ସମ୍ବଲପୁର: ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା' ସମଲେଶ୍ବରୀଙ୍କ ପୀଠରେ ଆରମ୍ଭ ହୋଇଛି ଶାରଦୀୟ ନବରାତ୍ରି ସହ ମା'ଙ୍କ ଷୋଡ଼ଶ ପୂଜା ଉପଚାର ବିଧି । ମା'ଙ୍କ ନିକଟରେ ଭକ୍ତମାନେ ଆଜିଠୁ ମାନସିକ ଦୀପ ପ୍ରଜ୍ବଳନ କରିପାରିବେ । ଏନେଇ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ମା'ଙ୍କ ନିକଟରେ ଲାଗି କରାଯାଇଥିବା ମାନସିକ ଦୀପ ସବୁ ଆଗାମୀ ୨୫ ତାରିଖ, ବିଜୟା ଦଶମୀ ଦିନ ବିସର୍ଜନ କରାଯିବ ବୋଲି ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି ।
ମା' ଙ୍କ ପୀଠରେ ଶାରଦୀୟ ନବରାତ୍ର ପୂଜା ପରିପ୍ରେକ୍ଷୀରେ ସକାଳ ୪ଟାବେଳେ ମନ୍ଦିର ଖୋଲି ସମସ୍ତ ଯଥାବିଧି ସ୍ବତନ୍ତ୍ର ପୂଜାର୍ଚ୍ଚନା ସକାଳ ସାଢ଼େ ୫ଟାବେଳେ ଶେଷ ହେବ । ସକାଳ ୬ଟାରୁ ଭକ୍ତମାନଙ୍କ ଦ୍ୱାରା ଦିଆଯାଇଥିବା ମାନସିକ ଦୀପ ପ୍ରଜ୍ବଳନ କରାଯିବ । କୋରୋନା କଟକଣା ଯୋଗୁଁ କୌଣସି ଭକ୍ତ ମନ୍ଦିର ପରିସରରେ ଉପସ୍ଥିତ ରହିବେ ନାହିଁ । ଭକ୍ତଙ୍କ ନାମ ଓ ଗୋତ୍ର ପାଠ କରି ପୂଜକମାନେ ମାନସିକ ଦୀପ ପ୍ରଜ୍ବଳନ କରିବେ ବୋଲି ମନ୍ଦିର ପକ୍ଷରୁ ସୂଚନା ଦିଆଯାଇଛି । ଏଥିସହ ଭକ୍ତଙ୍କ ସୁବିଧା ପାଇଁ ଗତ ଅଗଷ୍ଟ ମାସରୁ ଶ୍ରୀ ଶ୍ରୀ ସମଲେଶ୍ବରୀ ମନ୍ଦିର ଟ୍ରଷ୍ଟ ବୋର୍ଡର ଅଫିସିଆଲ ଫେସବୁକ ପେଜରେ ମା'ଙ୍କ ସନ୍ଧ୍ୟା ଆଳତୀ ଲାଇଭ ପ୍ରଦର୍ଶିତ ହେଉଛି ।