ୍ଷା କରୁଛନ୍ତି ପାଣ୍ଡିଆନ । ଅବହେଳା ବିରୋଧରେ ନେଉଛନ୍ତି ଦୃଢ କାର୍ଯ୍ୟାନୁଷ୍ଠାନ । ଆଉ ଏହି ଡର ଦେଖିବାକୁ ମିଳିଛି ସମ୍ବଲପୁର ହସ୍ପିଟାଲରେ । ସଚିବଙ୍କ ଗସ୍ତକୁ ନେଇ ସମସ୍ତେ ତତ୍ପର । ମାତ୍ର କିଛି ଘଣ୍ଟାରେ ବଦଳିଗଲା ମୁଖ୍ୟ ଚିକିତ୍ସାଳୟର ରୂପରେଖ । ନୂଆ ରୂପ ସହ ଉନ୍ନତ ରୋଗୀସେବା । ପୁଣି ତା’ ସାଙ୍ଗକୁ ସମସ୍ତ ଡାକ୍ତରଙ୍କ ଉପସ୍ଥିତି ।
କେବେବି ସମୟ ପୂର୍ବରୁ ଆସୁନଥିବା କିଛି ବରିଷ୍ଠ ଅଧିକାରୀ ଆଜି ସମୟ ଆଗରୁ ପହଞ୍ଚି ଯାଇଥିଲେ । ସିଡିଏମଓ, ଏଡିଏମଓ, ସମ୍ବଲପୁର ଅତିରିକ୍ତ ଏସପି, ଟାଉନ ଥାନା ଅଧିକାରୀ ସମସ୍ତେ ଉପସ୍ଥିତ ଥିଲେ । ଗୋଟିଏ ପ୍ଲାଟୁନ ପୋଲିସ ଫୋର୍ସ ମଧ୍ୟ ମୁତୟନ ହୋଇଥିଲେ । ଗଣମାଧ୍ୟମ ପ୍ରତିନିଧି ମଧ୍ୟ ପରିସରରେ ଆଡ୍ଡା ଜମାଇଥିଲେ । ସମସ୍ତଙ୍କ ଅପେକ୍ଷା ସଚିବଙ୍କୁ । ମନେମନେ ଆଶ୍ବସ୍ତ ଅନୁଭବ କରୁଥିଲେ ଅଧିକାରୀ । ଯାହା ହେଉ ଆସିବା ପୂର୍ବରୁ ସବୁ ଆୟୋଜନ ଯୁଦ୍ଧକାଳୀନ ଭିତ୍ତିରେ ପ୍ରସ୍ତୁତ ହୋଇଗଲା । କିଛି ବି ସମସ୍ୟା ନଥିଲା । ଆୟୋଜନ ଦେଖି ଖୁସି ହୋଇଯିବେ ସଚିବ ।
ହେଲେ ଏତେ ସବୁ ଆୟୋଜନ ଫସର ଫାଟିଯାଇଥିଲା । ଯେତେବେଳେ ଜଣାପଡିଥିଲା ଯେ ପାଣ୍ଡିଆନ ଆସୁନାହାନ୍ତି ବୋଲି । ପ୍ରକୃତରେ ପାଣ୍ଡିଆନଙ୍କ ଆସିବାର କୌଣସି ସୂଚନା ନଥିଲା । ପଡୋଶୀ ଜିଲ୍ଲା ଦେବଗଡରେ ଥିଲେ ସଚିବ । କିନ୍ତୁ ଡର ଘାରିଥିଲା ସମ୍ବଲପୁର ଯାଏଁ । ଯାହାର ପ୍ରତିଫଳନ ଦେଖିବାକୁ ମିଳିଥିଲା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ । କାଳେ ମାଡି ଆସିବେ କି ? ଏହି ଡରରେ ସମସ୍ତେ ହୋଇ ଉଠିଥିଲେ ତତ୍ପର । ଅପେକ୍ଷା କରିଥିଲେ ସମସ୍ତେ । ସକାଳ 9ଟାରୁ ଅପରାହ୍ନ 4ଟା । କିନ୍ତୁ ଆସିନଥିଲେ ସଚିବ । ଗସ୍ତ ସାରି ଦେବଗଡରୁ ହିଁ ଫେରିଯାଇଥିଲେ ।
ସାରା ଦିନ ଅପେକ୍ଷା କରିବା ପରେ ପାଣ୍ଡିଆନ ନ ଆସିବା ଖବରରେ ପୋଲିସ ଓ ହସ୍ପିଟାଲ କର୍ତ୍ତୃପକ୍ଷ, କର୍ମଚାରୀ, ବରିଷ୍ଠ ପ୍ରଶାସନିକ ଅଧିକାରୀ ନିଶ୍ଚିତ ନିରାଶ ହୋଇଥିବେ । କାମ ଦେଲାନି ଏତେ ସାଜସଜ୍ଜା । ହେଲେ ଏସବୁ ଭିତରେ ଯିଏ ଖୁସି ହୋଇଥିବ ସେ ହେଉଛନ୍ତି ରୋଗୀ । ମନେ ମନେ ସେମାନେ ନିଶ୍ଚୟ ଭାବୁଥିବେ ସଚିବ ନ ଆସନ୍ତୁ । କିନ୍ତୁ ସବୁଦିନ ଏପରି ଉଡା ଖବର ଆସୁଥାଉ । ଆଉ ସେମାନେ ଖୁସିରେ ରହନ୍ତୁ । ଅନ୍ତତଃ ଯେଉଁ ଡାକ୍ତରଙ୍କୁ ଦିନସାରା ଖୋଜୁଥାନ୍ତି ସେମାନଙ୍କୁ ଠିକ ସମୟରେ ଭେଟିପାରନ୍ତେ । ସାରା ସହରବାସୀଙ୍କ ମନରେ ଗୋଟିଏ ପ୍ରଶ୍ନ ଯଦି ସଚିବ ନଆସୁଣୁ ଏତେ, ତେବେ ସତରେ ଆସିଲେ କଣ ହେବ ?
ସମ୍ବଲପୁରରୁ ବାଦଶାହ ଜୁସମନ୍ ରଣା, ଇଟିଭି ଭାରତ