ସମ୍ବଲପୁର:ଓଡିଶା ରାଜ୍ଯ ମୁକ୍ତ ବିଶ୍ବବିଦ୍ଯାଳୟ ବା ଓଏସଓୟୁରେ ଠିକା କର୍ମଚାରୀଙ୍କ ମଧ୍ୟରେ ଅସନ୍ତୋଷ । ଆଉଟସୋର୍ସିଙ୍ଗ ବା ଠିକା କର୍ମଚାରୀମାନେ ଆଜି କାର୍ଯ୍ଯ ବନ୍ଦ କରି ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଓଡିଶା ରାଜ୍ୟ ମୁକ୍ତ ବିଶ୍ୱ ବିଦ୍ୟାଳୟର କୂଳପତିଙ୍କ ମନମୂଖୀ କାର୍ଯ୍ଯକଳାପ ଓ କର୍ମଚାରୀ ଛଟେଇ କରୁଥିବା ଅଭିଯୋଗ ନେଇ ଠିକା କର୍ମଚାରୀମାନେ ଆଜି ଆନ୍ଦୋଳନକୁ ଓହ୍ଳାଇଛନ୍ତି । ବିନା କୌଣସି କାରଣରେ କୂଳପତି ଗୋଟିଏ ପରେ ଗୋଟିଏ କର୍ମଚାରୀଙ୍କୁ ଓଏସଓୟୁରୁ ଛଟେଇ କରୁଥିବାର କର୍ମଚାରୀ ଅଭିଯୋଗ କରିଛନ୍ତି ।
ତେବେ ଏହି ମନମୂଖୀ କାର୍ଯ୍ଯକଳାପ ବନ୍ଦ ନହେଲେ ଆନ୍ଦୋଳନରୁ ହଟିବେ ନାହିଁ ବୋଲି କର୍ମଚାରୀ ରୋକଠୋକ୍ ଶୁଣାଇ ଦେଇଛନ୍ତି । ଏହି ବିଶ୍ୱବିଦ୍ୟାଳୟରେ ଠିକା ସଂସ୍ଥା ମାଧ୍ୟମରେ କାର୍ଯ୍ୟ କରୁଥିବା କେତେକ କର୍ମଚାରୀ କହିଛନ୍ତି ଯେ, ସେମାନେ ସବୁ କାର୍ଯ୍ୟ ସୁଚାରୁ ରୂପେ କରି ଆସୁଥିଲେ । ଗୋଟିଏ ଦିନ କେତେକ କର୍ମଚାରୀଙ୍କ ପାଖକୁ ଟର୍ମିନେସନ ଲେଟର ଆସିଥିଲା । ଏହି ଲେଟର ପାଇବା ପରେ କର୍ମଚାରୀମାନେ କୂଳପତିଙ୍କୁ ଭେଟିବାକୁ ଚାହିଁଥିଲେ । କିନ୍ତୁ କୂଳପତିଙ୍କୁ ଭେଟି ପାରୁନଥିଲେ । 20 ଦିନ ପରେ କୂଳପତିଙ୍କୁ ଠିକା କର୍ମଚାରୀମାନେ ଭେଟିବାକୁ ସୁଯୋଗ ପାଇଥିଲେ । ସେତେବେଳେ କୂଳପତି କହିଥିଲେ ଯେ, ନୁଆ ଆଡ଼ମିସନ ହେଉନାହିଁ । ବହୁ ଆର୍ଥିକ ସମସ୍ୟା ଭିତରେ ମୁକ୍ତ ବିଶ୍ୱ ବିଦ୍ୟାଳୟ ଚାଲୁଛି । ତେଣୁ ଦରମା ଦେବାରେ ସମସ୍ୟା ହେଉଛି । ତେଣୁ ଏହିଭଳି ପଦକ୍ଷେପ ନିଆଯାଇଥିବା କୂଳପତି କହିଥିଲେ ବୋଲି ଆନ୍ଦୋଳନକାରୀ କର୍ମଚାରୀ କହିଛନ୍ତି l
ସୂଚନାଯୋଗ୍ୟ ଯେ, 2015 ମସିହାରେ ସମ୍ବଲପୁର ଠାରେ ଓଡିଶା ରାଜ୍ୟ ମୁକ୍ତ ବିଦ୍ୟାଳୟ ସ୍ଥାପିତ ହୋଇଥିବା ବେଳେ ଶିକ୍ଷକ ଓ ଅଣ ଶିକ୍ଷକ ପଦବୀ ଖାଲି ସହ ଭିତ୍ତିଭୂମିର ଅଭାବ ଯୋଗୁଁ ଏହା ନାକ ମାନ୍ୟତା ପାଇବାରୁ ବଞ୍ଚିତ ହୋଇଥିଲା । ଯାହା ଫଳରେ ଚଳିତ ବର୍ଷ ପାଇଁ ସ୍ନାତକ ଓ ସ୍ନାତକୋତ୍ତର ପାଠ୍ୟକ୍ରମ ପାଇଁ UGC ଅନୁମତି ଦେଇନଥିଲା । ଫଳରେ ହଜାର ହଜାର ଛାତ୍ରଛାତ୍ରୀ ଏହି ନିରନ୍ତର ଶିକ୍ଷା ପ୍ରକ୍ରିୟାରୁ ବଞ୍ଚିତ ହୋଇଥିବାରୁ ସ୍ଥାନୀୟ ବୁଦ୍ଧିଜୀବୀ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ନିଜସ୍ୱ କ୍ୟାମ୍ପସ ନଥିବାରୁ 2015 ମସିହାରେ ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ୱ ବିଦ୍ୟାଳୟର ପରିସର ଭିତରେ ଏକ ଅସ୍ଥାୟୀ କ୍ୟାମ୍ପସରେ ଆରମ୍ଭ ହୋଇଥିଲା ଓଡିଶା ରାଜ୍ୟ ମୁକ୍ତ ବିଶ୍ୱ ବିଦ୍ୟାଳୟ । ପ୍ରଥମେ ଏହା କେବଳ ସାର୍ଟିଫିକେଟ କୋର୍ସ ଦେଉଥିଲା । 2018 ମସିହାରେ ଏହାକୁ 5 ବର୍ଷ ପାଇଁ ୟୁଜିସି ମାନ୍ୟତା ମିଳିବା ପରେ ଏଠାରେ 11ଟି ସ୍ନାତକ ଓ 14ଟି ସ୍ନାତକୋତ୍ତର ପାଠ୍ୟକ୍ରମ ଆରମ୍ଭ ହୋଇଥିଲା । ବହୁ ସଂଖ୍ୟକ ଗରିବ ଶ୍ରେଣୀର ଛାତ୍ରଛାତ୍ରୀ ଏଠାରେ ପାଠ ପଢିଲେ । ଏଠାରେ 83 ପ୍ରତିଶତ ଗ୍ରାମାଞ୍ଚଳର ଛାତ୍ରଛାତ୍ରୀ ପାଠ ପଢ଼ୁଥିବା ସୂଚନା ରହିଛି ।