ସମ୍ବଲପୁର: ପ୍ରାକୃତିକ ନାଳକୁ ମାଟି ପୋତି ରାସ୍ତା ତିଆରି କରିବା ଘଟଣା । ଏହି ଘଟଣା ସାମ୍ନାକୁ ଆସିବା ପରେ ତତ୍ପରତା ଦେଖାଇଛି ଜିଲ୍ଲା ପ୍ରଶାସନ । ସମ୍ବଲପୁର ସଦର ତହସିଲଦାରଙ୍କୁ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ସମ୍ବଲପୁର ଅତିରିକ୍ତ ଜିଲ୍ଲାପାଳ । ରମେଡ ଅଞ୍ଚଳର ବଢ଼େଇପଡାରେ ଜମିକୁ ପ୍ଲଟିଂ କରି ବିକ୍ରି କରିବା ଲାଗି ପ୍ରାକୃତିକ ନାଳ ବନ୍ଦ କରିଦେଇଥିବା ଅଭିଯୋଗ ହୋଇଥିଲା ।
ଏହା ମଧ୍ୟ ପଢ଼ନ୍ତୁ:Heeraben Modi passes away: ୧୦୦ ବର୍ଷ ବୟସରେ ମୋଦିଙ୍କ ମାଆଙ୍କ ପରଲୋକ
ସମ୍ବଲପୁର ରମେଡ ଅଞ୍ଚଳର ମଣ୍ଡାଉହୁଲା ନାଳକୁ କେତେକ ଜମି ମାଫିଆ ମାଟି ପକାଇ ପୋତି ଦେଇଥିବା ଅଭିଯୋଗ ହୋଇଥିଲା । ଏନେଇ ଖବର ପ୍ରସାରଣ ହେବା ପରେ ଜିଲ୍ଲା ପ୍ରଶାସନ ତତ୍ପରତା ଦେଖାଇଛି । ସମ୍ବଲପୁର ଅତିରିକ୍ତ ଜିଲ୍ଲାପାଳ ଉମାକାନ୍ତ ରାଜ କହିଛନ୍ତି ଯେ, "ଏହି ସୂଚନା ମିଳିବା ପରେ ସମ୍ବଲପୁର ସଦର ତହସିଲଦାରଙ୍କୁ ଘଟଣା ସ୍ଥଳର ପରିଦର୍ଶନ କରିବାକୁ ପଠାଯିବ । ତହସିଲଦାର ଏହାର ସରଜମୀନ ତଦନ୍ତ କରି ରିପୋର୍ଟ ଦେବା ପରେ ବିହିତ କାର୍ଯ୍ୟାନୁଷ୍ଠାନ ନିଆଯିବ । " କୌଣସି ପ୍ରାକୃତିକ ନାଳକୁ ପୋତାଯାଇପାରିବ ନାହିଁ । ତେବେ କେଉଁ ପରିସ୍ଥିତିରେ ନାଳକୁ ପୋତାଗଲା । ଅନୁମତି ମିଳିଛି କି ନାହିଁ ସେନେଇ ତଦନ୍ତ ହେବ ବୋଲି କହିଛନ୍ତି ଅତିରିକ୍ତ ଜିଲ୍ଲାପାଳ ।