ସମ୍ବଲପୁର:ଆଜି ହେଉଛି ଭାଲେଣ୍ଟାଇନ୍ସ ଡେ'। ପ୍ରେମ ପାଇଁ ଦିନ ଟିଏ। ତେବେ ଆଜିର ଏହି ସ୍ବତନ୍ତ୍ର ଦିନରେ ସମ୍ବଲପୁରରେ ଅନୁଷ୍ଠିତ ହୋଇଯାଇଛି ଏକ ନିଆରା ବାହାଘର। ସମ୍ବଲପୁର ଧନକଉଡା କନ୍ୟା ଆଶ୍ରମରେ ରହୁଥିବା ଏକ ଅନାଥ ଝିଅ କସ୍ତୁରୀର ଆଜି ବାହାଘର କରିଛି ସମ୍ବଲପୁର ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ଓ କେତେକ ସମାଜସେବୀ । କସ୍ତୁରୀଙ୍କ ପାଇଁ ଗତକାଲି ପ୍ରସ୍ତାବ ଆସିଥିବା ବେଳେ ଆଜି କ୍ଷେତରାଜପୁର ଗୁଡେଶ୍ବର ବାବା ମନ୍ଦିରରେ ତାଙ୍କର ବିବାହ ସମ୍ପନ୍ନ ହୋଇଛି ।
ଗତକାଲି (ଫେବୃଆରୀ ୧୩) ତାରିଖରେ ପୁଅ ଘର ପକ୍ଷରୁ ସମ୍ବଲପୁର ଧନକଉଡା ସ୍ଥିତ କନ୍ୟାଶ୍ରମର ଅନ୍ତେବାସୀ ଅନାଥ ଝିଅ କସ୍ତୁରୀଙ୍କ ପାଇଁ ପ୍ରସ୍ତାବ ଆସିଥିଲା । କସ୍ତୁରୀ ୩ ବର୍ଷ ବୟସରୁ ଏହି କନ୍ୟାଶ୍ରମରେ ରହି ଆସୁଥିଲେ। କନ୍ୟାଶ୍ରମରେ ରହି ପାଠ ପଢିବା ସହ ମ୍ୟାଟ୍ରିକ ପାସ କରିବା ପରେ ଆଇଟିଆଇ ଶିକ୍ଷା ସମ୍ପୂର୍ଣ୍ଣ କରିଥିଲେ। ଏଭଳି ସ୍ଥିତି ରେ ତାଙ୍କର ବାହାଘର ବୟସ ହୋଇଯିବାରୁ ତାଙ୍କ ପାଖକୁ ଅନେକ ପ୍ରସ୍ତାବ ଆସିବାକୁ ଲାଗିଥିଲା । ଶେଷରେ ତାଙ୍କର ବାହାଘର ଚିପିଲିମା ବନ୍ଦପାଲିର ଯୁବକ ଶିବ ବିଭାରଙ୍କ ସହ ସ୍ଥିର ହୋଇଥିଲା ।
ଆଉ ଆଜି ଭାଲେଣ୍ଟାଇନ୍ସ ଡେ' ଅବସରରେ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ଓ ସ୍ଥାନୀୟ ସମାଜସେବୀଙ୍କ ସହାୟତାରେ ସମ୍ପୂର୍ଣ୍ଣ ହିନ୍ଦୁ ରୀତିନୀତି ଓ ପରମ୍ପରା ମୁତାବକ ପୂଜକଙ୍କ ମନ୍ତ୍ର ଉଚ୍ଚାରଣ ମଧ୍ୟରେ ଅଗ୍ନିକୁ ସାକ୍ଷୀ ରଖି ସାତ ଜନ୍ମ ପାଇଁ ଏକାଠି ହୋଇ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଏହି ଦମ୍ପତି। ଶିବାଙ୍କ ପରିବାର ପକ୍ଷରୁ ଆସିଥିବା ପ୍ରସ୍ତାଵରେ କସ୍ତୁରୀ ନିଜର ସହମତି ଦେବା ପରେ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ବିବାହ ପାଇଁ ଆବଶ୍ୟକୀୟ କାଗଜପତ୍ର ପ୍ରସ୍ତୁତ କରିଥିଲା ଓ ବିବାହ ଅନୁଷ୍ଠାନ ପାଇଁ ସ୍ଥାନୀୟ ସମାଜସେବୀଙ୍କ ସହାୟତା ଲୋଡିଥିଲା ।