ସମ୍ବଲପୁର: ସରକାରଙ୍କ ପ୍ରତିଶ୍ରୁତି ପରେ ବି ଭୂମିହୀନଙ୍କୁ ମିଳୁନି ଜମି । ସମ୍ବଲପୁର ଜିଲ୍ଲା ଜୁଯୁମୁରା ବ୍ଲକର ପ୍ରକୃତ ଭୂମିହୀନ ଗରିବ ଲୋକଙ୍କୁ ପଟ୍ଟା ଦେଇ ଜମି ଦେବାକୁ ଭୁଲି ଯାଇଛନ୍ତି ରାଜ୍ୟ ସରକାର । ୨୦୦୬ ମସିହାରେ ଜୁଯୁମୁରା ଅଞ୍ଚଳର ଭୂମିହୀନ ଆଦିବାସୀମାନଙ୍କୁ ଜମି ଦେବା ଉଦ୍ଦେଶ୍ୟରେ ପଟ୍ଟା ପ୍ରଦାନ କରାଯାଇଥିଲା । ଇତିମଧ୍ୟରେ ୧୬ ବର୍ଷ ବିତି ଯାଇଥିଲେ ବି ଲୋକଙ୍କୁ ଜମି ମିଳିପାରିଲା ନାହିଁ । ଏନେଇ ହିତାଧିକାରୀମାନେ ବାରମ୍ବାର ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହେବା ପରେ ମଧ୍ୟ କୌଣସି ସୁଫଳ ମିଳୁନଥିବାରୁ ଜନଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି । ଫଳରେ ଶନିବାର ଦିନ ହିତାଧିକାରୀମାନେ ତହସିଲ କାର୍ଯ୍ୟାଳୟ ଘେରାଉ କରିଛନ୍ତି ।
ସୂଚନାଯୋଗ୍ୟ ଯେ, ସମ୍ବଲପୁର ଜିଲ୍ଲା ଜୁଯୁମୁରା ବ୍ଲକର ଜୁଯୁମୁରା ପଞ୍ଚାୟତର ବିଭିନ୍ନ ଗ୍ରାମର ୬୪ଟି ଭୂମିହୀନ ଗରିବ ପରିବାରକୁ ୨୦୦୬ ମସିହାରେ ୪ ଡିସିମିଲ ଲେଖାଏଁ ଜମି ଦେବା ପାଇଁ ପଟ୍ଟା ପ୍ରଦାନ କରାଯାଇଥିଲା । ହେଲେ ଆଜି ପର୍ଯ୍ୟନ୍ତ ଜାଗା ଚିହ୍ନଟ କରାଯାଇ ନାହିଁ କି ଜମି ପ୍ରଦାନ କରାଯାଇନାହିଁ l ଓଲଟା ଏହି ଜମିତକ ଏବେ ଜଣେ ନେତା ଅକ୍ତିଆର କରିନେଇଥିବା ଅଭିଯୋଗ ହୋଇଛି । ସେପଟେ ହିତାଧିକାରୀ ବାରମ୍ବାର ଜିଲ୍ଲା ପ୍ରଶାସନର ଦ୍ବାରସ୍ଥ ହେବା ପରେ ମଧ୍ୟ ଜମି ମିଳୁ ନଥିବାରୁ ସେମାନେ ଗତକାଲି ଜୁଯୁମୁରା ତହସିଲ କାର୍ଯ୍ୟାଳୟ ଘେରିଥିଲେ ।