ସମ୍ବଲପୁର:ସମଗ୍ର ପଶ୍ଚିମାଞ୍ଚଳକୁ ଏକତାର ସୂତ୍ରରୁ ବାନ୍ଧିବା ପାଇଁ ପଶ୍ଚିମାଞ୍ଚଳ ଏକତା ମଞ୍ଚ ପକ୍ଷରୁ ସମାବେଶ ଅନୁଷ୍ଠିତ । ଏହି ସମାବେଶ ସମ୍ବଲପୁର ଅଇଁଠାପାଲି ସ୍ଥିତ ଏକ କଲ୍ୟାଣ ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି । ଏହି ଏକତା ସମାବେଶରେ ପଶ୍ଚିମାଞ୍ଚଳର ୧୦ଟି ଜିଲ୍ଲାରୁ ଶତାଧିକ ସଂଗ୍ରାମୀ ସାମିଲ ହୋଇଥିଲେ । ଏଥିସହ ପଶ୍ଚିମାଞ୍ଚଳର ବିକାଶ ପାଇଁ ଜିଲ୍ଲା ମାନଙ୍କ ଏକତା ନିହାତି ଜରୁରୀ ବୋଲି ଏକ ସ୍ବରରେ ମତ ବ୍ୟକ୍ତ କରିଛନ୍ତି ।
ତେବେ ସ୍ବତନ୍ତ୍ର ରାଜ୍ୟ ଦାବିରେ ଦୁଇ ଗୋଷ୍ଠୀ ମଧ୍ୟରେ ଉପୁଜିଥିବା ବିବାଦର ସମାଧାନ ପାଇଁ ଏହି ସମାବେଶର ଆୟୋଜନ କରାଯାଇଛି । ଏଥିସହ ସମସ୍ତ ପଶ୍ଚିମାଞ୍ଚଳକୁ ଏକାଠି କରିବା ସମ୍ବଲପୁରୀ ଭାଷା ସାହିତ୍ୟ ସଂସ୍କୃତି ପରମ୍ପରା ଐତିହ୍ୟର ପ୍ରଚାର ପ୍ରସାର କରିବା ପାଇଁ ଏହି ସମାବେଶର ଆୟୋଜନ ହୋଇଛି । ଏହା ସହିତ ବିଭିନ୍ନ ଜିଲ୍ଲାରୁ ଆସିଥିବା ସଂଗ୍ରାମୀ ମାନେ ପଶ୍ଚିମାଞ୍ଚଳ ର ଏକତା ପାଇଁ ଗଠନାତ୍ମକ ପ୍ରସ୍ତାବ ଦେବା ସହ ନିଜ ନିଜ ଜିଲ୍ଲାର ସମସ୍ୟା ବିଷୟରେ ତଥ୍ୟ ଉପସ୍ଥାପନ କରିଥିଲେ । ମୁଖ୍ୟତଃ ପଶ୍ଚିମ ଓଡିଶାର ବିଭିନ୍ନ ଜିଲ୍ଲାର ଲୋକଙ୍କ ମଧ୍ୟରେ ଥିବା ମତାନ୍ତର ଯୋଗୁଁ ସୃଷ୍ଟି ହୋଇଥିବା ମନାନ୍ତର ଭାବନାକୁ ଦୂର କରିବା ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l