ସମ୍ବଲପୁର:ଆସନ୍ତା 27 ତାରିଖରେ ସମ୍ବଲପୁର ସମଲେଇ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ଏଥିପାଇଁ ସମଲେଇ ଯୋଜନାର ନିର୍ମାଣ କାର୍ଯ୍ୟ ଜାରି ରହିଛି । ତେବେ ନିର୍ଦ୍ଧାରିତ ସମୟ ଭିତରେ ପ୍ରକଳ୍ପର କାର୍ଯ୍ୟ ସମ୍ପର୍ଣ୍ଣ ହେବ ନା ନାହିଁ ସେନେଇ ମିଶ୍ର ପ୍ରତିକ୍ରିୟା ପ୍ରକାଶ ପାଉଛି । ମୁଖ୍ୟତଃ ବର୍ତ୍ତମାନର ସ୍ଥିତିକୁ ଦେଖିଲେ କାର୍ଯ୍ୟ ସମ୍ପୂର୍ଣ୍ଣ ହେବ ନାହିଁ ବୋଲି କେତେକ ଲୋକ କହୁଥିବା ବେଳେ କିନ୍ତୁ ସମ୍ବଲପୁର ମହାନଗର ନିଗମର କମିଶନର ବେଦ ଭୂଷଣ ଏହା ପୂର୍ବରୁ ପ୍ରକଳ୍ପ କାର୍ଯ୍ୟ ସରିଯିବ ବୋଲି ଆଶା ପ୍ରକାଶ କରିଛନ୍ତି । ଏଥିପାଇଁ ନିମନ୍ତ୍ରଣ ପତ୍ର ବଣ୍ଟା ସରିଛି ।
ତେବେ ସମଲେଇ ଯୋଜନାର ନିର୍ମାଣ କାର୍ଯ୍ୟ ଏବେ ମଧ୍ୟ ବହୁତ ବାକି ଥିବାପରି ଲାଗୁଛି । ତେବେ ଏନେଇ ରାଜ୍ୟ ଯୁବ ବିଜେଡିର ସାଧାରଣ ସମ୍ପାଦକ ହୀରାଲାଲ ବେହେରା କହିଛନ୍ତି ଯେ, ସମଲେଇ ଯୋଜନାର ପ୍ରଥମ ପର୍ଯ୍ୟାୟ ନିର୍ମାଣ କାର୍ଯ୍ୟ ସମ୍ପନ୍ନ ହୋଇଛି । ଆଗକୁ ଦ୍ଵିତୀୟ ପର୍ଯ୍ୟାୟ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ । ଏହାସହ 27 ତାରିଖ ସୁଦ୍ଧା କାର୍ଯ୍ୟ ସମ୍ପନ୍ନ ହୋଇଯିବ ।
ଅନ୍ୟପଟେ ବିଜେପି କ୍ଷେତ୍ରୀୟ ଗଣମାଧ୍ୟମ ସଂଯୋଜକ ମାନସ ରଞ୍ଜନ ବକ୍ସି କହିଛନ୍ତି ଯେ, ନିକଟ ଅତୀତରେ ରାଜ୍ୟ ସରକାର ଯେଉଁ ସବୁ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି । ତାହା ସବୁ ନିର୍ବାଚନକୁ ଆଖି ଆଗରେ ରଖି କରିଛନ୍ତି । ପ୍ରକଳ୍ପ ଗୁଡିକର କାର୍ଯ୍ୟ ସମ୍ପୂର୍ଣ୍ଣ ନକରି ଶୁଭାରମ୍ଭ କରୁଛନ୍ତି l ଆଉ ଏହା ଦ୍ୱାରା ତରବରିଆ ଭାବେ ନିମ୍ନ ମାନର କାମ ହେଉଛି । ତେଣୁ ଭବିଷ୍ୟତରେ ସେ ଉନ୍ନତମାନର କାର୍ଯ୍ୟ କରିବାକୁ ରାଜ୍ୟ ସରକାରଙ୍କୁ ନିବେଦନ କରିଛନ୍ତି କ୍ଷେତ୍ରୀୟ ଗଣମାଧ୍ୟମ ସଂଯୋଜକ ମାନସ ରଞ୍ଜନ ବକ୍ସି ।