ସମ୍ବଲପୁର: ଆଗକୁ ସାଧାରଣ ନିର୍ବାଚନ । ଏଥିପାଇଁ ଏବେ ରାଜ୍ୟରେ ରାଜନୈତିକ ମାହୋଲ ସରଗରମ ହେବାକୁ ଲାଗିଲାଣି । ପ୍ରତ୍ୟେକ ଦିନ ଜିଲ୍ଲାରୁ ରାଜ୍ୟ ସ୍ତରରେ ରାଜନୈତିକ ହଟଚମଟ ଦେଖିବାକୁ ମିଳୁଛି । ପ୍ରତି ଜିଲ୍ଲାକୁ ନେତା ମନ୍ତ୍ରୀଙ୍କ ଘନ ଘନ ଗସ୍ତ ଆରମ୍ଭ ହୋଇଯାଇଛି । ରାଜନୈତିକ ଦଳ ମାନଙ୍କ କିଛି ନା କିଛି କାର୍ଯ୍ୟକ୍ରମ ଆନ୍ଦୋଳନ ଅଥବା ପ୍ରତିବାଦ ରୂପରେ ଦେଖିବାକୁ ମିଳୁଛି । ଏଥିରୁ ସମ୍ବଲପୁର ଜିଲ୍ଲା ମଧ୍ୟ ବାଦ ପଡିନାହିଁ । ତିନି ପ୍ରମୁଖ ଦଳ ବିଭିନ୍ନ କାର୍ଯ୍ୟକ୍ରମ କରି ନିଜର ସ୍ଥିତି ଜାହିର କରୁଥିବା ଦେଖିବାକୁ ମିଳୁଛି । ଆଗାମୀ ନିର୍ବାଚନ ପୂର୍ବରୁ ନିଜର ସ୍ଥିତି ସୁଦୃଢ କରିବାରେ ଲାଗି ପଡିଛନ୍ତି ।
ସମ୍ବଲପୁରରେ ଶାସକ ବିଜେଡିର ଅନ୍ତର୍ଦ୍ୱନ୍ଦ୍ୱ ଓ ଦଳ ଭିତରେ ସୃଷ୍ଟି ହୋଇଥିବା ଏକାଧିକ ଗୋଷ୍ଠୀ ଯୋଗୁଁ ବର୍ତ୍ତମାନ ସ୍ଥିତିରେ ଶାସକ ବିଜେଡିର ଦୁର୍ବଳତା ପଦାରେ ପଡି ଯାଇଛି । ମୁଖ୍ୟତଃ 2019ରେ ସମ୍ବଲପୁର ପରି ପ୍ରମୁଖ ବିଧାନସଭା ସିଟରେ ବିଜେଡି ପରାଜିତ ହେବା ପରେ ଦଳ ଗୋଟେ ପ୍ରକାର ଏକାଧିକ ଗୋଷ୍ଠୀରେ ବିଭାଜିତ ହେବା ସହ ଏକ ପ୍ରକାର ମୁରବୀ ବିହୀନ ହୋଇଯାଇଛି । ମୁଖ୍ୟତଃ ଦଳ ଭିତରେ ନିଜର ପତିଆରା ବୃଦ୍ଧି ପାଇଁ ଗୋଷ୍ଠୀ ଗଠନ କରିବାରେ ନେତାଙ୍କ ମଧ୍ୟରେ ଏକ ପ୍ରକାର ପ୍ରତିଦ୍ବନ୍ଦିତା ଆରମ୍ଭ ହୋଇଛି । ଗତ 2014 ନିର୍ବାଚନରେ ଜୟ ନାରାୟଣ ମିଶ୍ରଙ୍କ ପରି ଟାଣୁଆ ନେତାଙ୍କୁ ବିଜେଡି ପ୍ରାର୍ଥିନୀ ରାସେଶ୍ୱରୀ ପାଣିଗ୍ରାହୀ ପରାଜିତ କରି ସମ୍ବଲପୁର ବିଧାନସଭା ସିଟରେ ପ୍ରଥମ ଥର ପାଇଁ ବିଜୟ ପତାକା ଉଡାଇଥିଲେ l ସେହି ନିର୍ବାଚନରେ ଜୟଙ୍କୁ ହରାଇବା ପାଇଁ ବିଜେଡି ନେତା ଏକଜୁଟ ହୋଇ ଲଢ଼ିଥିଲେ l
2014 ରୁ 2019 ଯାଏ ସମ୍ବଲପୁରରେ ବହୁତ ଉନ୍ନୟନମୂଳକ କାର୍ଯ୍ୟ ମଧ୍ୟ ହୋଇଥିଲା । ତେବେ ବହୁ ଉନ୍ନୟନମୂଳକ କାର୍ଯ୍ୟ ହୋଇ ମଧ୍ୟ 2019 ନିର୍ବାଚନ ଠିକ ପୂର୍ବରୁ ଶାସକ ବିଜେଡିର ଗୋଷ୍ଠୀ କନ୍ଦଳ ଯୋଗୁଁ ବିଜେଡି ନିର୍ବାଚନରେ ହାରି ଯାଇଥିଲା l ଆଉ ସେହି ଦିନ ଠାରୁ ଆଜି ପର୍ଯ୍ୟନ୍ତ ଜିଲ୍ଲା ବିଜେଡିରେ ଗୋଷ୍ଠୀ କନ୍ଦଳ ଲାଗି ରହିଛି । ରାଜନୀତି ବିଶ୍ଳେଷକଙ୍କ ମତରେ ବର୍ତ୍ତମାନ ସମ୍ବଲପୁର ଜିଲ୍ଲାରେ ଯେତିକି ନେତାକୁ ସେତିକି ଗୋଷ୍ଠୀ l ପୂର୍ବତନ ବିଧାୟିକା ଡା ରାସେଶ୍ୱରୀ ପାଣିଗ୍ରାହୀ, ବର୍ତ୍ତମାନର ରେଢ଼ାଖୋଲ ବିଧାୟକ ରୋହିତ ପୂଜାରୀ, ବର୍ତ୍ତମାନର ଜିଲ୍ଲା ସଭାପତି ଥିବା ସିଦ୍ଧାର୍ଥ ଦାସ, ପୂର୍ବତନ ଜିଲ୍ଲା ସଭାପତି ପ୍ରମୋଦ ରଥ, ଯୁବ ନେତା ସଞ୍ଜିତ ମହାନ୍ତିଙ୍କ ଗୋଟିଏ ଲେଖାଏଁ ଗୋଷ୍ଠୀ ରହିଛି l ସମସ୍ତେ ନିଜର ପାତିଆରା ପାଇଁ ନିଜ ନିଜ ରାସ୍ତାରେ ଚାଲୁଥିବା ବେଳେ ଦଳ ଏକାଠି ହୋଇ ପାରୁନଥିବା ଅନେକ ଥର ପରିଲକ୍ଷିତ ହୋଇଛି l