ସମ୍ବଲପୁର:ମୁକ୍ତା ଯୋଜନାରେ ସମ୍ବଲପୁର ମହାନଗର ନିଗମର ବିଭିନ୍ନ ପ୍ରକଳ୍ପ କାର୍ଯ୍ୟକାରୀ ହେବ । 2023-24 ଆର୍ଥିକ ବର୍ଷ ପାଇଁ ରାଜ୍ୟ ସରକାର 56 କୋଟି 73 ଲକ୍ଷ ଟଙ୍କାର ପାଣ୍ଠି ମଞ୍ଜୁର କରିଛନ୍ତି । ଏହି ପାଣ୍ଠିରେ ବିଭିନ୍ନ ପ୍ରକାର 616ଟି ପ୍ରକଳ୍ପ ତିଆରି ହେବ l ଶିଶୁ କ୍ରୀଡା ଉଦ୍ୟାନ, ଡ୍ରେନ, ପାର୍କ, କମ୍ୟୁନିଟି ସେଣ୍ଟର, ୱାକିଙ୍ଗ ଟ୍ରାକ, ଖେଳ ପଡିଆ, ପବ୍ଲିକ ଜିମ, ଭେଣ୍ଡିଙ୍ଗ ଜୋନ ଇତ୍ୟାଦି ପ୍ରକଳ୍ପ କାର୍ଯ୍ୟକାରୀ ହେବ l ଏହା ଦ୍ୱାରା ସମ୍ବଲପୁର ମହାନଗରର ସବୁ ପ୍ରକାର ଭିତ୍ତିଭୂମି ଓ ସୁବିଧାର ବିକାଶ ହେବ ବୋଲି କମିଶନର ପ୍ରଦୀପ କୁମାର ସାହୁ ସୂଚନା ଦେଇଛନ୍ତି ।
ଆସନ୍ତା ମାସରୁ ଏହି ପ୍ରକଳ୍ପ ଗୁଡିକର କାର୍ଯ୍ୟ ଆରମ୍ଭ ହେବ । ସ୍ୱୟଂ ସହାୟକ ଗୋଷ୍ଠୀ ଗୁଡିକର ମହିଳା ମାନେ ଏହି ସବୁ ପ୍ରକଳ୍ପ କାର୍ଯ୍ୟ ତୁଲାଇବା ପାଇଁ ନିୟୋଜିତ ହେବେ । ଏଥିପାଇଁ ବର୍ତ୍ତମାନ ସ୍ୱୟଂ ସହାୟକ ଗୋଷ୍ଠୀ ଗୁଡିକର ଚୟନ ପ୍ରକ୍ରିୟା ଜାରି ରହିଛି । ସ୍ୱୟଂ ସହାୟକ ଗୋଷ୍ଠୀ ମାନେ ଚଳିତ ମାସ ମଧ୍ୟରେ ଦରଖାସ୍ତ ଆବେଦନ କରିପାରିବେ ।
ସମ୍ବଲପୁର ମହାନଗର ନିଗମ ପାଇଁ ମଞ୍ଜୁର ହେବା ପରେ ସ୍ଥାନୀୟ ଲୋକ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି । ତେବେ ଏହି ପାଣ୍ଠିର ସଦବିନିଯୋଗ କିପରି ହେବ ସନେଇ ସମ୍ବଲପୁର ମହାନଗର ନିଗମ ଯତ୍ନବାନ ହେବା ଦରକାର ବୋଲି ସଚେତନ ନାଗରିକ କହିଛନ୍ତି l ଏଥି ସହ ଏହି ଯୋଜନା ଦ୍ବାରା ସ୍ୱୟଂ ସହାୟକ ଗୋଷ୍ଠୀ ଗୁଡିକର ଆର୍ଥିକ ସ୍ଥିତି ମଜଭୁତ ହେବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।